ଆସିଲା ପ୍ରଶାନ୍ତ ମେଣ୍ଡୁଲିଙ୍କ ନୂଆ ଭିଡିଓ, ଆନ୍ଦୋଳନରୁ ଓହରିବା ପାଇଁ ଡ୍ରାଇଭରଙ୍କୁ କଲେ ଅନୁରୋଧ

ଦାବି ପୂରା ନହେଲେ ବଡ଼ଆନ୍ଦୋଳନ, ନବୀନ ନିବାସ ଆଗରେ ଆତ୍ମହୁତି ଧମକ

ଭୁବନେଶ୍ବର: ଗତ ୧୫ ତାରିଖ ଠାରୁ ରାଜ୍ୟବ୍ୟାପି ଆରମ୍ଭ ‌ହୋଇଥିବା ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ଶୁକ୍ରବାର ସ୍ଥଗିତ ରଖାଯାଇଛି। ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିଲା ପରେ ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିଛନ୍ତି। ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି। ଆନ୍ଦୋଳନରୁ ଓହରିବା ପାଇଁ ସେ ଡ୍ରାଇଭରମାନଙ୍କୁ ଅନୁରୋଧ କରିଥିଲା ବେଳେ ତିନିମାସ ମଧ୍ୟରେ ଦାବି ପୂରା ନହେଲେ ଆଗାମୀ ଦିନରେ ଓଡ଼ିଶା ବଡ଼ଧରଣର ଆନ୍ଦୋଳନ ଦେଖିବ ‌ବୋଲି ଚେତାବନୀ ଦେଇଛନ୍ତି। ଏଥି ସହିତ ନବୀନ ନିବାସ ଆଗରେ ଡ୍ରାଇଭରମାନେ ଆତ୍ମହୁତି ଦେବେ ବୋଲି ଧମକ ଦେଇଛନ୍ତି।

ଭିଡିଓ ଜାରି କରି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ଡ୍ରାଇଭରଭାଇମାନେ ତିନିଦିନ ଧରି ନିଜର ହକ୍‌ ପାଇଁ ଆନ୍ଦୋଳନରେ ସାମିଲ ହୋଇଥିଲେ। ଆନ୍ଦୋଳନ ଯୋଗୁଁ ଜନସାଧାରଣ ହଇରାଣ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଅନେକ ପେଟ୍ରୋଲ ପମ୍ପରେ ତେଲ ନାହିଁ। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମହାସଂଘର ସମସ୍ତ ସଦସ୍ୟ ଆନ୍ଦୋଳନରୁ ଓହରିଯାଆନ୍ତୁ। ଆନ୍ଦୋଳନରୁ ଓହରିଯିବା ପାଇଁ ମୁଁ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଅନୁରୋଧ କରୁଛି। ଡ୍ରାଇଭରମାନଙ୍କ ଦାବି ପୂରଣ କରିବା ପାଇଁ ସରକାର ତିନିମାସ ସମୟ ନେଇଛନ୍ତି। ଏହି ସମୟ ମଧ୍ୟରେ ସରକାର ଆମମାନଙ୍କର ଅସୁବିଧାର ସମାଧାନ କରିବେ ବୋଲି ଆଶା କରାଯାଉଛି। କାରଣ ସରକାର ଲିଖିତ ଭାବେ ପ୍ରତିଶ୍ରୁତି ଦେଇଛନ୍ତି। ସରକାର ତିନିମାସ ଅର୍ଥାତ ୯୦ ଦିନ ଭିତରେ ଦାବି ପୂରଣ ନ କଲେ ଓଡ଼ିଶାବାସୀ ୯୧ ଦିନରେ ଆଉ ଏକ ବଡ଼ଧରଣର ଆନ୍ଦୋଳନ ଦେଖିବେ। ଦାବି ପୂରା ନହେଲେ ନବୀନ ନିବାସ ଆଗରେ ଡ୍ରାଇଭରମାନେ ଆତ୍ମହୁତି ଦେବୁ। ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଥିବାରୁ ଆମେ ସରକାରଙ୍କୁ ଗୁରୁତ୍ବ ଦେଇଛେ ଏବଂ ଜନସାଧାରଣଙ୍କୁ ପ୍ରାଥମିକତା ଦେଇଛେ। ତେଣୁ ଆମେ ନିଜନିଜ କର୍ମକ୍ଷେତ୍ରରେ ଯୋଗଦେବାର ଆବଶ୍ୟକତା ରହିଛି।

ଏଥି ସହିତ ଡ୍ରାଇଭର ମହାସଂଘର ସଭାପତି ଶ୍ରୀ ମେଣ୍ଡୁଲି ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି। ସହଯୋଗ କରିଥିବାରୁ ସେ ରାଜ୍ୟବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସରକାର ଏବଂ ମୁଖ୍ୟ ଶାସନ ସଚିବଙ୍କ ଅପିଲକୁ ସମ୍ମାନ ଜଣାଇ ଧାରଣାରୁ ଓହରିଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଥିଲେ, ଡ୍ରାଇଭର ମହାସଂଘର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ସମୟରେ ସରକାର ଆଲୋଚନା କରିଛନ୍ତି। ଡ୍ରାଇଭରଙ୍କ ଦାବିକୁ ସହୃଦୟତା ସହ ଗ୍ରହଣ କରାଯାଇଛି। ଗତକାଲି ମହାସଂଘ ସହ ସକାରାତ୍ମକ ଆଲୋଚନା ହୋଇଛି। ଦୃଢ଼  ଓ ନିର୍ଭର ପ୍ରତିଶ୍ରୁତି ଦେଇଥିଲି। ପିଲାଙ୍କ ପରୀକ୍ଷା ଜାରି ରହିଛି। ଧର୍ମଘଟ ପାଇଁ ପିଲାଙ୍କ ଭିତରେ ମାନସିକ ଚାପ ରହିଛି, ଯାହା ପିଲାଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପଡ଼ୁଛି। ଆନ୍ଦୋଳନ ପାଇଁ ରୋଗୀ ଓ ଆତ୍ୟବଶ୍ୟକୀୟ ସାମଗ୍ରୀ ପରିବହନରେ ପ୍ରଭାବିତ ହେଉଛି। ତିନୋଟି ରାଜ୍ୟରେ ସରକାର ଡ୍ରାଇଭରଙ୍କ ଦାବି ପୂରଣ କରିଛନ୍ତି। ଆମେ ଅନୁଧ୍ୟାନ କରି ତାଙ୍କ ଦାବି ପୂରଣ କରିବୁ। ଡ୍ରାଇଭର ମହାସଂଘ ଆନ୍ଦୋଳନରୁ କ୍ଷାନ୍ତ ରହନ୍ତୁ। ଶାନ୍ତିପୂର୍ଣ୍ଣ ଭାବେ ଧର୍ମଘଟ ନାରେ ଆଇନ୍‌କୁ ହାତକୁ ନିଅନ୍ତୁ ନାହିଁ। ଲୋକଙ୍କ ସମ୍ପତ୍ତି ନଷ୍ଟ କରନ୍ତୁ ନାହିଁ। ମହାସଂଘ ବିକ୍ଷୋଭ ପ୍ରଦର୍ଶନ ସମୟରେ କିଛି ଅଣ ଡ୍ରାଇଭର ସାମିଲ ହୋଇ ହିଂସା ଓ ଅଘଟଣ ଘଟାଉଛନ୍ତି।

ତେବେ ଡ୍ରାଇଭର ମହାସଂଘର ଆନ୍ଦୋଳନ କାରଣରୁ ରାଜ୍ୟବାସୀ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସାଧାରଣ ପରିବହନ ଉପରେ ଭରସା କରୁଥିବା ଲୋକେ ହଇରାଣ ହୋଇଥିଲେ। ଦୈନନ୍ଦିନ ବସ୍‌ରେ ଯାତାୟତ କରୁଥିବା ଲୋକେ ନାହିଁ ନଥିବାର ଅସୁବିଧାର ସାମ୍ନା କରିଥିଲେ। ସେହିପରି ରାଜ୍ୟର ଗ୍ରାମାଞ୍ଚଳରେ ବେପାରୀମାନେ ପେଟ୍ରୋଲ ଲିଟର ପିଛା ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥିଲା। ଲୋକେ ଅନାବଶ୍ୟକ ପେଟ୍ରୋଲ କିଣିବା ଦ୍ବାରା ଅନ୍ୟମାନଙ୍କୁ ହଇରାଣର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର