୨୦୨୪ ସୁଦ୍ଧା ସମସ୍ତ ଘରକୁ ପାଇପ୍‌ ପାନୀୟ ଜଳ: କେନ୍ଦ୍ରମନ୍ତ୍ରୀ

ଜଳ-ଜୀବନ-ମିଶନ୍‌ ଆଞ୍ଚଳିକ କର୍ମଶାଳାରେ ୬ ରାଜ୍ୟର ପ୍ରତିନିଧି, ୫ ବର୍ଷରେ ଲକ୍ଷ୍ୟ ୧୫ କୋଟି ପରିବାର, ଖର୍ଚ୍ଚ ହେବ ୩ ଲକ୍ଷ ୬୦ ହଜାର କୋଟି

ପୁରୀ : ୨୦୨୪ ସୁଦ୍ଧା ସମସ୍ତଙ୍କ ଘରେ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବ। ଆସନ୍ତା ୫ ବର୍ଷ ଭିତରେ କେନ୍ଦ୍ର ସରକାର ଏହି ଲକ୍ଷ୍ୟ ପୂରଣ କରିବେ। ଦେଶର ପ୍ରାୟ ୧୪ କୋଟି ୬୦ ଲକ୍ଷ ପରିବାରକୁ ଜଳ-ଜୀବନ-ମିସନ୍‌ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଆଜି ପୁରୀଠାରେ ଆୟୋଜିତ ଏକ କର୍ମଶାଳାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି।

ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ହୋଟେଲ ମେ ଫେୟାରଠାରେ ଆୟୋଜିତ ଆଞ୍ଚଳିକ କର୍ମଶାଳାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ କହିଥିଲେ, ସଂପ୍ରତି ବିଶ୍ବ ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ସାଙ୍ଗକୁ ଭୂତଳ ଜଳସ୍ତର ହ୍ରାସ ପାଉଛି। ଯାହା ମାନବ ସମାଜ ପାଇଁ ଚିନ୍ତାର ବିଷୟ। ଆଗାମୀ ଦିନମାନଙ୍କରେ ପାନୀୟ ଜଳ ସଙ୍କଟ ଉପୁଜିବାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜଳ-ଜୀବନ ମିସନ୍‌ ଆରମ୍ଭ କରିଛନ୍ତି। ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଳ-ଜୀବନ-ମିସନ୍‌ ଯୋଜନା ଘୋଷଣା କରିଛନ୍ତି। ଗତ ୭୨ ବର୍ଷ ଭିତରେ ମାତ୍ର ୧୮ ପ୍ରତିଶତ ଗ୍ରାମୀଣ ପରିବାରକୁ ପାନୀୟ ଜଳ ମିଳିଥିବା ବେଳେ ଅବଶିଷ୍ଟ ପରିବାରକୁ ମାତ୍ର ୫ ବର୍ଷରେ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବା ନିମନ୍ତେ ଯେଉଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ତାହା ସରକାରଙ୍କ ପାଇଁ ଏକ ବଡ ଆହ୍ବାନ। ତେବେ ରାଜ୍ୟମାନଙ୍କ ସହଯୋଗରେ ଏହି କଠିନ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଶେଖାୱତ କହିଛନ୍ତି। ଏ ନେଇ ଆଞ୍ଚଳିକସ୍ତରରେ କର୍ମଶାଳା ଆୟୋଜନ କରାଯାଉଛି। ପ୍ରଥମ କର୍ମଶାଳା ପଣ୍ଡିଚେରୀଠାରେ ଆୟୋଜନ କରାଯାଇଥିବା ବେଳେ ଆଜି ପୁରୀରେ ଏହାର ଦ୍ବିତୀୟ ଆଞ୍ଚଳିକ କର୍ମଶାଳା ଆୟୋଜନ କରାଯାଇଛି।

କେନ୍ଦ୍ର ସରକାରଙ୍କ ଏହି ଜଳ-ଜୀବନ ମିସନ୍‌ରେ ପ୍ରାୟ ୩ ଲକ୍ଷ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବାର ଯୋଜନା ରହିଛି। ବୈଠକରେ ରାଜ୍ୟ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇ ରାଜ୍ୟ ସରକାର ଏ ଦିଗରେ ବହୁ ପୂର୍ବରୁ ପଦକ୍ଷେପ ନେଇ ସାରିଥିବା ପ୍ରକାଶ କରିଥି‌ଲେ। ପ୍ରତି ଘରକୁ ପାଇପ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟରେ ‘ବସୁଧା’ ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ବର୍ତ୍ତମାନ ରାଜ୍ୟ ସରକାର ୪୦ ପ୍ରତିଶତ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେଉଥିବା ବେଳେ ଚଳିତ ବର୍ଷ ଅଧିକ ପରିବାରକୁ ପାନୀୟ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି। ଏଥି ପାଇଁ ରାଜ୍ୟ ସରକାର ୩୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ମାତ୍ର ଏ ବାବଦରେ କେନ୍ଦ୍ର ସରକାର ୩୦୦ କୋଟି ଟଙ୍କା ଦେଇଛନ୍ତି। କେନ୍ଦ୍ର ଅଧିକ ଅର୍ଥ ଦେଲେ ଖୁବଶୀଘ୍ର ଏହି ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ଏହି ଆଞ୍ଚଳିକ କର୍ମଶାଳାରେ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବର ଆଦି ୬ଟି ରାଜ୍ୟର ସଚିବ ଓ ପ୍ରତିନିଧିମାନେ ଯୋଗ ଦେଇଥିଲେ। ସମଗ୍ର ଦେଶରେ ଏଭଳି ପାଞ୍ଚଟି ଆଞ୍ଚଳିକ କର୍ମଶାଳା ଆୟୋଜନ କରାଯିବ ବୋଲି ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର