ଯାଜପୁରରେ ପାନୀୟଜଳ ପ୍ରକଳ୍ପ କେଳେଙ୍କାରୀ: ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର: ଯାଜପୁର ଆରଡବ୍ଲ୍ୟୁଏସ୍ଏସ୍ ଡିଭିଜନରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଅଥଚ କେଉଁଠି ତାହା ଅଚଳ ତ ଆଉ କେଉଁଠି ପାଣି ଗୋଳିଆ। ଗତ ମାର୍ଚ୍ଚ ୨୪ ତାରିଖରେ ‘କୋଟିକୋଟି ଟଙ୍କା ଖର୍ଚ୍ଚ ପ୍ରକଳ୍ପରେ ପାଣି ନାହିଁ’ ସଂକ୍ରାନ୍ତରେ ‘ସମ୍ବାଦ’ରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ଗୁରୁତ୍ବର ସହ ନେଇ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ତଦନ୍ତ ( ୨-୪-୨୦୨୨ରେ ଚିଠି ସଂଖ୍ୟା -୨୭୩୦ରେ) ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ କରି ୭ ଦିନ ମଧ୍ୟରେ ତଥ୍ୟ ଦେବାସହ ଆବଶ୍ୟକ ପଦେକ୍ଷେପ ନେବାପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀଙ୍କୁ କୁହାଯାଇଛି।

ଅଭିଯୋଗ ଅନୁସାରେ, ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକର ମାଣ୍ଡୁକା ଗ୍ରାମପଞ୍ଚାୟତର ପଦ୍ମନାଭପୁର, ବିକ୍ରମତିରଣ ଗ୍ରାମପଞ୍ଚାୟତ, ଚାରିନଙ୍ଗଳ ଗ୍ରାମପଞ୍ଚାୟତର ଗହରନଗର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣରେ କୋଟିକୋଟି ଟଙ୍କା ସରକାରୀ ଅନୁଦାନ ଖର୍ଚ୍ଚ କରାଯାଇଛି। ଏସବୁ ଲୋକଙ୍କ କାମରେ ଲାଗୁନି। ଏଥିରୁ ବାହାରୁଥିବା ପାଣି ଲୁଣା ଓ କ୍ଷାରଯୁକ୍ତ। ଏହି ପାଣି କିଛି ସମୟ ରହିଗଲେ ଉପରେ ହଳଦିଆ ରଙ୍ଗର ଆସ୍ତରଣ ପଡ଼ିଯାଉଛି। ନିୟମ ମୁତବକ ପାଣିର ମାନ ପରୀକ୍ଷା କରି ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯିବା କଥା। ଏଠାରେ ପାଣିର ମାନ ପରୀକ୍ଷା ନକରି ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି।

ସେହିଭଳି, ଏହି ବ୍ଲକ୍‌ର ଅଣକା ଗ୍ରାମପଞ୍ଚାୟତ ଓ ଦର୍ପଣ ଗ୍ରାମପଞ୍ଚାୟତର ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେବା ଦିନଠାରୁ ଅଚଳ। ଏହି ପ୍ରକଳ୍ପଗୁଡ଼ିକ ଚଳେଇବା ପାଇଁ ପଞ୍ଚାୟତ ତରଫରୁ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କୁ ବିଲ୍‌ କରି ଅର୍ଥ ପୈଠ କରାଯାଉଛି। ଏହାର ନିର୍ମାଣରେ ବ୍ୟାପକ ଅନିୟମିତତା କରାଯାଇଛି। ପାଇପ୍‌ ବିଛେଇବା କାମ ଠିକ୍‌ ଭାବେ ହୋଇନଥିବାବେଳେ ବ୍ୟବହୃତ ସିମେଣ୍ଟ, ଲୁହାଛଡ଼, ପାଇପ୍‌ ଆଦି ସରକାରୀ ଅନୁମୋଦିତ ନୁହେଁ। ନିର୍ମାଣ କାର୍ଯ୍ୟ ଏତେ ନିମ୍ନମାନର ହୋଇଛି ଯେ ବିକ୍ରମତିରଣ ପଞ୍ଚାୟତରେ ନିର୍ମାଣ ହୋଇଥିବା ଟାଙ୍କି ଚାରିପାଖରୁ ପାଣି ବହୁଛି। ଜିଲ୍ଲାରେ ଅନେକ ପ୍ରକଳ୍ପ ଏଭଳି ଅଚଳ ଓ ଏଥିରୁ ବାହାରୁଥିବା ପାଣି ପିଇବାଯୋଗ୍ୟ ନୁହେଁ। କୋଟିକୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ହୋଇଥିଲେ ମଧ୍ୟ ତାହା ଲୋକଙ୍କ ବ୍ୟବହାରରେ ଲାଗୁନାହିଁ।

ସମ୍ବନ୍ଧିତ ଖବର