ଭୁବନେଶ୍ବର: ରାଜ୍ୟରେ ପାନୀୟଜଳ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଅନ୍ୟପକ୍ଷରେ ଶହଶହ କୋଟି ଟଙ୍କାର ବୃହତ୍ ପାନୀୟଜଳ ପ୍ରକଳ୍ପ ବର୍ଷବର୍ଷ ହେଲା ଅଧାରେ ଆଣ୍ଠେଇଛି। ସବୁଠୁ ବଡ଼ କଥା ହେଲା, ଅଣଓଡ଼ିଆ ଠିକାଦାରଙ୍କ ମର୍ଜିରେ ପାନୀୟଜଳ ପ୍ରକଳ୍ପ ଚାଲିଛି। ସୀମିତ ସମୟ ମଧ୍ୟରେ ଉନ୍ନତମାନର ପ୍ରକଳ୍ପ କରିବା ପାଇଁ ଏକଦା ପ୍ରକଳ୍ପ ମୂଲ୍ୟଠାରୁ ଅଧିକ ମୂଲ୍ୟରେ ଟେଣ୍ଡର କରାଯାଇ ଅଣଓଡ଼ିଆ ଠିକାଦାରଙ୍କ ହାତକୁ ନିର୍ମାଣ କାମ ଟେକି ଦିଆଯାଇଥିଲା। ଏବେ କିନ୍ତୁ ତୃଣମୂଳସ୍ତରରେ ପ୍ରକଳ୍ପଗୁଡ଼ିକର ନିର୍ମାଣ କାମ ଆଗେଇ ପାରୁନାହିଁ। ପ୍ରକଳ୍ପରୁ ପାଣି ବାହାରୁ ନଥିବାରୁ ଲୋକମାନେ ପିଇବା ପାଇଁ ଡହଳବିକଳ ହେଉଛନ୍ତି।
ରାଜ୍ୟରେ ୨୦୭ଟି ବୃହତ୍ ପାନୀୟଜଳ ପ୍ରକଳ୍ପ ପାଇଁ ମୋଟ ୨୩ଟି ଠିକାସଂସ୍ଥାକୁ ଗତ ୧୦ବର୍ଷ ମଧ୍ୟରେ ଟେଣ୍ଡର ଦିଆଯାଇଛି। ଏଥି ମଧ୍ୟରୁ ୪ଜଣ ଓଡ଼ିଶା ଠିକାଦାରକୁ ମାତ୍ର ୨୮୪.୮୨କୋଟି ଟଙ୍କାର ୯ଟି ପ୍ରକଳ୍ପ ଦାୟିତ୍ବ ଦିଆଯାଇଛି। ଅବଶିଷ୍ଟ ୧୯୮ଟି ବୃହତ୍ ପାନୀୟଜଳ ପ୍ରକଳ୍ପ ୧୯ଟି ଅଣଓଡ଼ିଆ ଠିକାସଂସ୍ଥା ୩୪,୯୬୫ କୋଟି ୧୮ ଲକ୍ଷ ଟଙ୍କାର କାମ କରୁଛନ୍ତି। ଏହି ଅଣଓଡ଼ିଆ ଠିକାଦାରମାନେ ପ୍ରକଳ୍ପକୁ ଅଧାରେ ପକାଇ ସାମଗ୍ରୀ ନାମରେ ୮୦ଭାଗ ପ୍ରକଳ୍ପ ଅର୍ଥ ହାତେଇ ନେଇଛନ୍ତି। ହେଲେ ବର୍ଷବର୍ଷ ଧରି ନିର୍ମାଣ କାମ ଶେଷ କରାଯାଉନାହିଁ। ଫଳରେ ଲୋକେ ନାହିଁ ନଥିବା ଦୁର୍ଦଶାର ଶିକାର ହେଉଛନ୍ତି। ସମାନ୍ତରାଳ ଭାବେ ପ୍ରକଳ୍ପର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ୨୦୭ ପ୍ରକଳ୍ପ ପାଇଁ ୩୫,୨୫୦କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା।
୪ ଓଡ଼ିଆଙ୍କୁ ୨୮୫କୋଟି ଟଙ୍କାର କାମ ଦିଆଯାଇଛି
୧୯ଅଣଓଡ଼ିଆ ପାଇଛନ୍ତି ୩୪ହଜାର ୯୬୫କୋଟିର କାମ
ବ୍ୟୟ ଅଟକଳ ହୋଇଥିଲା ୩୫ହଜାର ୨୫୦କୋଟି
ଏବେ ଆହୁରି ଦରକାର ୨୧ହଜାର ୫୦୦କୋଟି
ନିର୍ମାଣ କାମ ଶେଷ ନହେବାରୁ ପୁଣି ୨୧,୫୦୦କୋଟି ଟଙ୍କା ଆବଶ୍ୟକ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରକାଶ କରିଛନ୍ତି। କାହାର ଭୁଲ୍ ପାଇଁ ରାଜ୍ୟ ରାଜକୋଷ ଉପରେ ଏତେ ବଡ଼ ଚାପ ପଡ଼ିଲା, ସେ ସଂକ୍ରାନ୍ତରେ କିନ୍ତୁ ଏଯାଏଁ ତନାଘନା ହୋଇନାହିଁ। ଏପରିକି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନଜିର ନାହିଁ। ସରକାର କେବଳ କହିଛନ୍ତି ଯେ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବେ ହେବ, କାହା ରିପୋର୍ଟ ଭିତ୍ତିରେ ହେବ, ତା’ ଉପରୁ ମଧ୍ୟ ପରଦା ହଟିନାହିଁ। ଉଦ୍ବେଗର ବିଷୟ ହେଉଛି, ପାନୀୟ ଜଳ ସମସ୍ୟା ନେଇ ସରକାର ଚିନ୍ତା ପ୍ରକାଶ କଲେଣି। ଅଥଚ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ଲାଗି ବିଭାଗୀୟ ତନାଘନା ନାହିଁ। ବରଂ ପୂର୍ବ ଭଳି ନିର୍ମାଣ କାମ ମନ୍ଥର ଗତିରେ ଚାଲିଛି। ଉଲ୍ଲେଖଥାଉକି, ଗତ ସରକାର ସମୟରେ ମଧ୍ୟ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ହେଲେ ସେମିତି କିଛି ବି ହେଲାନାହିଁ।
ପ୍ରଶ୍ନ ଉଠୁଛି, ଅତ୍ୟାବଶ୍ୟକ ସେବା ଯୋଗାଣରେ ଚୁକ୍ତିଭଙ୍ଗ କରିଥିବା ଠିକାଦାର ସଂସ୍ଥାଗୁଡ଼ିକ ବିରୋଧରେ ଫୌଜଦାରି ମାମଲା ରୁଜୁ କରିବା ଏବଂ କର୍ତ୍ତବ୍ୟରେ ଅବହେଳା କରିଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର କୁନ୍ଥକୁନ୍ଥ କାହିଁକି? ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଣରେ ଅବହେଳା କରୁଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପରିସ୍ଥିତିରେ ଉନ୍ନତି ଆସିବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି।