ବିଜେପୁରକୁ ସରକାରଙ୍କ ପାଣି ଭେଟି

୪ ଗାଁକୁ ପାଣି ଯୋଗାଇବାକୁ ୫କୋଟି ୭୦ଲକ୍ଷ ଖର୍ଚ୍ଚ ହେବ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ନେଇ ବିଜେଡି ସରକାର ପୂରା ଦମ୍‌ ଲଗାଇ ଦେଲାଣି। ଭୋଟ୍‌ ହାତେଇବା ପାଇଁ ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ବିଜେପୁର ପାଇଁ ଘୋଷଣା ହେଉଛି। ଭୂତଳ ଜଳସେଚନ ଯୋଜନା ବିଜେପୁରରୁ ଆରମ୍ଭ କରିବା ନେଇ ଘୋଷଣା କରିବା ପରେ ଏବେ ପ୍ରତି ଗାଁକୁ ପିଇବା ପାଣି ଯୋଗାଇବାକୁ ଯୋଜନା ହୋଇଛି। ଏଥିରେ ପ୍ରଥମ ପର୍ଯ୍ୟାୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ବିଜେପୁର ନିର୍ବାଚନ ମଣ୍ଡଳୀର ୪ଟି ପ୍ରମୁଖ ଗାଁକୁ ‘ବସୁଧା’ ଯୋଜନାରେ ପିଇବା ପାଣି ଯୋଗାଇବାକୁ ପ୍ରକଳ୍ପ ପ୍ରସ୍ତୁତ କରିଛି। ଏହାକୁ ରାଜ୍ୟ ସରକାର ମଞ୍ଜୁର କରିଥିବାବେଳେ ଏଥିପାଇଁ ପ୍ରାୟ ୫କୋଟି ୭୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ ହୋଇଛି।

ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗର ଯୋଜନା ଅନୁଯାୟୀ, ବିଜେପୁର ବ୍ଲକର ଅଇମାଳ, ଭାଲୁଆପାଲିଏବଂ ବରପାଲି ବ୍ଲକର ଅଇଁଠାପାଲି, ଧୀରପୁର ଏବଂ ଏହା ପାଖଆଖ ଅଞ୍ଚଳକୁ ପାଇପ ପାଣି ଯୋଗାଣ ହେବ। ଏଥିପାଇଁ ଷ୍ଟେଟ୍‌ ପ୍ଲାନରେ ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ଖୁବ୍‌ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରି କାର୍ଯ୍ୟ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି। ଅଇମାଳ ଗାଁକୁ ପାଇପ ଜଳ ଯୋଗାଣ ପାଇଁ ୭୩ଲକ୍ଷ ୪୧ହଜାର ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିବାବେଳେ ଭାଲୁଆପାଲି ଗାଁ ପାଇଁ ୬୧ଲକ୍ଷ ୧୦ହଜାର ଟଙ୍କା, ଅଇଁଠାପାଲି ଗାଁ ପାଇଁ ୭୮ଲକ୍ଷ ୩୫ହଜାର ଟଙ୍କା ଏବଂ ଧୀରପୁର ଓ ଆଖପାଖ ଅଞ୍ଚଳ ପାଇଁ ୩କୋଟି ୫୭ଲକ୍ଷ ୯୦ହଜାର ଟଙ୍କା ଖର୍ଚ୍ଚ ଅଟକଳ ହୋଇଛି। ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗର ଯୋଜନା ଅନୁଯାୟୀ, ଯେଉଁ ଗାଁକୁ ଜଳ ଯୋଗାଣ ହେବ ସେହି ଗ୍ରାମ ପଞ୍ଚାୟତ ତାର ପାଣ୍ଠିରୁ ମୋଟ୍‌ ଖର୍ଚ୍ଚ ଅଟକଳର ୧୦% କିମ୍ବା ୧୦ଲକ୍ଷ ଟଙ୍କା ଯେଉଁଟି କମ୍‌ ହେବ ତାହା ଦେବ। ଯେଉଁ ସଂସ୍ଥା ଏଠାରେ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବ ସେହି ସଂସ୍ଥା ପ୍ରକଳ୍ପ ଆରମ୍ଭ ହେବାର ୫ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରିବ।

ସମ୍ବନ୍ଧିତ ଖବର