ପାନୀୟ ଜଳ ସମୀକ୍ଷା ପରେ ମନ୍ତ୍ରୀଙ୍କ ନିର୍ଦେଶ, ସଦର ମହକୁମା ଛାଡ଼ିପାରିବେନି ଅଧିକାରୀ

ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ଅଭିଯୋଗ ନମ୍ବର ଜାରି

ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକେ ଯେପରି ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗୁରୁତ୍ବାରୋପ କରାଯାଇଛି। ବିଭାଗ ଅଧୀନରେ କାର୍ଯ୍ୟରତ ତଥା ଦାୟିତ୍ବରେ ଥିବା ଅଧିକାରୀମାନେ ବିନା ଅନୁମତିରେ ସଦର ମହକୁମା ଛାଡ଼ିପାରିବେ ନାହିଁ। ଗ୍ରାମାଞ୍ଚଳରେ ଯେଉଁ ନଳକୂପ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇ ପଡ଼ିଥିବ ସେହି ସବୁ ସ୍ଥାନରେ ନୂତନ ନଳକୂପ ସ୍ଥାପନ କରାଯିବ। ଏନେଇ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି। ଜଳକ୍ଳିଷ୍ଟ, ନୂତନ ଭାବେ ଗଢ଼ିଉଠିଥିବା ପଡ଼ାଗ୍ରାମ ଓ ୭୦ରୁ ଅଧିକ ଜନସଂଖ୍ୟା ପାଇଁ ଗୋଟିଏ ନୂତନ ନଳକୂପ ସ୍ଥାପନ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ନିର୍ଦେଶ ଦେଇଛନ୍ତି।

ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଜଳକ୍ଳିଷ୍ଟ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ନେଇ ମନ୍ତ୍ରୀ ଶ୍ରୀ ଜେନା ଆଜି ସମୀକ୍ଷା କରିବା ପରେ କହିଛନ୍ତି ଯେ ସୌରଚାଳିତ ନଳକୂପଗୁଡ଼ିକୁ ୧୫ ଦିନ ମଧ୍ୟରେ ମରାମତି କରି କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି। ପ୍ରତି ଗ୍ରାମ ପଞ୍ଚାୟତ, ବ୍ଲକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ ମରାମତି, ରକ୍ଷଣାବେକ୍ଷଣ ତଥା ତଦାରଖ ପାଇଁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ପ୍ରତି ଶନିବାର ବ୍ଲକସ୍ତରରେ ଓ ମଙ୍ଗଳବାର ଜିଲ୍ଲାସ୍ତରରେ ସମୀକ୍ଷା କରାଯିବ। ଗ୍ରାମାଞ୍ଚଳରେ ଜଳଯୋଗାଣ ସମସ୍ୟା ଜନିତ ଅଭିଯୋଗ ପାଇଁ ଦେୟମୁକ୍ତ ୧୯୧୬ ନମ୍ବରରେ ଅଭିଯୋଗ କରିପାରିବେ।

ରାଜ୍ୟର ୧୧୪ଟି ସହରାଞ୍ଚଳ ମଧ୍ୟରୁ ଆଜି ସୁଦ୍ଧା ୯୪ଟି ସହରାଞ୍ଚଳରେ ୬୫୦ଟି ଜଳକ୍ଳିଷ୍ଟ ସ୍ଥାନକୁ ଚିହ୍ନଟ କରାଯାଇଛି। ସହରାଞ୍ଚଳରେ ଥିବା ୩୬ ହଜାର ୯୩୨ଟି ନଳକୂପକୁ କାର୍ଯ୍ୟକ୍ଷମ କରାଯାଇଛି। ଆବଶ୍ୟକ ସ୍ଥଳେ ଜରୁରୀ ମରାମତି କରାଯାଇ ଜଳ ଯୋଗାଣ ଅବ୍ୟାହତ ରଖିବାକୁ ୧୬୧ଟି ଭ୍ରାମ୍ୟମାଣ ଦଳ ନିୟୋଜିତ ହୋଇଛନ୍ତି। ୧୫୬ଟି ନିୟନ୍ତ୍ରଣ କକ୍ଷ ଓ ମୋ ସରକାର କେନ୍ଦ୍ର ସ୍ଥାପନ କରାଯାଇ ପାନୀୟ ଜଳ ସମ୍ପର୍କରେ ଅଭିଯୋଗ ଗ୍ରହଣ ଓ ୨୪ ଘଣ୍ଟା ମଧ୍ୟରେ ସମାଧାନ ବ୍ୟବସ୍ଥା ହୋଇଛି। ସହରାଞ୍ଚଳରେ ପାନୀୟ ସମ୍ପର୍କିତ ସମସ୍ୟା ବା ଅଭିଯୋଗ ନିମନ୍ତେ ୧୫୫୩୫୯ ଏବଂ ୧୮୦୦୩୪୫୬୭୮୪୩ ଦୁଇଟି ଦେୟମୁକ୍ତ ଟେଲିଫୋନ୍‌ ନମ୍ବର ଜାରି ହୋଇଛି। ଗ୍ରୀଷ୍ମ ସମୟରେ ଜଳଯୋଗାଣ କାର୍ଯ୍ୟରେ କୌଣସି ପ୍ରକାର ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର