ସୁଧୁରୁନି ପାନୀୟ ଜଳ ସମସ୍ୟା : ଗୁମ୍ଫାଝର ଉପରେ ନିର୍ଭର କରୁଛନ୍ତି ୪୦ ପରିବାର

ନୂଆଗାଁ : ଏବେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସବୁଆଡ଼େ ଜଳସ୍ତର କମିବା ସହିତ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦେଇଛି। କେଉଁଠି ପାଣି ପାଇଁ ଲମ୍ବା ଲାଇନ୍ ଲାଗିଛି ତ ଆଉ କେଉଁଠି ପାଣି ପାଇଁ କିଲୋମିଟର ଲେଖାଁଏ ଚାଲିବାକୁ ପଡୁଛି। ଏବେ ପାନୀୟ ଜଳର ସୁବିଧା ନ ପାଇ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ମାଳିସାହି ପଞ୍ଚାୟତ ଚକାପଥର ଗ୍ରାମବାସୀ ଏକ ଗୁମ୍ଫା-ଝର ଉପରେ ନିର୍ଭର କରୁଛନ୍ତି। ଗାଁ ଲୋକଙ୍କୁ ଦୀର୍ଘପଥ ଚାଲିକି ଯାଇ ଏହି ଝରରୁ ପାଣି ଆଣିବାକୁ ପଡୁଛି। ଏଭଳି ପରିସ୍ଥିତିରେ ଜଳଯୋଗାଣ ବିଭାଗ ନିଦାବିଷ୍ଣୁ ସାଜିଥିବା ଜଣାପଡ଼ିଛି।

ସୂଚନା ଥାଉକି, ଚକାପଥର ଏକ ଆଦିବାସୀ ବହୁଳ ଗାଁ। ଏଠାରେ ୪୦ ପରିବାର ବସବାସ କରୁଥିବା ବେଳେ ରହିଛି ମାତ୍ର ଦୁଇଟି ନଳକୂପ। ଗୋଟିଏ ନଳକୂପ ଅଚଳ ହୋଇଥିବା ବେଳେ ଆଉ ଗୋଟିଏ ନଳକୂପର ପାଣି ପିଇବା ଅନୁପଯୋଗୀ। ବର୍ଷା ଦିନେ ଲୋକେ ଖୋଲାକୂପରୁ ପାଣି ସଂଗ୍ରହ କରୁଥିବା ବେଳେ ଖରାଦିନେ ନିକଟରେ ଥିବା ଏକ ଗୁମ୍ଫା-ଝର ଉପରେ ଭରସା କରନ୍ତି। ଆଜି ସୁଦ୍ଧା ଗାଁରେ ଗୋଟିଏ ହେଲେ ପୋଖରୀ ଖନନ ହୋଇନାହିଁ। ଖରାଦିନ ଆସିଲେ ଗ୍ରାମବାସୀଙ୍କ ଉପରେ ଚଡ଼କ ପଡ଼ିଥାଏ। ପ୍ରତିବର୍ଷ ଏଭଳି ସମସ୍ୟା ଦେଖା ଦେଉଥିଲା ବେଳେ ପ୍ରଶାସନର ନିଘା ନାହିଁ। ଗାଁରେ କିଛି ବିପତ୍ତି ଘଟିଲେ ପାଣି ମୁନ୍ଦେ ମିଳିବା କଷ୍ଟକର। ଜଙ୍ଗଲିଆ ରାସ୍ତାରେ ମାଇଲିଏ ବାଟ ଯିବା ପରେ ସେହି ଗୁମ୍ଫା ପଡ଼ିଥାଏ। ଲୋକେ ଦିନବେଳେ ଗୁମ୍ଫା-ଝର ଭିତରେ ଭିଡ଼ ଜମାନ୍ତି। ସେଠାରୁ କିଏ ମୁଣ୍ତରେ ପାଣିଗରା ଧରି ଆସନ୍ତି ତ ଆଉ କିଏ ଭାର କରି ପାଣି ବୋହିଥାନ୍ତି। ତଳସ୍ତରରେ ପାଣିଥିବାରୁ ମହିଳାମାନେ ଜୀବନକୁ ବାଜି ଲଗାଇ ଗୁମ୍ଫା ଭିତରକୁ ପଶି ପାଣି ଆଣିଥାନ୍ତି। ଏଭଳି ପ୍ରତିବର୍ଷ ଆଦିବାସୀମାନେ ପାଣି ପାଇଁ ଦୁର୍ଦ୍ଦଶା ଭୋଗୁଥିଲେ ମଧ୍ୟ ଜଳଯୋଗାଣ ବିଭାଗ ପଞ୍ଚାୟତ ଉପରେ ଦୋଷ ଢାଳିଦେଇ ଚୁପ୍ ବସିଥିବା ଜଣାପଡ଼ିଛି।

ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରକାଶିନୀ ନାୟକଙ୍କୁ ପ୍ରତିକ୍ରିୟାରେ ଆସନ୍ତା ସୋମବାରଠାରୁ ଟ୍ୟାଙ୍କରରେ ପାଣି ଯୋଗାଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର