ଅସ୍ଥାୟୀ ଲଞ୍ଚ ଡ୍ରାଇଭର୍‌ ଓ ଖଲାସୀ ମହାସଂଘ ବିକ୍ଷୋଭ : ରାସ୍ତାରେ ଥାଳ ଧରି ଭିକ ମାଗିଲେ

ଭୁବନେଶ୍ବର : ବାବୁ… ମା’… ଆମକୁ କିଛି ଟଙ୍କା ଦିଅ। ଭୋକ ଲାଗୁଛି…ପାଖରେ ଟଙ୍କା ନାହିଁ। ୬ମାସ ଚାକରି କରୁଛୁ ୬ମାସ ଘରେ ବସୁଛୁ। ଲୋୟର୍‌ ପିଏମ୍‌ଜି‌ରେ ଆଜି ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସିମାନେ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରିଥିଲେ। ସେମାନେ ବୁଲି ବୁଲି ଗାଡ଼ି ଓ ଲୋକଙ୍କୁ ଅଟକାଇ ଥାଳ ଧରି ଲୋକଙ୍କୁ ଭିକ ମାଗୁଥିବା ଦେଖାଯାଇଥିଲା।

ସଂଘ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ଅଧୀନରେ ଲଞ୍ଚ ଡ୍ରାଇଭର ଓ ଖଲାସିମାନେ ବର୍ଷ ବର୍ଷ ଧରି ୬ ମାସିଆ ଠିକା କର୍ମଚାରୀ ଭାବେ କାମ କରୁଛନ୍ତି। ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜୀବନକୁ ବାଜି ଲଗାଇ କାମ କରି ଆସୁଛନ୍ତି। ହେଲେ ଏଥିପାଇଁ ମାସକୁ ଡ୍ରାଇଭର୍‌ମାନଙ୍କୁ ମାତ୍ର ୮୮୮୦ଟଙ୍କା ଓ ଖଲାସିମାନଙ୍କୁ ୮୦୮୦ଟଙ୍କା ଦିଆଯାଉଛି। ଏତିକି ଟଙ୍କାରେ ଆଜିର ଦିନରେ ପରିବାର ପୋଷଣ କରିବା କଷ୍ଟସାଧ୍ୟ। ପୁଣି ୬ମାସ କାମ ନ ପାଇ ଘରେ ବସିବାକୁ ପଡ଼ୁଛି। ରାଜ୍ୟର ୧୮ଟି ଜିଲ୍ଲାର ପାଖାପାଖି ୫୧୯ଜଣ ଡ୍ରାଇଭର ଓ ଖଲାସି ଏଭଳି ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସିଙ୍କୁ ଖାଲି ପଡ଼ିଥିବା ପଦରେ ଓ ଠିକା ନିଯୁକ୍ତି ପରିବର୍ତ୍ତେ ୧୨ ମାସିକିଆ ନିଯୁକ୍ତି ଦିଆଯାଉ ବୋଲି ସଂଘ ଦାବି କରିଛି। ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନେଇ ଦାବି ଉପରେ ପଦକ୍ଷେପ ନେବାକୁ ସଂଘ ଦାବି କରିଛି। ଦାବି ପୂରଣ ନ‌ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଂଘ ସଭାପତି ଯୁଧିଷ୍ଠିର ମହାପାତ୍ର ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର