ପାନୀୟ ଜଳ ପାଇଁ ଜିଲ୍ଲାବାସୀ ଡହଳବିକଳ : ଫନିର ୫ ମାସ ପରେ ବି ପୁରୀ ଜିଲ୍ଲାବାସୀଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ, ଜିଲ୍ଲା ସାରା ତେଜୁଛି ଅସନ୍ତୋଷ
ପୁରୀ : ବାତ୍ୟା ‘ଫନି’ର ୫ ମାସ ପରେ ବି ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ପୁରୀ ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ସକ୍ଷମ ହୋଇନାହାନ୍ତି । ଏଥି ପାଇଁ ଜିଲ୍ଲାରେ ଅସନ୍ତୋଷ ପ୍ରକାଶ ପାଇଛି। ପୁରୀ ଜିଲ୍ଲାପାଳଙ୍କ ଚିଠିକୁ ବିଭାଗୀୟ ପ୍ରମୁଖ ସଚିବ ଚାପି ବସି ଯାଇଛନ୍ତି। ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଫନିରେ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ଘରଦ୍ବାର ଠାରୁ ଆରମ୍ଭ କରି ବାଡ଼ିବଗିଚା, କୂଅ, ପୋଖରୀ ନଷ୍ଟଭ୍ରଷ୍ଟ ହୋଇଯାଇଥିଲା। ଏପରିକି ଦୈନନ୍ଦିନ ଜୀବନଯାତ୍ରା ଅସହ୍ୟ ହୋଇ ପଡ଼ିଥିଲା। ଏବେ ବି ଗ୍ରାମାଞ୍ଚଳର ଲୋକମାନେ ଅନ୍ଧକାର ମଧ୍ୟରେ ରହୁଥିବାବେଳେ ଫନି ସହାୟତା ଠିକ ରୂପେ ପାଇବାକୁ ମଧ୍ୟ ସକ୍ଷମ ହୋଇନାହାନ୍ତି। ବିଶୁଦ୍ଧ ପାଣି ପାଇଁ ବାତ୍ୟା ବେଳେ ଯେଉଁ ଅବସ୍ଥା ସୃଷ୍ଟି ହୋଇଥିଲା ତାହା କେବଳ ଅନୁଭବି ହିଁ କହିପାରିବ।
Sambad is now on WhatsApp
Join and get latest news updates delivered to you via WhatsApp
କ୍ଷତିକୁ ଲକ୍ଷ୍ୟ କରି ପୁରୀ ଜିଲ୍ଲାପାଳ ଗତ ଜୁନ ୪ ତାରିଖ ଦିନ ଚିଠି ନମ୍ବର ୪୯୩୭ ନମ୍ବରରେ ରାଜ୍ୟ ପଞ୍ଚାୟତିରାଜ ଓ ଜଳଯୋଗାଣ ବିଭାଗ ପ୍ରମୁଖ ସଚିବଙ୍କ ନିକଟକୁ ପତ୍ର ଲେଖି ତୁରନ୍ତ ପୁରୀ ଜିଲ୍ଲାକୁ ୯୮୪ଟି ନୂଆ ନଳକୂପ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ଏଥିରେ ଅସ୍ତରଙ୍ଗରେ ୫୫ଟି, ନିମାପଡ଼ାରେ ୧୨୦ଟି, ଗୋପରେ ୨୦ଟି, କାକଟପୁରରେ ୧୯ଟି, ପୁରୀ ସଦରରେ ୩୯ଟି, ବ୍ରହ୍ମଗିରିରେ ୧୪୨ଟି, କୃଷ୍ଣପ୍ରସାଦରେ ୧୯୬ଟି, ସତ୍ୟବାଦୀରେ ୧୧୧ଟି, ଡେଲାଙ୍ଗରେ ୮୪ଟି, ପିପିଲିରେ ୩୯ଟି ଓ କଣାସରେ ୧୫୯ଟି ନୂଆ ନଳକୂପ ଅନ୍ତଭୁର୍କ୍ତ ଥିଲା। ଇତି ମଧ୍ୟରେ ୪ ମାସ ୨୦ ଦିନ ବିତି ଯାଇଥିଲେ ମଧ୍ୟ ରାଜ୍ୟ ପ୍ରଶାସନର ଏପରି ହେୟ ମନୋଭାବ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏବେ ପୁରୀ ଜିଲ୍ଲାବାସୀ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟକୁ ଦୌଡ଼ୁଥିବା ବେଳେ ରାଜ୍ୟ ପ୍ରଶାସନର ଏତାଦୃଶ୍ୟ କାର୍ଯ୍ୟ ଜିଲ୍ଲା ସାରା ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି। ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।