ରାଉରକେଲା: ଖରା ଆରମ୍ଭରୁ ପାଣି ଚିନ୍ତା; ୪୦ ବର୍ଷ ହେଲା ସୁଧୁରୁନି ସମସ୍ୟା, ପାଣି ପାଇଁ ଡ଼ହଳ ବିକଳ ହେବେ ଲୋକେ

ରାଉରକେଲା : ଖରା ଦିନ ଆସିବା ମାତ୍ରେ ତାପମାତ୍ର ବଢ଼ିବା ସହ ଭୂତଳ ଜଳସ୍ତର ମଧ୍ୟ କମୁଛି। ଖରାଦିନ ଆରମ୍ଭରୁ ପାଣି ପାଇଁ ହନ୍ତସନ୍ତ ହେଲେଣି ଲୋକେ। ଏମିତି ଜଣେ କି ଦୁଇ ଜଣ ଏହି ସମସ୍ୟାର ସମ୍ମୁଖୀନ ହେଉନାହାନ୍ତି, ଶହ ଶହ ପରିବାର ଦୟନୀୟ ସ୍ଥିତିରେ ବର୍ଷ ବର୍ଷ ଧରି କାଳ କାଟୁଛନ୍ତି। ଏ ହେଉଛି ରାଉରକେଲା ମହାନଗର ନିଗମର ୧୨ ନମ୍ବର ଓ୍ବାର୍ଡ ରେଲଓ୍ବେ କଲୋନି ଅନ୍ତର୍ଗତ ରିମଝିମ୍ ବସ୍ତି। ଏଠାରେ ୪୦୦ ପରିବାର ବସବାସ କରୁଛନ୍ତି।

ବସ୍ତି ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ସେମାନେ ୪୦ ବର୍ଷରୁ ଅଧିକ ସମୟ ଧରି ଏଠାରେ ରହି ଆସୁଛନ୍ତି। ସେମାନେ ସାଧାରଣତଃ ଶ୍ରମିକ, ଉଠା ବେପାରୀ, ଅଟୋ ଚାଳକ ଓ ଘରୋଇ ସହାୟକ ଭାବେ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି। ସେମିତି ଦେଖିବାକୁ ଗଲେ ଏହି ବସ୍ତିର ଲୋକେ ରୋଜଗାର କଲେ ହିଁ ଚୁଲି ଜଳେ। ମାତ୍ର ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଝୁମ୍ପୁଡ଼ି ଘରେ ପଲିଥିନ୍ ତଳେ ବହୁ ପରିବାର ରହୁଛନ୍ତି। ସେମାନେ ନିଜସ୍ବ ଖର୍ଚ୍ଚରେ ନଳକୂଅ ନିର୍ମାଣ କରିପାରିନାହାନ୍ତି। ସରକାରଙ୍କ ପକ୍ଷରୁ ୨ ଟି ନଳକୂଅ ରିହିଛି। ଯାହାକି ବସ୍ତିବାସୀଙ୍କ ସଂଖ୍ୟା ତୁଳନାରେ କମ୍। ଭୋର ୪ ଟାରୁ ମଧ୍ୟାହ୍‌ଣ ପର୍ଯ୍ୟନ୍ତ ନଳକୂଅ ପାଖରେ ଲମ୍ବା ଧାଡ଼ି ଲାଗୁଛି। ଅନ୍ୟ ପକ୍ଷରେ ଜଳସ୍ତର କମୁଥିବାରୁ ପାଣି ବାହାରୁନି। ଲୋକେ ପାଣି ମୁନ୍ଦାଏ ପାଇଁ ଅପେକ୍ଷା କରି ବସୁଛନ୍ତି। ୨୦୦୯ ମସିହାରେ ବସ୍ତି ରାସ୍ତା ଖୋଳା ହୋଇ ପାଣି ପାଇପ୍ ବିଛା ହୋଇଛି। ପ୍ରତ୍ୟେକଙ୍କ ଘରେ ଟ୍ୟାପ୍ ସଂଯୋଗ ମଧ୍ୟ ହୋଇଛି। କିନ୍ତୁ ପାଣି ଆସୁନାହିଁ।

ଏନେଇ ସ୍ଥାନୀୟ ଲୋକ କହିଛନ୍ତି, ଖରା ଚାରି ମାସ ପାଣି ପାଇଁ ଲୋକ ଡ଼ହଳ ବିକଳ ହେବେ। ଏହି ସମସ୍ୟା ଗତ ୪୦ ବର୍ଷରୁ ଅଧିକ ହେବ। କାମ କରିବାକୁ ଯିଏ ଯେଉଁଠି ଗଲେ ବି ପାଣି ଚିନ୍ତା କରିବାକୁ ପଡ଼ୁଛି। ପିଏଚ୍‌ଇଡ଼ି ପକ୍ଷରୁ ସିନ୍‌ଟ୍ୟାକ୍ସ୍ ଟାଙ୍କି ଲାଗିଛି। ଦୁଇ ଜଣ କର୍ମଚାରୀ ଆସୁଛନ୍ତି। ଲୋକ ଧାଡ଼ି ଲଗେଇ ଛିଡ଼ା ହୋଇଥିବେ ମନଇଚ୍ଛାରେ ବନ୍ଦ କରି ପଳେଇବେ। ଅଧିକ ଲୋକ ବ୍ୟବହାର ହେତୁ ଅଧିକାଂଶ ମସୟ ନଳକୂଅ ଖରାପ ହେଉଛି। ପାଣି ବ୍ୟବହାର କରୁଥିବା ଲୋକଙ୍କ ପାଖରୁ ଟଙ୍କା ସଂଗ୍ରହ କରାଯାଇ ନଳକୂଅ ମରାମତି କରାଯାଏ। ରାଜ୍ୟ ସରକାରଙ୍କ ପକ୍ଷରୁ ବସୁଧା ଯୋଜନା କରାଯାଇଥିଲା। ଲୋକଙ୍କୁ ଶୁଦ୍ଧ ପାଣି ମିଳିବ ବୋଲି। କିନ୍ତୁ ଏହା ଯୋଜନାରେ ସୀମିତ ରହିଛି।

ସମ୍ବନ୍ଧିତ ଖବର