ଚଣ୍ଡିଖୋଲ: ଚଣ୍ଡିଖୋଲ ଛକଠାରେ ଆଜି ଡ୍ରାଇଭର ସଂଘ ପ୍ରବଳ ଗର୍ଜିଛି। ସକାଳୁ ଦିନ ୧୨ଟାଯାଏ ସଂଘର କର୍ମକର୍ତ୍ତା ଜୋରଦାର ଭାବେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ଆଜି ସକାଳୁ ଧାରଣାସ୍ଥଳରେ ଯାଜପୁର ଜିଲ୍ଲାର ସମସ୍ତ ବ୍ଲକରୁ ୩ ହଜାରରୁ ଅଧିକ ଡ୍ରାଇଭର ଆସି ପହଞ୍ଚି ଦାବି ପୂରଣ ପାଇଁ ଅଡ଼ି ବସିଥିଲେ। ‘ଆଜି ମରିବା ନହେଲେ ମାରିବା, ଦଙ୍ଗା ସୃଷ୍ଟି କରିବା’ ବୋଲି ଜଣେ ଡ୍ରାଇଭର ଆହ୍ବାନ ଦେଇଥିଲେ। ସମସ୍ତ ଡ୍ରାଇଭର ଗୋଟିଏଲେଖାଏଁ ଠେଙ୍ଗା ଧରି ଚଣ୍ଡିଖୋଲରେ ପହଞ୍ଚିବାକୁ ସେ ଆହ୍ବାନ ଦେଇଥିଲେ। ଏହି ଅଡିଓ ପ୍ରସାରିତ ହେବା ପରେ ଧାରଣାସ୍ଥଳରେ ଭିଡ଼ ଜମିଥିଲା। ଦାବି ପୂରଣ ନହେବାଯାଏ ଆମେ ଆନ୍ଦୋଳନ ଚାଲୁ ରଖିବୁ ବୋଲି ଆଉ କେତେକ କହିଥିଲେ।
ଏହାକୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୁଲିସ ପ୍ରଶାସନ ସଜାଗ ହୋଇଯାଇଥିଲା। ଘଟଣାସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏସ୍ପି ଭିନିତ ଅଗ୍ରୱାଲ, ଅତିରିକ୍ତ ଏସ୍ପି ନାରାୟଣ ଚନ୍ଦ୍ର ବାରିକ, ଯାଜପୁର ରୋଡ଼ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, ଯାଜପୁର ଏସଡିପିଓ ସନ୍ତୋଷ ଉପାଧ୍ୟାୟ, ବଡ଼ଚଣା ଥାନା ଭାରପ୍ରାପ୍ତ ଅଧିକାରୀ ମହମ୍ମଦ ସୁରଜ, ବାଲିଚନ୍ଦ୍ରପୁର ଥାନାଧିକାରୀ ରମାକାନ୍ତ ମୁଦୁଲି, ଜେନାପୁର ଥାନାଧିକାରୀ ଉମାକାନ୍ତ ନାୟକ, ବୈରୀ ଥାନାଧିକାରୀ ପ୍ରଦୀପ୍ତ କୁମାର କାନୁନଗୋ ଓ ଧର୍ମଶାଳା ଥାନାଧିକାରୀ ରାକେଶ କୁମାର ତ୍ରିପାଠୀଙ୍କ ସହିତ ତିନି ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ତେବେ ଡ୍ରାଇଭରମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାସ୍ଥଳରେ ରହିବା ସହ କେବଳ ଭାଷଣବାଜି କରି ଚାଲିଯାଇଥିଲେ। ଗତ ୧୫ ତାରିଖଠାରୁ ଚାଲିଥିବା ଧର୍ମଘଟ ଓ ଧାରଣା ପ୍ରାୟ ୧୨ଟାବେଳେ ହଟିଯାଇଥିଲା। ତିନିମାସ ମଧ୍ୟରେ ଦାବି ଉପରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଘୋଷଣା କରିଥିବାରୁ ଡ୍ରାଇଭରମାନେ ଧାରଣାରୁ ଓହରି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/21-13.jpg)