ପିଇବା ପାଣି ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୨୬ ହଜାର କୋଟି

୪ ମେଗା ପ୍ରକଳ୍ପକୁ ଅନୁମୋଦନ, ୮୦୦କୋଟି ଖର୍ଚ୍ଚ ହେବ
୯୧୧ ଗାଁର ୬ଲକ୍ଷ ଲୋକଙ୍କୁ ମିଳିବ ବିଶୁଦ୍ଧ ପିଇବା ପାଣି
ବିଜେପୁରବାସୀଙ୍କୁ ଦେଇଥିବା କଥା ରଖିଲେ ମୁଖ୍ୟମନ୍ତ୍ରୀ
ଗଙ୍ଗାଧର ମେହେର ଉଠା ଜଳସେଚନ ପାଇଁ ୧୧୩୮କୋଟି ୬୦ଲକ୍ଷ

ଭୁବନେଶ୍ୱର : ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ନେଇଥିବା ସଂକଳ୍ପ କ୍ଷେତ୍ରରେ ଆଜି ଆଉ ପାଦେ ଆଗକୁ ଯାଇଛନ୍ତି। ପ୍ରତି ଘରକୁ ପିଇବା ପାଣି ଦେବା ଲାଗି ଗତ ତିନିବର୍ଷରେ ୨୪ ହଜାର ୧୦୦ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଥିଲା। ଆସନ୍ତା ୩ବର୍ଷରେ ଆଉ ୨୬ହଜାର କୋଟି ଟଙ୍କାର ପ୍ରକଳ୍ପ ହାତକୁ ନେବାକୁ ସ୍ଥିର କରିଛନ୍ତି। ଏହି କ୍ରମରେ ଆଜି ୮୦୦ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ କ୍ୟାବିନେଟ୍ ବୈଠକରେ ଅନୁମୋଦନ ମିଳିଛି। ରାଜ୍ୟରେ ଆର୍ଥିକ ଦୁଃସ୍ଥିତି ସତ୍ତ୍ବେ ସରକାର ଏ କ୍ଷେତ୍ରକୁ ଅଧିକ ପ୍ରାଥମିକତା ଦେଇଥିବା ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି, ଆଜି କ୍ୟାବିନେଟ୍ କୋରାପୁଟ, ମାଲକାନଗିରି, ମୟୂରଭଂଜ, ବାଲେଶ୍ବର, ଗଜପତି ଓ କଟକ ଜିଲ୍ଲାରେ ୮୦୦ କୋଟି ୨୭ଲକ୍ଷ ଟଙ୍କାର ମେଗା ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ୨୦୧୧ ଜନଗଣନା ଅନୁସାରେ, ଏହି ପ୍ରକଳ୍ପ ଦ୍ବାରା ୬ଲକ୍ଷ ୭ଶହ ଅତିରିକ୍ତ ଲୋକଙ୍କୁ ପିଇବା ପାଣି ପ୍ରଦାନ କରାଯିବ। ଏଥିରେ ମାଲକାନଗିରି ଜିଲ୍ଲାର କାଲିମେଳା, ମାଲକାନଗିରି ବ୍ଲକ, କୋରାପୁଟର ବୈପାରିଗୁଡା ବ୍ଲକ୍‌, ମୟୂରଭଞ୍ଜ ଜିଲ୍ଲାର ସାରସକଣା ଓ ଜିବି ନଗର ବ୍ଲକ, ବାଲେଶ୍ବରର ଭୋଗରାଇ ବ୍ଲକ, ଗଜପତିର କାଶୀନଗର ଓ ଗୁମା ବ୍ଲକ୍‌ ଏବଂ କଟକ ଜିଲ୍ଲାର ମାହାଙ୍ଗା ବ୍ଲକ୍‌ ସାମିଲ ହୋଇଛି। ଏସବୁ ଅଞ୍ଚଳର ୯୧୧ଟି ଗାଁକୁ ପାଣି ଦିଆଯିବ। ସରକାର ହିସାବ କରୁଛନ୍ତି ଯେ ୨୦୫୨ ମସିହା ବେଳକୁ ଏସବୁ ଅଞ୍ଚଳରେ ୧୦ଲକ୍ଷ ୪ହଜାର ଲୋକ ଏହାଦ୍ବାରା ଉପକୃତ ହେବେ।

ସେହିଭଳି ମରୁଡ଼ି ପ୍ରବଣ ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ୍‌କୁ ନିଶ୍ଚିତ ଜଳସେଚନ ଯୋଗାଇ ଦେବା ଲାଗି ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ପୂର୍ବରୁ ମଞ୍ଜୁରି ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଆଜି କାର୍ଯ୍ୟକାରୀ କରିବାକୁ ଯାଇ ୧୧୩୮େକାଟି ୬୩ ଲକ୍ଷ ଟଙ୍କାର ପ୍ରକଳ୍ପର ଟେଣ୍ଡରକୁ ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପ ସମୁଦାୟ ୧୨୪ଟି ଗ୍ରାମର ୨୫ ହଜାର ୬୦୦ ହେକ୍ଟର ଚାଷ ଜମିକୁ ଜଳଯୋଗାଣ କରିବ। ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ୍‌ର ୭୭ଟି ଗ୍ରାମର ୧୫ହଜାର ୨୦୦ ହେକ୍ଟର, ସୋହେଲା ବ୍ଲକ୍‌ର ୨୩ଟି ଗ୍ରାମର ୬୪୦୦ ହେକ୍ଟର, ବରପାଲି ବ୍ଲକ୍‌ର ୧୯ଟି ଗାଁର ୩୮୪୦ ହେକ୍ଟର ଓ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଡୁଙ୍ଗୁରିପାଲି ବ୍ଲକ୍‌ର ୫ଟି ଗ୍ରାମର ୧୬୦ ହେକ୍ଟର ଜମି ଜଳସେଚିତ ହେବ। ଏସବୁ ପ୍ରକଳ୍ପକୁ ଇପିସି ପଦ୍ଧତିରେ କରାଯିବ ଓ ୩୦ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଜରିଆରେ ୩୦ ପ୍ରତିଶତ ସେଚାଞ୍ଚଳରେ ସ୍ବୟଂଚାଳିତ ଅଣୁ ଜଳସେଚନ କରିବା ପାଇଁ ବ୍ୟବସ୍ଥା ଅଛି। ଏହି ପଦ୍ଧତି କୃଷକମାନଙ୍କୁ ସ୍ବଳ୍ପ ଜଳ ବ୍ୟବହାର କରି କୃଷି ଉତ୍ପାଦନ ବୃଦ୍ଧି ଦିଗରେ ସହାୟକ ହେବ।

ସମ୍ବନ୍ଧିତ ଖବର