ପାନୀୟ ଜଳ ପ୍ରକଳ୍ପ ଅନୁଦାନ ହରିଲୁଟ୍‌; ଠିକାଦାର ମାଲାମାଲ, ପାଣି ପାଇଁ ଗ୍ରାମବାସୀ ଡହଳବିକଳ

ଯାଜପୁର : ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଅଂଶୁଘାତ ମୁକାବିଲା ପାଇଁ ଲୋକମାନଙ୍କୁ ସତର୍କ କରାଇବା ସହିତ ଆବଶ୍ୟକ ଜରୁରି ସେବା ଯୋଗାଇ ଦେବାକୁ ଜିଲ୍ଲାସ୍ତରୀୟ ବୈଠକରେ ପରାମର୍ଶ ଦେଉଛନ୍ତି। ଅଥଚ ଆରଡବ୍ଲୁଏସ୍‌ଏସ୍‌ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଓଭରହେଡ ଟ୍ୟାଙ୍କ ଜରିଆରେ ଗ୍ରାମାଞ୍ଚଳରେ ପାଇପ ପାଣି ଯୋଗାଣ ପାଇଁ ହୋଇଥିବା ଶତାଧିକ ପ୍ରକଳ୍ପ ଅଚଳ। ଏପରିକି ପ୍ରକଳ୍ପ ଆରମ୍ଭ ଦିନରୁ ପାଣି ବାହାରି ନାହିଁ। ଅଥଚ ଠିକାଦାର ବିଲ୍‌ ଉଠାଇ ନେଇ ଗଲେଣି। ଏବେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବାରୁ ଲୋକମାନେ ପିଇବା ପାଣି ପାଇଁ ନାହିଁ ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ୨୦୨୪ ସୁଦ୍ଧା ରାଜ୍ୟବାସୀଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଯାଜପୁର ଜିଲ୍ଲାରେ କାଗଜପତ୍ରରେ ଶତାଧିକ ଗ୍ରାମରେ ପିଇବା ପାଣି ପ୍ରକଳ୍ପ ହୋଇଥିବା ବିଭାଗୀୟ ଅଧିକାରୀ ଦର୍ଶାଉଥିବାବେଳେ ବାସ୍ତବରେ ଲୋକମାନେ ପାଣି ନପାଇ ଡହଳବିକଳ ହେଉଛନ୍ତି।

ରସୁଲପୁର ବ୍ଲକ୍ ନିକଟ ରାହାମ୍ବା ପଞ୍ଚାୟତ କୋଳଥଳ ପାନୀୟ ଜଳ ପ୍ରକଳ୍ପକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ୨୦୨୦ଏପ୍ରିଲ ୨୧ତାରିଖରୁ ଏହି ପ୍ରକଳ୍ପ ଶେଷ ହୋଇଛି। ମାତ୍ର, ଆଜି ପର୍ଯ୍ୟନ୍ତ ଲୋକମାନଙ୍କୁ ପାଣି ଯୋଗାଣ ହୋଇପାରି ନାହିଁ। ଏହି ପ୍ରକଳ୍ପ ବାବଦକୁ ୮୬ଲକ୍ଷ ୮୭ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୬୦ଲକ୍ଷ ୧୦ହଜାର ୪୩୫ଟଙ୍କା ବ୍ୟୟ ହୋଇଥିବାର ଦର୍ଶାଯାଇଛି। ୧ଲକ୍ଷ ଲିଟର ପାଣି ଯୋଗାଣ ପାଇଁ ଓଭରହେଡ ଟାଙ୍କି ହୋଇଛି। ମାତ୍ର ପ୍ରକଳ୍ପରେ ତାଲା ପଡ଼ିଛି। ଡିଏମ୍‌ଏଫ ଅନୁଦାନ‌ରୁ ଏହି ପ୍ରକଳ୍ପ ହୋଇଥିବାର ଆରଡବ୍ଲୁଏସଏସ ଡିଭିଜନ୍(ଚଣ୍ଡିଖୋଲ) ତଥ୍ୟରୁ ଜଣାପଡ଼ିଛି। ସେହିପରି ଧର୍ମଶାଳା ବ୍ଲକର ଅଣ୍ଟିଆ ପଞ୍ଚାୟତର ବାଉଁଶମୂଳି ଓ ସୁନ୍ଦରିଆ ପଞ୍ଚାୟତର ହରଦେଇପୁର ପ୍ରକଳ୍ପ ଅବସ୍ଥା ଶୋଚନୀୟ। ଦଶରଥୁପର ବ୍ଲକର ମଲ୍ଲିକାପୁର, ବଡ଼ଚଣାର ବିକ୍ରମତିରଣ ଓ ବାଲିପଡିଆ , କୋରେଇ ବ୍ଲକ୍ ଅନ୍ତର୍ଗତ ପାଟରଙ୍ଗା ପଞ୍ଚାୟତର ମଲ୍ଲାରିଆ ଗ୍ରାମର ପାନୀୟ ଜଳ ପ୍ରକଳ୍ପ ଲୋକଙ୍କ କାମରେ ଲାଗୁନାହିଁ।

ସମଗ୍ର ଜିଲ୍ଲାରେ ଏହିଭଳି ଶତାଧିକ ପ୍ରକଳ୍ପ ନିର୍ମ‌ାଣ ଶେଷ ହୋଇଯାଇଥିବାର ଦର୍ଶାଇ ଠିକାଦାର ଅର୍ଥ ନେଇ ଗଲେଣି। ଅଥଚ ଲୋକମାନେ ପ୍ରକଳ୍ପରୁ ପାଣି ପାଉନାହାନ୍ତି। ‌ଓଭରହେଡ ଟାଙ୍କି ବାବଦରେ କୋଟି କୋଟି ଟଙ୍କା ବିଲ୍ କରି ଠିକାଦାର ଓ ସମ୍ପୃକ୍ତ ଯନ୍ତ୍ରୀମାନେ ହଡ଼ପ କରିଛନ୍ତି। ଏପରିକି ପାଣି ବାହାରୁ ନଥିଲେ ହେଁ ପଞ୍ଚାୟତରୁ ଲକ୍ଷ ଲକ୍ଷ ଟଙ୍କା ପାନୀୟ ଜଳ ‌ପ୍ରକଳ୍ପ ନାମରେ ବିଦ୍ୟୁତ ବିଲ୍ ହଡ଼ପ କରାଯାଉଛି। ଏହାର ତଦନ୍ତ କରିବାକୁ ଅଡିଟ୍ ଟିମ୍ ଆସୁଥିଲେ ମଧ୍ୟ ଠିକାଦାରଙ୍କର ଅସାଧୁମେଣ୍ଟ ଖଳ ଲୋକଙ୍କୁ ଲଗାଇ ଗଣ୍ଡଗୋଳ କରି ସେମାନଙ୍କୁ ଫେରାଇ ଦେଉଥିବାର ବିଶେଷସୂତ୍ରରୁ ଖବର ମିଳିଛି। ଜିଲ୍ଲାରେ ପାନୀୟ ‌ଜଳ ଯୋଗାଣ କେଳେଙ୍କାରୀରେ କୋଟି କୋଟି ଟଙ୍କା ଅନୁଦାନ ହଡ଼ପ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ ତୁରନ୍ତ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର