ପାନୀୟ ଜଳର ଉତ୍କଟ ଅଭାବ : ପୋଖରୀ ପାଣିକୁ ଭରସା କରିଛନ୍ତି ବାଉଁଶଗଡ଼ ଗ୍ରାମବାସୀ

ରଣପୁର : ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପାଇଁ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ଏ ନେଇ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ସେସବୁର ଉପଯୁକ୍ତ ରୂପାୟନ ହେଉନଥିବା ପରିଲକ୍ଷିତ ହୋଇଛି। ରାଜନେତାଙ୍କ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନର ମନମାନୀ ଯୋଗୁ ଏହା ବାସ୍ତବତାଠାରୁ ଦୂରରେ ରହିଥିବା ଦେଖିବାକୁ ମିଳିଛି। ଏହାର ନିଛକ ଉଦାହରଣ ହେଉଛି ରଣପୁର ବ୍ଲକ୍‌ ଅନ୍ତର୍ଗତ ବାଉଁଶଗଡ଼ ଗାଁ। ଏହି ଗାଁରେ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଥିବା ବେଳେ ଲୋକମାନଙ୍କ ପାଇଁ ଏକମାତ୍ର ପୋଖରୀର ପାଣି ହିଁ ଭରସା ବୋଲି ଜଣାଯାଇଛି।

ସୂଚନା ଥାଉକି, ରଣପୁର ବ୍ଲକ୍‌ ଅନ୍ତର୍ଗତ ବାଉଁଶଗଡ଼ ଗାଁରେ ଦୀର୍ଘ ଦିନ ଧରି ପାନୀୟ ଜଳର ଉତ୍କଟ ଅଭାବ ନେଇ ଅଞ୍ଚଳବାସୀ ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ବାରମ୍ବାର ଗୁହାରୀ କରିଆସୁଥିଲେ ମଧ୍ୟ ସବୁ ଜାଣି ନିରବଦ୍ରଷ୍ଟା ସାଜିଛନ୍ତି। କେବଳ ନିର୍ବାଚନ ଆସିଲେ ଲୋକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ନେତା ନଡ଼ିଆ ଭାଙ୍ଗି ଫଳକରେ ସୀମିତ ରହୁଥିବା ଅଭିଯୋଗ ହେଉଛି। ତେବେ ଏହି ଗାଁରେ ପାନୀୟ ଜଳ ବିଭାଗ ପକ୍ଷରୁ ୪ ଟି ଷ୍ଟାଣ୍ତ ପୋଷ୍ଟ ରହିଥିଲେ ମଧ୍ୟ ଏଥିରୁ ୨ ଟି ଅଚଳ ହୋଇପଡ଼ିଛି। ସେହିପରି ଅସୁରକୁମାରୀ ଛକଠାରେ ଥିବା ଓଭର୍‌ହେଡ୍‌ ପାଣି ଟାଙ୍କିରୁ ପ୍ରତ୍ୟହ ଚାଲୁ ହେଉ ନଥିବାରୁ ବାଉଁଶଗଡ଼ ଓ ଏହାର ପାଖ ଗ୍ରାମ ବଜ୍ରକୋଟ ଗ୍ରାମବାସୀ ମଧ୍ୟ ଅନୁରୂପ ଭାବେ ପାନୀୟ ଜଳରୁ ବଞ୍ଚିତ ହେଉଥିବା ଜଣାଯାଇଛି। ତେବେ ବିଶେଷ କରି ବାଉଁଶଗଡ଼ ଗାଁ ତଳ ସାହି ବାସିନ୍ଦାଙ୍କ ପାଇଁ ସଂପ୍ରତି ଗ୍ରୀଷ୍ମ ଋତୁରେ ପାନୀୟ ଜଳ ଟୋପାଏ ପାଇଁ ନାହିଁନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଏହି ସାହିଠାରୁ ୧ କିମି ଦୂରରେ ଅବସ୍ଥିତ ଏକମାତ୍ର ପୋଖରୀର ପାଣି ହିଁ ସାହି ବାସିନ୍ଦାଙ୍କ ପାଇଁ ଭରସା ପାଲଟିଛି। ଏହି ସାହିର ପ୍ରେମଲତା ଘଡ଼େଇ, ବାସନ୍ତି ବେହେରା, ନନ୍ଦୀନି ସେଠୀ, ଚିନ୍ତାମଣି ଦେଇ, ମଙ୍ଗୁଳି ନାହକ, ବିମଳା ନାହକ, ଶାନ୍ତିଲତା ପ୍ରଧାନ, ବିଦୁ ନାହକ ଆଦି ଏହି ପୋଖରୀରୁ ପାନୀୟ ଜଳ ବ୍ୟବହାର କରୁଥିବା ଜଣାଯାଇଛି। ଏମାନେ ଗରା, ଡେକ୍‌ଚି, ଟବ୍ ଯୋଗେ ପାଣି ବୋହି ନେଉଛନ୍ତି। ସେହିପରି ଲୋକେ ମୋଟର ସାଇକେଲ ଯୋଗେ ଗରାରେ ପାଣି ବୋହୁଥିବା ଦେଖିବାକୁ ମିଳିଛି। ଅପରପକ୍ଷେ ଏହି ଗାଁରେ ନଳକୂଅ ଥିଲେ ମଧ୍ୟ ଏଗୁଡ଼ିକ ପାନୀୟ ଜଳ ଭାବେ ଉପଯୋଗୀ ହେଉନଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ନଳକୂପରୁ ନିର୍ଗତ ପାଣିରୁ ଲୌହ ଗୁଣ୍ତ ବାହାରିବା ସାଙ୍ଗକୁ ଖାରିଆ ଲାଗୁଥିବା ଯୋଗୁ ବ୍ୟବହାର ଉପଯୋଗୀ ହୋଇପାରୁନି ବୋଲି ଅଭିଯୋଗ ହେଉଛି। ତୁରନ୍ତ ଏହି ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ପ୍ରଶାସନକୁ ଅଞ୍ଚଳବାସୀ ଦାବି କରିଛନ୍ତି। ପ୍ରଶ୍ନ ଉଠୁଛି, ଆଗକୁ ଏହି ପୋଖରୀରୁ ପାଣି ପିଇ ଲୋକେ ରୋଗଗ୍ରସ୍ତ ହେଲେ ପ୍ରଶାସନ ଦାୟୀ ରହିବ ତ? ଅନ୍ୟଥା ଲୋକେ ଏହି ନିର୍ବାଚନରେ ନେତାଙ୍କୁ ଗାଁରେ ପୂରାଇ ନଦେବା ସହ ଭୋଟ୍‌ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର