ଆଠଗଡ଼: ଏକ ବୃହତ୍ ପାନୀୟ ଜଳ ପ୍ରକଳ୍ପର ପାଇପ୍ ଚୋରି କରି ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଥିବା ବେଳେ ଆଠଗଡ଼ ପୁଲିସ ୫ଜଣଙ୍କୁ ଗିରଫ କରିଛି। ଗ୍ୟାଙ୍ଗର ଅନ୍ୟ ୫/୬ଜଣ ଲୁଟେରା ଫେରାର୍ ହୋଇଯାଇଛନ୍ତି। ସେମାନଙ୍କର ୨ଟି ଆଇଚର୍ ଟ୍ରକ୍ ଓ ଗୋଟିଏ କାର୍ ଜବତ କରାଯାଇଛି। ସୂଚନା ମୁତାବକ, ଗତ ୯ତାରିଖ ରାତିରେ ଆଠଗଡ଼ ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ କନ୍ଦରପୁରସ୍ଥିତ ବୃହତ୍ ପାନୀୟଜଳ ପ୍ରକଳ୍ପରୁ ପାଇପ୍ ଚୋରି ହେଉଥିବା ଖବର ପାଇଥିଲେ। ତୁରନ୍ତ ପାଟ୍ରୋଲିଂ ଭ୍ୟାନ୍ ସେଠାରେ ପହଞ୍ଚି ୧୦/୧୨ ଜଣ ଏହି କାର୍ଯ୍ୟରେ ଲିପ୍ତ ଥିବା ଦେଖିବାକୁ ପାଇଥିଲେ। ପୁଲିସ ଟିମ୍ ସେମାନଙ୍କ ପରିଚୟ ମାଗିବାରେ ଉକ୍ତ ଯୁବକମାନେ ଯୁକ୍ତିତର୍କ କରିଥିଲେ ଏବଂ ପରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ସେମାନଙ୍କ ଭିତରୁ କିଛିଜଣ ଏହି ସୁଯୋଗରେ କାର୍ରେ ବସି ଖସି ପଳାଇଥିଲେ। ପୁଲିସ ୫ଜଣ ଯୁବକ ଓ ଦୁଇଟି ଆଇଚର୍ ଗାଡ଼ି ଜବତ କରି ଥାନାକୁ ଆଣିଥିଲା। ଏହା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଖସିଯାଇଥିବା କାର୍ଟିକୁ ମଧ୍ୟ ଜବତ କରିଥିଲା।
କଟକ ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂହ ଏକ ସାମ୍ବାଦିକ ସମ୍ମଳିନୀରେ ସୂଚନା ଦେଇଛନ୍ତି ଯେ, ବାହାର ରାଜ୍ୟରୁ ଲୋଡିଂ ନେଇ ଆସୁଥିବା ଗାଡ଼ିଗୁଡ଼ିକ ଟ୍ରାନ୍ସପୋର୍ଟ ଏଜେନ୍ସିକୁ ବ୍ୟବହାର କରି ଏଭଳି ଚୋରି ଜିନିଷ ନେଉଛନ୍ତି। ଦୁଇଟି ଆଇଚର୍ ଟ୍ରକ୍ ମହାରାଷ୍ଟ୍ରର। ଗୋଟିକରେ ୧୪ଟି ପାଇପ୍ ଓ ଅନ୍ୟଟିରେ ୩ଟି ପାଇପ୍ ବୋଝେଇ ହୋଇଥିଲା। ଗିରଫ ହୋଇଥିବା ୫ଜଣଙ୍କ ନିକଟରୁ ୩ଟି ମୋବାଇଲ୍ ଫୋନ୍ ଓ ପରିଚୟପତ୍ର ଜବତ ହୋଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ। ଟ୍ରାନ୍ସପୋର୍ଟ ଏଜେନ୍ସି ବିଷୟରେ ତଦନ୍ତ କରାଯିବା ସହ ଅନ୍ତଃରାଜ୍ୟ ଗ୍ୟାଙ୍ଗର ନେଟ୍ୱର୍କ ଖୋଳତାଡ଼ କରାଯିବ ବୋଲି ଶ୍ରୀ ସିଂହ କହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ମନୋଜ ସିଂହ, ମୁକେଶ ସିଂହ, ଅମିତ ସିଂହ, ଆଠଗଡ଼ର ମନୋଜ ଦେହୁରୀ ଓ ରାଜେନ୍ଦ୍ର ମହାନ୍ତି। ମନୋଜ ଦେହୁରୀ ନାମରେ ଆଠଗଡ଼ ଥାନାରେ ଦୁଇଟି ଓ ଖୁଣ୍ଟୁଣୀ ଥାନାରେ ୩ଟି ମାମଲା ଥିଲାବେଳେ ରାଜେନ୍ଦ୍ର ନାମରେ ମଧ୍ୟ ଅଭିଯୋଗ ରହିଛି। ଆଠଗଡ଼ ଏସ୍ଡିପିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ବିଶ୍ବଜିତ୍ ମହାନ୍ତି, ଆଠଗଡ଼ ଆଇଆଇସି ସୁମତି ମହାନ୍ତି ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/05/12/11m0Pn66VjjsKWPOVuzU.jpg)