ତୁଷୁରା: ବଲାଙ୍ଗୀରଜିଲ୍ଲା ତୁଷୁରା ଏନଏସିରେ ପିଇବା ପାଣିରେ ଜୋକ ବାହାରୁଛି। ଜନସ୍ଵାସ୍ଥ୍ୟ ବିଭାଗର ଅବହେଳା ପାଇଁ ଦିନକୁ ଦିନ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତୁଷୁରା ଅଞ୍ଚଳବାସୀ। ତୁଷୁରା ସୋନଗଡ଼ ନଦୀରୁ ତୁଷୁରା ଅଞ୍ଚଳର୍ ସହର ଭିତରକୁ ପାଣି ଯୋଗାଉଛି ଜନସ୍ଵାସ୍ଥ୍ୟ ବିଭାଗ। ହେଲେ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ପାଇପ୍ ଫାଟି ପାଇପ ଭିତରକୁ ମଇଳା କାଦୁଅ ପାଣି ପଶୁଛି। କିନ୍ତୁ ଏହାପ୍ରତି ଠିକ ଭାବରେ ଧ୍ୟାନ ଦେଉ ନାହିଁ ଜନସ୍ଵାସ୍ଥ୍ୟ ବିଭାଗ।
ଗତକାଲି ତୁଷୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରମ୍ରେ ପାଣି ଭରିବା ସମୟରେ ଜୋକ ବାହାରିଥିଲା। ଫଳରେ ବିଦ୍ୟାଳୟ କର୍ମଚାରୀ ଭୟଭୀତ ହୋଇ ପାଣି ଫୋପାଡି ଦେଇଥିଲେ। ଖବର ପାଇବା ପରେ ତୁଷୁରା ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି।
ଜନସାଧାରଣ ପାଣି ବ୍ୟବହାର କରିବା ବେଳେ ବହୁ ଅସୁବିଧା ସହ ଚିନ୍ତାରେ ରହୁଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି ଘରେ ଲାଗିଥିବା ସପ୍ଲାଏ ପାଇପ ଲାଇନରୁ ପାଣି ଭରିବା ସମୟରେ ମଧ୍ୟ ଛୋଟ ଛୋଟ ଜୋକ ବାହାରୁଥିବା ଦେଖିବାକୁ ମିଳୁଛି ଓ କେତେକ ସ୍ଥାନରେ ଗୋଳିଆ ପାଣି ମଧ୍ୟ ବାହାରୁଛି। ଏହାକୁ ନେଇ ସ୍ୱାସ୍ଥ୍ୟହାନୀର ଆଶଙ୍କା କରୁଛନ୍ତି ସହର ବାସିନ୍ଦା। ଏହା ପ୍ରତି ଜନସ୍ଵାସ୍ଥ୍ୟ ବିଭାଗ ତଥା ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହେଉଛି।