ରାଉରକେଲା: ପାଇପ୍ ବିଛା ସରିଛି। ପାଣି ଟାଙ୍କି ନିର୍ମାଣ ହୋଇଛି। ହେଲେ ପିଇବାକୁ ଲୋକଙ୍କ ପାଖରେ ପାଇପ ପାଣି ପହଞ୍ଚୁନି। ବର୍ଷ ବର୍ଷ ଧରି ଦୂଷିତ କୂଅ ପାଣି ପିଉଛନ୍ତି ସହର ଉପକଣ୍ଠ ବସ୍ତିବାସିନ୍ଦା। ଗୋଟିଏ କି ଦୁଇଟି ବସ୍ତି ନୁହେଁ, କୂଅ ପାଣିରେ ଚାରି ବସ୍ତିବାସିନ୍ଦାଙ୍କ ଶୋଷ ମେଣ୍ଟୁଛି। ଅବଶ୍ୟ ବସ୍ତିରେ ନଳକୂପ ରହିଛି। ହେଲେ ଆବଶ୍ୟକ ପାଣି ମିଳୁ ନଥିବାରୁ ପ୍ରତ୍ୟେକ ବସ୍ତିରେ କୂଅ ହିଁ ସେମାନଙ୍କ ପାଇଁ ସାହା ଭରସା ପାଲଟିଛି। ଏଭଳି ସଙ୍ଗିନ ସ୍ଥିତି ସୁନ୍ଦରଗଡ଼ ଜିଲ୍ଲାର କୌଣସି ଉପାନ୍ତ ବ୍ଲକ ନୁହେଁ, ବରଂ ସହରଠାରୁ ମାତ୍ର ୮/୧୦ କି. ମି ଦୂର ଚାରିଟି ବସ୍ତିରେ ଦେଖିବାକୁ ମିଳିଛି। ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ପ୍ରତିଷ୍ଠା ବେଳେ ବିସ୍ଥାପିତ ପରିବାର ରହୁଥିବା ରେଙ୍ଗାଡ଼ି, ବିଜୁବନ୍ଧ, କାଣ୍ଟେ ଓ ଝାରମୁଣ୍ଡା ବସ୍ତିର ପ୍ରାୟ ୧୧୦୦ରୁ ଅଧିକ ଲୋକ ଆଜିକୁ ୭୦ ବର୍ଷ ଧରି ଏଭଳି ସମସ୍ୟା ଭୋଗୁଛନ୍ତି।
ବସ୍ତିବାସିନ୍ଦା ଅନେକବାର ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ୱାଟ୍କୋ ଅଧିକାରୀଙ୍କୁ ଗୁହାରି ଜଣାଇଛନ୍ତି। ୱାଟ୍କୋ ପାଇପ୍ ବିଛା ସହ ପାଣିଟାଙ୍କି ନିର୍ମାଣ କରି କାମ ସାରିଦେଇଛନ୍ତି। କେବେ ବସ୍ତିବାସିନ୍ଦାଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାଇପ ପାଣି ମିଳିବ, କାହାରି ପାଖରେ ଉତ୍ତର ନାହିଁ। ରେଙ୍ଗାଡ଼ି ବସ୍ତିରେ ୮୪ ପରିବାର ପ୍ରାୟ ୪୦୦ ଲୋକ ରହୁନ୍ତି। ୫୦% ଲୋକ କୂଅ ପାଣି ଉପରେ ନିର୍ଭର କରୁଛନ୍ତି। କାଣ୍ଟେ ବସ୍ତିରେ ୨୫ ପରିବାର ପ୍ରାୟ ୧୨୦ ଲୋକ ବାସ କରନ୍ତି। ବିଜୁ ବନ୍ଧନରେ ୩୭ ପରିବାରର ୧୫୦ରୁ ଅଧିକ ଲୋକ ରହନ୍ତି। ସେମିତି ଝାରମୁଣ୍ଡା ବସ୍ତିରେ ପ୍ରାୟ ୪୦ ପରିବାର ୧୬୦ରୁ ଅଧିକ ଲୋକ ରହୁଛନ୍ତି। ନଳକୂପ ପାଣି ଆବଶ୍ୟକତା ମେଣ୍ଟାଇ ପାରୁ ନଥିବାରୁ ରେଙ୍ଗାଡ଼ି ବସ୍ତି ପରି ଅନ୍ୟ ୩ଟି ବସ୍ତିର ପ୍ରାୟ ୬୦%ରୁ ଅଧିକ ଲୋକ କୂଅ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି।
/sambad/media/post_attachments/wp-content/uploads/2024/01/28ce3e29-e904-48d4-a57e-4a5c9bdfeeb7.jpeg)
ଖରାଦିନେ ପାଣି ଟୋପେ ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ନଳକୂପ ଓ କୂଅ ଶୁଖିଯାଉଥିବାରୁ ବସ୍ତିଠୁ ପ୍ରାୟ ୧ କି.ମି.ଦୂର ଅନ୍ୟ ବସ୍ତିକୁ ପାଣି ଆଣିବାକୁ ଯାଉଛନ୍ତି। ତା’ ପୁଣି ପାହାଡ ପାଦଦେଶରେ ଥିବା ଗଭୀର କୂଅ। ସେହି କୂଅର ପାଣି ଶୁଖୁଥିବାରୁ ଚାରି ବସ୍ତିବାସିନ୍ଦା ସକାଳେ ହେଲେ ବାଲ୍ଟି ଓ ଡେକ୍ଚି ଧରି ଚାଲି ଚାଲି ପାହାଡ ପାର୍ଶ୍ବ କୂଅରେ ଭିଡ଼ ଜମାନ୍ତି। କେବଳ ଏତିକି ନୁହେଁ, ଦୂଷିତ ପାଣି ପିଇ ଚାରି ବସ୍ତିର ଅନେକ ଲୋକ ପେଟ ରୋଗରେ ଆକ୍ରାନ୍ତ ହେଲେଣି। ତଥାପି ଜଳ ସେଚନ ବିଭାଗର ଚେତା ପଶୁନି। ଅନ୍ୟପଟେ ଚାରି ବସ୍ତିକୁ ଲାଗିଥିବା ଝାରମୁଣ୍ଡା, ଚିରୁଗଡ଼, ମୁଣ୍ଡାବସ୍ତି, ବୁରୁଡି, ମାଠିଆଡେରା, ପାତ୍ରବସ୍ତି, ତୁରିବସ୍ତି, ଟାଙ୍ଗରପାଣି ଆଦି ବିସ୍ଥାପିତ ପରିବାର ନଳକୂପ ଅଭାବରୁ କୂଅ ପାଣିକୁ ପିଇବା ସହ ଅନ୍ୟାନ୍ୟ କାମରେ ବ୍ୟବହାର କରୁଛନ୍ତି। ରେଙ୍ଗାଡ଼ି ବସ୍ତିର ସୁନୀଲ ଖାଲ୍କୋ କହିଛନ୍ତି, ବିସ୍ଥାପିତ ପରିବାର ବୋଲି ଆମ ଦୁଃଖ କେହି ଶୁଶୁନାହାନ୍ତି। ଆଜିକୁ ୭୦ ବର୍ଷ ଧରି କୂଅ ପାଣି ପିଇବାକୁ ବାଧ୍ୟ ହେଉଛୁ। ବିଜୁବନ୍ଧର ସୋହନ ମୁଣ୍ଡାରୀ, କାଣ୍ଟେ ବସ୍ତିର ଫିଲିସିତା ଲାକ୍ରା, ଝାରମୁଣ୍ଡାର ରେମନ ମିଞ୍ଜ ସେହି ସମାନ କଥା କହିଛନ୍ତି। ଜିଲ୍ଲା ପ୍ରଶାସନ ଓ ୱାଟ୍କୋ କେବଳ ସହରକୁ ଦେଖୁଛନ୍ତି। ବସ୍ତିର ସମସ୍ୟାକୁ ପାସୋରି ଯାଉଛନ୍ତି। ଏ ସମସ୍ୟା ସଂକ୍ରାନ୍ତରେ ୱାଟ୍କୋର ମହାପ୍ରବନ୍ଧକ ଇଂ. ପ୍ରତାପ ମହାନ୍ତି କହିଛନ୍ତି, ପାଇପ ବିଛା ସରିଛି। କିଛି ସ୍ଥାନରେ ଟିକେ ସମସ୍ୟା ରହିଛି। ଖୁବ୍ଶୀଘ୍ର ଏସବୁ ବସ୍ତି ପାଇପ ପାଣି ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/b6923335-2272-4dfb-91ec-a84215489201.jpeg)