ବାଲୁଗାଁରେ ପାଇପ ଜଳ ଯୋଗାଣ ବନ୍ଦ, ଚାରି ମାସ ହେଲା ଲୁଣି ପାଣି ପିଉଛନ୍ତି ଲୋକେ

ବାଲୁଗାଁ : ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ୩ଟି ୱାର୍ଡର ଲୋକେ ବର୍ଷା ଦିନେ ପିଇବା ପାଣି ଟୋପାଏ ପାଇଁ ଡହଳବିକଳ ହେଉଛନ୍ତି। ଗ୍ରୀଷ୍ମଦିନେ ଜଳାଭାବ ସଙ୍କଟ ସାଧାରଣତଃ ଦେଖା ଦେଇଥାଏ। ମାତ୍ର ବର୍ଷା ଋତୁରେ ବାଲୁଗାଁ ଏନଏସିର ୯ ,୧୦ ଓ ୧୧ନମ୍ବର ୱାର୍ଡ଼ ତଥା କୁଲାକୁଣ୍ଢେଇ ନୂଆଗାଁ, ରାମପୁର ଓ ସରଳାପଦର ଅଞ୍ଚଳର ଲୋକେ ଗତ ୪ ମାସ ହେବ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣି ପାଇ ପାରୁ ନାହାଁନ୍ତି।ଏହି ସବୁ ଅଞ୍ଚଳକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ସଂପୂର୍ଣ୍ଣ ରୁପେ ବନ୍ଦ ହୋଇଯାଇଛି। ଫଳରେ ଲୋକେ ବାଧ୍ୟବାଧକତାରେ ଲୁଣିଆ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ଅପରପକ୍ଷେ, ଷ୍ଟେସନ ରୋଡ଼୍‌ର କେତେକ ଘର ମାଲିକ ସେମାନଙ୍କ ଘରେ ଭଡ଼ାରେ ରହୁଥିବା ଶତାଧିକ ଲୋକଙ୍କ ପାଇଁ ବେଆଇନ ଭାବେ ବଡ଼ ପାଣି ମୋଟର ଲଗାଇ ପାଣି ଟାଣି ନେଉଥିବା ଯୋଗୁଁ ନୂଆଗାଁ ଗ୍ରାମକୁ ପାଣି ଯାଉନଥିବା ବିଭାଗୀୟ କର୍ମଚାରୀ କହୁଥିଲେ ମଧ୍ୟ ଏହାକୁ ‌ ରୋକିବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି।

ପ୍ରକାଶ ଥାଉ କି, ବାଲୁଗାଁ ଅ‌ଞ୍ଚଳ ଚିଲିକା ତଟବର୍ତ୍ତୀ ହୋଇଥିବା ଯୋଗୁଁ ଏଠାକାର ପାଣି ଖାରଯୁକ୍ତ ହୋଇଥାଏ। ଯାହା ଫଳରେ ଏହା ପାନୀୟ ଅନୁପଯୋଗୀ। ଏଥିପାଇଁ ୧୦ବର୍ଷ ତଳେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ ଯୋଗେ ପାନୀୟ ଜଳଯୋଗାଣ କରାଯାଇଥିଲା। ତେବେ ଗତ କିଛି ବର୍ଷ ଧରି ହାଇସ୍କୁଲ ରୋଡ଼, ରାମପୁର, କୁଲାକୁଣ୍ଢେଇ ନୂଆଗାଁ ଓ ସରଳାପଦର ଅଞ୍ଚଳକୁ ଦିନେ ଛଡ଼ା ଦିନେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା। ବର୍ତ୍ତମାନ କୁଲାକୁଣ୍ଢେଇ ନୂଆଗାଁକୁ ୪ମାସ ହେଲା ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହାର କାରଣ ନେଇ ବିଭାଗୀୟ କର୍ମଚାରୀଙ୍କୁ ପଚାରିବାରୁ ସେମାନେ କହୁଛନ୍ତି ଯେ, ରାସ୍ତା କଡ଼ରେ ଥିବା ଉଚ୍ଚ ଅଟାଳିକାର ମାଲିକମାନେ ଭଡ଼ାରେ ଲଗାଇଥିବା ଗୃହର ଶତାଧିକ ଲୋକଙ୍କ ନିମନ୍ତେ ବେଆଇନ ଭାବେ ବଡ଼ ବଡ଼ ପାଣି ପମ୍ପ୍‌ ଲଗାଇ ପାଣି ଟାଣି ନେଉଛନ୍ତି। ଫଳରେ ନିକଟରେ ଥିବା ଗ୍ରାମ ମଧ୍ୟକୁ ପାଣି ଯାଇପାରୁନାହିଁ।

ସୂଚନାଯୋଗ୍ୟ ଯେ, ଏହି ଅ‌ଞ୍ଚଳର ପାଣି ଲବଣାକ୍ତ ହୋଇଥିବାରୁ ନଳକୂପ କିମ୍ବା କୂଅର ପାଣି ପାନୀୟ ଉପଯୋଗୀ ନୁହେଁ। ସେଥିପାଇଁ ଜନସାଧାରଣ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ଉପରେ ସର୍ବଦା ନିର୍ଭର କରିଥାନ୍ତି। ତେବେ ୪ମାସ ହେଲା ପାନୀୟ ଜଳ ନ ପାଇ ଲୋକେ ବାଧ୍ୟ ହୋଇ ଲବଣାକ୍ତ କୂଅର ଜଳକୁ ବ୍ୟବହାର କରୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ବ ଦେଉ ନ ନାହାଁନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଗାନ୍ଧୀ ଛକ ଏବଂ ଚିଲିକା ରୋଡ଼୍‌ରେ ଥିବା ହୋଟେଲ ଏବଂ ଲଜିଂ ମାଲିକମାନେ ବିଭାଗୀୟ ଯନ୍ତ୍ରୀଙ୍କୁ ହାତ କରି ସର୍ବଦା ପାନୀୟ ଜଳ ପାଉଥିବା ବେଳେ ଏହି ୩ଟି ୱାର୍ଡ଼ର ୬ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ପାନୀୟ ଜଳରୁ ବ‌ଞ୍ଚିତ ହେଉଛନ୍ତି। ଏନେଇ କନିଷ୍ଠ ଯନ୍ତ୍ରୀ ନରୋତ୍ତମ ବେହେରାଙ୍କୁ ପଚାରିବାରୁୁ ସେ କହିଥିଲେ ଯେ, ଲୋକେ ପାଣି ନ ପାଇଲେ ସେ କିଛି କରି ପାରିବେ ନାହିଁ। ଅପରପକ୍ଷେ ବେଆଇନ୍‌ ପାଇପ ସଂଯୋଗ ଓ ପମ୍ପ ଲଗାଇ ପାଣି ଟଣାଯାଉଥିବା ପ୍ରସଙ୍ଗରେ ସେକୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ।

ସମ୍ବନ୍ଧିତ ଖବର