ସତ୍ୟବାଦୀ ବ୍ଲକ୍ ଶୁକଳ ପଞ୍ଚାୟତର ରାୟପୁର ଗାଁ’ରେ ସୁଧୁରୁନି ପାନୀୟ ଜଳ ସମସ୍ୟା : ବାତ୍ୟା ଫନି ପର ଠାରୁ ଗାଁ’ରେ ଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ, ପାଣି ପାଇଁ ୨ କିମି ଯାଉଛନ୍ତି ଗ୍ରାମବାସୀ

ପୁରୀ : ଗାଁ’ରେ ପିଇବା ପାଣିର ସମସ୍ୟା ରହିବନି। ଏଥି ପାଇଁ ସରକାରୀ ସ୍ତରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ତଥାପି ସୁଧୁରୁନି ସମସ୍ୟା। ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛି ସତ୍ୟବାଦୀ ବ୍ଲକ୍ ଶୁକଳ ପଞ୍ଚାୟତର ରାୟପୁର ଗାଁ। ଏକମାତ୍ର ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇଯିବା ପରେ ଗାଁ’ ଲୋକେ ପିଇବା ପାଣି ପାଇଁ ୨ କିଲୋମିଟର ଦୂର ଶୁକଳ ଛକକୁ ଯାଉଛନ୍ତି।

ଏ ସଂକ୍ରାନ୍ତରେ ଗ୍ରାମବାସୀ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ବି ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି। କିଛି ବର୍ଷ ତଳେ ପ୍ରୟାସ-୨ ନାମରେ ଏକ ପାନୀୟ ଜଳ ପ୍ରକଳ୍ପ ରାୟପୁର ଗାଁରେ କରାଯାଇଥିଲା। ଅଷ୍ଟ୍ରେଲିଆ ଏଡ୍, ୟୁଏନ୍‌ଡିପି, ଆର୍‌ସିଡିଏସ୍‌ ସହଯୋଗରେ ସ୍ବେଚ୍ଛାସେବୀ ସଂସ୍ଥା ସ୍ବାଦ(ସୋସାଇଟି ଫର୍ ‌ୱମେନ୍ ଆକ୍ସନ୍ ଡେଭଲ୍‌ପମେଣ୍ଟ) ଏହି ପ୍ରକଳ୍ପକୁ ନିର୍ମାଣ କରିଥିଲା। ଏ ବାବଦକୁ ୫ ଲକ୍ଷ ୬୭ ହଜାର ୧୩୮ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହା ଦ୍ବାରା ରାୟପୁର ଓ ଆଖପାଖ ଗାଁର ଲୋକେ ଉପକୃତ ହୋଇଥିଲେ। ପ୍ରତି ଘରେ ପାନୀୟ ଜଳ ପହଞ୍ଚୁଥିଲା।

କିନ୍ତୁ ବାତ୍ୟା ଫନି ପର ଠାରୁ ଏହି ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଆଗ ଭଳି ଗାଁ ଲୋକେ ପିଇବା ପାଣି ପାଉନାହାନ୍ତି। ଗାଁ’ରେ କୂପ କି ନଳକୂପ ନଥିବାରୁ ପିଇବା ପାଣି ପାଇଁ ଗ୍ରାମବାସୀ ଗରା, ବାଲତି ଧରି ୨ କିଲୋମିଟର ଦୂର ଶୁକଳ ଛକର ଏକ ଟ୍ୟୁବୱେଲରୁ ପାଣି ଆଣୁଛନ୍ତି। ଅଚଳ ପ୍ରକଳ୍ପକୁ ମରାମତି ପାଇଁ ‘ସ୍ବାଦ’ ଅନୁଷ୍ଠାନକୁ ଯୋଗାଯୋଗ ପରେ ‌ସଂପୃକ୍ତ ସଂସ୍ଥା ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ହୋଇଥିଲା। ପରେ ସତ୍ୟବାଦୀ ବିଡିଓଙ୍କ ନିକଟକୁ ଏହାର ମରାମତି ପାଇଁ ନିର୍ଦ୍ଦେଶ ଆସିଥିଲା। ନିର୍ଦ୍ଦେଶ ପାଇବା ପରେ ଯନ୍ତ୍ରୀମାନେ ଆସି ଅନୁଧ୍ୟାନ କରି ଗଲେ। ଇତି ମଧ୍ୟରେ ବହୁଦିନ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି।

ସମ୍ବନ୍ଧିତ ଖବର