ପାଣି ବଣ୍ଟାରେ ୩୩ କୋଟିର ଘୋଟାଲା : ବାଇକ୍‌ରେ ବୁହା ହୋଇଛି ହଜାର ହଜାର ଲିଟର ପାଣି!

ପୁରୀ : ପାଣି ବଣ୍ଟାରେ ବି ଘୋଟାଲା। ଗାଁ ଗହଳିରେ ଖରାଦିନେ ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ପାଣି ନବାଣ୍ଟି ମିଛ ବିଲ୍‌ କରାଯାଇଛି। ମଟର ସାଇକେଲରେ ହଜାର ହଜାର ଲିଟର ପାଣି ବାଣ୍ଟିଥିବା ଦର୍ଶାଇ ପୁରୀ ଜିଲ୍ଲାର ୧୧ଟି ବ୍ଲକରେ ୩୩ କୋଟିରୁ ଅଧିକ ଟଙ୍କା ଚଳୁ କରି ଦିଆଯାଇଛି। ପଞ୍ଚାୟତସ୍ତରରେ ଏଭଳି ସାଂଘାତିକ ଦୁର୍ନୀତି ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ପୁରୀ ଜିଲ୍ଲା ଆଳସାହି ପଞ୍ଚାୟତରେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଲୋକଙ୍କୁ ପାଣି ବାଣ୍ଟିବାକୁ ନିର୍ଦ୍ଦେଶ ଆସିଥିଲା। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଡିଭିଜନ୍‌ ପକ୍ଷରୁ ପଞ୍ଚାୟତ ମାଧ୍ୟମରେ ପାଣି ବଣ୍ଟନ କରାଯାଇଥିବା ବେଳେ ଏହି ସମୟ ମଧ୍ୟରେ ମୋଟ ୩୩ କୋଟି ୫୫ ଲକ୍ଷ ୩୭ ହଜାର ୧୭୬ ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଖର୍ଚ୍ଚ ପାଣି ବଣ୍ଟନ ବାବଦ ଗାଡ଼ି (ଟାଟା ଏସି, ଟ୍ରାକ୍ଟର) ଭଡ଼ା ବାବଦରେ ଦିଆଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। ମାତ୍ର ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏଥିରେ ବିରାଟ ‌ଘୋଟାଲା ଧରାପଡ଼ିଛି। ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ମୁତାବକ, ଏହି ପଞ୍ଚାୟତରେ ଓଡ଼ି-୦୨ଏଫ-୬୯୧୬ ନମ୍ବର ଟ୍ରାକ୍ଟରରେ ପାଣି ବୁହାଯାଇଥିବା ଦର୍ଶାଯାଇଛି। ମାତ୍ର ଗାଡ଼ି ନମ୍ବର ଯାଞ୍ଚ ବେଳେ ତାହା ଏକ ହିରୋ ମଟର ସାଇକେଲ ବୋଲି ଜଣାପଡ଼ିଛି। ସେହିପରି ଗାଡ଼ି ନଂ ଓଡ଼ି-୦୨ଏଫ-୦୯୧୬ ଟ୍ରାକ୍ଟର ବୋଲି ଦର୍ଶାଯାଇଥିବା ବେଳେ ଏହା ଏକ ହିରୋ ପାସନ୍‌ ପ୍ରୋ ମଟର ସାଇକେଲ ବୋଲି ଜଣାପଡ଼ିଛି।

କେବଳ ଏହି ଗୋଟିଏ ପଞ୍ଚାୟତ ନୁହେଁ, ଜିଲ୍ଲାର ୯୦ ପ୍ରତିଶତ ପଞ୍ଚାୟତରେ ପାଣି ବଣ୍ଟନ ନାଁ’ରେ ଜାଲିଆତି କରାଯାଇଥିବା ସୂଚନା ମିଳିଛି। ପାଟଳଦା ପଞ୍ଚାୟତରେ ଟାଟା ଏସି ଗାଡ଼ି ନିୟୋଜିତ ହୋଇଥିବା ଦର୍ଶାଯାଇଥିବା ବେଳେ ତାହା ବି ଏକ ମଟର ସାଇକେଲ। ସେହିପରି କୋରଣା ପଞ୍ଚାୟତରେ ପାଣି ଯୋଗାଣ ପାଇଁ ନିୟୋଜିତ ଗାଡ଼ିର ତଥ୍ୟ ମିଳୁନାହିଁ। ସବୁଠୁ ମଜା କଥା ହେଉଛି, ପାଣି ବୁହାରେ ଲାଗିଥିବା ଟ୍ରାକ୍ଟର, ଟାଟା ଏସି ଗାଡ଼ିଗୁଡିକର ନମ୍ବର ଯାଞ୍ଚ କରିବା ବେଳେ ସେଗୁଡିକ ହୋଣ୍ଡା ସାଇନ୍‌ ମଟର ସାଇକେଲ, ଆକ୍ଟିଭା ସ୍କୁଟର ବୋଲି ଜଣାପଡ଼ିଛି। ସେହିପରି ପୁରୀ ସଦର ବ୍ଲକ କାଶିହରିପୁର ପଞ୍ଚାୟତକୁ ଡେଲାଙ୍ଗ ବ୍ଲକରେ ଦର୍ଶାଯାଇଛି। ଭାଇଲିପୁର ପଞ୍ଚାୟତରେ ପାଣି ବଣ୍ଟାଯାଇଥିବା ରେକର୍ଡ କହୁଥିବା ବେଳେ ଗାଁ‌ ଲୋକେ ପାଣି ପାଇନାହାନ୍ତି। ସୂଚନା ଅଧିକାର ଆଇନ୍‌ରେ ମିଳିଥିବା ତଥ୍ୟ ମୁତାବକ ମଟର ସାଇକେଲ, ବୋଲେରୋ ଗାଡ଼ିରେ ପାଣି ବଣ୍ଟନ କରାଯାଇଥିବା ଦର୍ଶାଇ ବିପୁଳ ଟଙ୍କା ହଡ଼ପ କରାଯାଇଥିବା ସୂଚନା ଅଧିକାର କର୍ମୀ ତଥା ଆଇନଜୀବୀ ଚିନ୍ମୟ ଦାଶ କହିଛନ୍ତି। ପାଣି ବଣ୍ଟନ ଦୁର୍ନୀତି ସମ୍ପର୍କରେ କଂଗ୍ରେସ ନେତା ସୁଜିତ ମହାପାତ୍ର କହିଛନ୍ତି, ଗାଁ ଲୋକଙ୍କୁ ପାନୀୟ ଜଳ ଯୋଗାଇବା ଦାୟିତ୍ବ ସରକାରଙ୍କର। ହେଲେ ଏହାକୁ କେହି ତଦାରଖ କରୁନାହାନ୍ତି। ଗାଁ ଲୋକଙ୍କ ପାଖରେ ପାଣି ପହଞ୍ଚୁନାହିଁ, କିନ୍ତୁ ବିଲ୍‌ କରି ଟଙ୍କା ହଡ଼ପ କରାଯାଉଛି। ଏହାର ସ୍ବତନ୍ତ୍ର ଅଡ଼ିଟ୍‌ କରାଗଲେ ବହୁ ନେତା ଓ ଅଫିସରଙ୍କ ଅସଲ ଚେହେରା ପଦାରେ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର