କଣ୍ଟିଲୋ : ମହାନଦୀ କୂଳରେ ଥାଇ କଣ୍ଟିଲୋ ଗ୍ରାମରେ ସୁଧୁରୁନି ପାନୀୟ ଜଳ ସମସ୍ୟା। କଣ୍ଟିଲୋ ଭଳି ପର୍ଯ୍ୟଟନ କ୍ଷେତ୍ରକୁ ପାନୀୟ ଜଳଯୋଗାଣ ବ୍ୟବସ୍ଥିତ କରିବା ପାଇଁ ୨ ବର୍ଷ ମଧ୍ୟରେ ଜଳଯୋଗାଣ ବିଭାଗ ପକ୍ଷରୁ ଖର୍ଚ୍ଚ ସରିଲାଣି ପ୍ରାୟ ୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା। ତଥାପି ମଧ୍ୟ ପଞ୍ଚାୟତର ଅନେକ ଅଞ୍ଚଳରେ ପିଇବା ପାଣି ଅପହ‌ଞ୍ଚ ହୋଇରହିଛି। ଉକ୍ତ ଟଙ୍କାରେ ବିଶୋଧନାଗାର ସହ କଣ୍ଟିଲୋ, ପାଟଣା ଗ୍ରାମର ବିଭିନ୍ନ ସାହିକୁ ପାଇପ୍ ଲାଇନ୍ କାର୍ଯ୍ୟ କରାଯାଇଥିଲା। ଗତବର୍ଷ ଜଳଯୋଗାଣ ବିଭାଗ ପକ୍ଷରୁ ସ୍ଥାନୀୟ ବାପୁଜୀ ନଗର ନିକଟସ୍ଥ ପାହାଡ଼ ଉପରେ ୟୁରେକା ଫର୍ବସ୍‌ ପକ୍ଷରୁ ପ୍ରାୟ ୮୫ ଲକ୍ଷ ଟଙ୍କା ବ୍ୟୟବରାଦରେ ଏକ ବିଶୋଧନାଗାର ନିର୍ମାଣ କରାଯାଇଥିଲେ ମଧ୍ୟ ଏହା ଅଚଳ ହୋଇ ପଡ଼ିରହିଛି। ଫଳରେ ମହାନଦୀର ପ୍ରଦୂଷିତ ଜଳକୁ ସିଧାସଳଖ ସ୍ଥାନୀୟ ଲୋକେ ବ୍ୟବହାର କରୁଛନ୍ତି।

Advertisment

publive-image

ସବୁଠାରୁ ବିଡ଼ମ୍ବନାର ବିଷୟ ଯେ ସ୍ଥାନୀୟ ସରପ‌ଞ୍ଚ ପ୍ରତାପ ଚନ୍ଦ୍ର ସାହୁଙ୍କୁ ପଚାରିବାରେ ସେ ସିଧାସଳଖ ଜଳଯୋଗାଣ ବିଭାଗକୁ ଦାୟୀ କରିଛନ୍ତି। ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ବିଭାଗକୁ ଅବଗତ କରିଆସୁଥିଲେ ମଧ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ସହଯୋଗ ମିଳୁନଥିବା କହିଛନ୍ତି। ଆହୁରି ମଧ୍ୟ ଗତବର୍ଷ ପଞ୍ଚାୟତ ପକ୍ଷରୁ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ୪୦ ଅଶ୍ବଶକ୍ତି ସଂପନ୍ନ ମୋଟର କିଣାଯିବା ସହ ପାଇପ୍ ଲାଇନ୍ କାର୍ଯ୍ୟ କରାଯାଇଥିଲା। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କିଣାଯାଇଥିବା ନୂତନ ମୋଟର ହସ୍ତାନ୍ତର କରାଯାଇନାହିଁ। ଫଳରେ ବିଭିନ୍ନ ସମୟରେ ମୋଟର ଅଚଳ ହେଲେ ଜଳଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଥିବା ଜଣାପଡ଼ିଛି।

publive-image newindianexpress.com

୧୫ ହଜାରରୁ ଊର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ଏହି ରାଜସ୍ବ ଗ୍ରାମର ୨୫ଟି ୱାର୍ଡକୁ ନେଇ କଣ୍ଟିଲୋ ଗ୍ରାମ ପଞ୍ଚାୟତ ଗଠିତ। ପ୍ରତ୍ୟହ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ପର୍ଯ୍ୟଟକ ଶ୍ରୀଜିଉ ତଥା ବ୍ୟବସାୟ ପାଇଁ ଏଠାକୁ ଆସୁଥିବା ବେଳେ ଏଠାର ମୁଖ୍ୟ ସମସ୍ୟା ହେଉଛି ଶିକ୍ଷା, ପରିମଳ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା। ପର୍ଯ୍ୟଟକମାନେ ପହଞ୍ଚିବା ସଙ୍ଗେ ସଙ୍ଗେ ଏଠାକାର ପରିମଳ ବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ପିଇବା ପାଣି ଟିକେ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସଂପ୍ରତି ବର୍ଷା ଦିନେ ମହାନଦୀର ଗୋଳିଆ ପାଣିକୁ ବିଶୋଧନ ନ କରି ଅଞ୍ଚଳବାସୀଙ୍କୁ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ବିଶେଷ କରି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳ ପାଇଁ ଯୋଗାଇ ଦିଆ ଯାଉଥିବା ପାଇପ ଜଳ ଆଦୌ ବ୍ୟବହାର ଉପଯୋଗୀ ନୁହେଁ ବୋଲି ଅଭିଯୋଗ ହେଉଛି। ସେହିପରି ନୟାଗଡ଼ ଜିଲ୍ଲାର ଜନବହୁଳ ପଞ୍ଚାୟତ ଭାବେ କଣ୍ଟିଲୋର ଗୁରୁତ୍ବ ରହିଥିବା ବେଳେ ସଂପୃକ୍ତ ପଞ୍ଚାୟତକୁ ଏନ୍‌ଏସିର ମାନ୍ୟତା ମିଳିଲେ କଣ୍ଟିଲୋର ବିକାଶ ତଥା ଉନ୍ନତି ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି। ତେଣୁ ଏ ଦିଗରେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସୂଚନା ମିଳୁଛି।