ପୁରୀ ଜିଲ୍ଲା ଅନ୍ତର୍ଗତ ଗଡ଼ିଶାଗୋଦାରେ ଅଧା ନଳକୂପ ଅଚଳ : ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ

ଗଡିଶାଗୋଦା : ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ତେବେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ଲୋକେ ପିଇବା ପାଣି ଟୋପେ ପାଇବା ପାଇଁ ଡହଳ ବିକଳ ହେଉଛନ୍ତି। ଗଡିଶାଗୋଦା ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳଛି। ପାନୀୟ ଜଳ ସମସ୍ୟା ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍କଟ ସମସ୍ୟା ଧାରଣ କଲାଣି। ଏଠାରେ ଥିବା ନଳକୂପଗୁଡ଼ିକ ମଧରୁ ଅଧାରୁ ଅଧିକ ନଳକୂପରୁ ଲୌହଯୁକ୍ତ ପାଣି ବାହାରୁଛି। ଯାହକି ପାନୀୟ ଉପଯୋଗୀ ହୋଇପାରୁ ନାହିଁ। ସେହିପରି ଆଉ କେତେକ ସ୍ଥାନରେ ନଳକୂପଗୁଡ଼ିକ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ ଦୟା ନଦୀର ପ୍ରଦୂଷିତ ଜଳକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ବିଶେଷ କରି ସ୍ଥାନୀୟ ଗୋପୀନାଥପୁର ପଞ୍ଚାୟତ ଜାଗୁଳାଇପଦର ଗ୍ରାମରେ ପାନୀୟ ଜଳର ଘୋର ସମସ୍ୟା ଦେଖାଦେଇଛି। ୪ଟି ଓାର୍ଡକୁ ନେଇ ଗଠିତ ଏହି ଗ୍ରାମରେ ପ୍ରାୟ ୪ ହଜାରରୁ ଅଧିକ ଲୋକ ରହୁଥିବା ବେଳେ ଏଠାରେ ଏପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଏଠାରେ ୯ଟି ନଳକୂପ ରହିଛି। ତେବେ ଏଥିରୁ ଲାଲ ରଙ୍ଗର ପାଣି ବାହୁରୁଥିବାରୁ ତାହା ପିଇବା ପାଇଁ ଅନୁପଯୁକ୍ତ ହୋଇପଡ଼ିଛି। ସେହିପରି ଅଳ୍ପ କିଛି ନଳକୂପରୁ ଭଲ ପାଣି ବାହାରୁ ଥିବା ବେଳେ ସେଠାରେ ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। ଫଳରେ ଲୋକମାନେ ନଦୀ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏନେଇ ଗ୍ରାମର ରଙ୍କନିଧୀ ବେହେରା, ରାଜକିଶୋର ବେହେରା, ଅନାମ ବେହେରା, ଭଜମନ ବେହେରା, ବିଜୟ ବେହେରା ପ୍ରମୁଖ ଜଳ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇଥିଲେ। ତେବେ ସେମାନେ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ସଂପୃକ୍ତ ବିଭାଗର ଏପରି ମନମୁଖୀ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ରଞ୍ଜନ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ଆସନ୍ତା ୨ ତାରିଖରୁ ଟ୍ୟାଙ୍କର୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ସେହିପରି କଣାସ ବିଡିଓ ପ୍ରତିଭା ସାହୁ କହିଛନ୍ତି ଯେ ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ତେବେ ଏ ଦିଗ‌ରେ ତୁରନ୍ତ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଟ୍ୟାଙ୍କର୍‌ ଯୋଗେ ବ୍ଲକ୍‌ର ସମସ୍ତ ପଞ୍ଚାୟତକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର