କାମରେ ଲାଗୁନି ପାନୀୟ ଜଳ ପ୍ରକଳ୍ପ, ପାଣି ପାଇଁ ଲୋକେ ହନ୍ତସନ୍ତ

ଧର୍ମଶାଳା : ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ଗଙ୍ଗାଧରପୁର ପଞ୍ଚାୟତ କଣିପାଟିଆ ଗ୍ରାମରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ସ୍ଥାନୀୟ ଅଞ୍ଚଳବାସୀଙ୍କ କାମରେ ଲାଗୁନଥିବା ଅଭିଯୋଗ ହୋଇଛି। ଏବେଠାରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ଲୋକମାନେ ପାଣି ମୁନ୍ଦେ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ପାନୀୟ ଜଳ ପ୍ରକଳ୍ପ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନଥିବାରୁ ବହୁଦିନ ହେଲା ନିକଟସ୍ଥ ଗଙ୍ଗାଧରପୁର, କଣିପାଟିଆ ଓ ନୂଆଗାଁ ମୌଜାର ୬ଟି ୱାର୍ଡବାସୀ ପାଇପ୍ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି।

ପ୍ରକାଶ ଯେ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପ୍ରାୟ ୬୯ଲକ୍ଷ ଟଙ୍କା ବ୍ୟୟରେ କଣିପାଟିଆ ଗ୍ରାମରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲା। ୨୦୧୯ ମସିହା ଅଗଷ୍ଟ ୨୯ ତାରିଖରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ଏଠାରେ ବୋରିଂ, ଓଭରହେଡ୍ ପାଣିଟାଙ୍କି, ବିଦ୍ୟୁତ୍ ସଂଯୋଗ, ପାଇପ୍ ବିଛାଯିବା ସହିତ ଘର ଆଦି ନିର୍ମାଣ କରାଯାଇଥିଲା। ହେଲେ ୨ବର୍ଷ ହେଲା ପିଇବା ପାଣି ଲୋକମାନଙ୍କ ନିକଟରେ ପହଞ୍ଚି ପାରୁନାହିଁ। ରାଜ୍ୟ ସରକାର ସମସ୍ତଙ୍କ ଘରକୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଇ ଦେବାପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ହେଲେ ଏଠାକାର ଲୋକେ ଏହି ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। କେବଳ କଣିପାଟିଆ ଗ୍ରାମର କିଛି ଅଞ୍ଚଳକୁ ପାଣି ଯାଉଥିବା ବେଳେ ନୂଆଗାଁ ଓ ଗଙ୍ଗାଧରପୁର(ବଙ୍ଗାଳିସାହି)କୁ ଆଦୌ ପାଣି ଯାଉନାହିଁ। ପଞ୍ଚାୟତ ଅଫିସ୍‌ ଓ ପଳାଶବୁଢ଼ୀ ମନ୍ଦିର ନିକଟରେ ପାଣି ସଂରକ୍ଷଣ ପାଇଁ ୨ଟି ଛୋଟ ଟାଙ୍କି ହୋଇଛି। ଅନ୍ୟ ସ୍ଥାନରେ କୌଣସି ବ୍ୟବସ୍ଥା କରାଯାଇନାହିଁ। ଏପରିକି ଅଧିକାଂଶ ଘର ନିକଟକୁ ପାଇପ୍ ସଂଯୋଗ ଦିଆଯାଇନଥିବା ଅଭିଯୋଗରେ ଦର୍ଶାଯାଇଛି।

ଏସଂପର୍କରେ ଲୋକମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ପଞ୍ଚାୟତିରାଜ ବିଭାଗ ଏହି କାମ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ବୋଲି କହୁଥିବା ବେଳେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଏହା ପଞ୍ଚାୟତିରାଜ ବିଭାଗର ବୋଲି ସଫେଇ ଦେଉଛି। ଦୁଇ ବିଭାଗର କାଦୁଅ ଫିଙ୍ଗା ମଧ୍ୟରେ ୬ଟି ୱାର୍ଡର ୩ ହଜାରରୁ ଅଧିକ ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏପଟେ ଦାୟିତ୍ବରେ ଥିବା ଠିକାଦାର ଏହି ପ୍ରକଳ୍ପକୁ ଅଧାପନ୍ତରିଆ ଭାବେ ପକାଇ ରଖି ଲକ୍ଷଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲାପାଳ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର