କଳିଙ୍ଗା ଘାଟି ଦୁର୍ଘଟଣା ପାଇଁ ଡ୍ରାଇଭର, ଏନ୍‌ଏଚ୍‌ଏଆଇ ଦାୟୀ

ଘାଟି ଅଞ୍ଚଳରେ ଦୁର୍ଘଟଣା କମାଇବାକୁ ମାସକ ମଧ୍ୟରେ ରିପୋର୍ଟ ଦେବେ

ଭୁବନେଶ୍ବର : କଳିଙ୍ଗା ଘାଟିରେ ବସ୍‌ ଓଲଟି ୬ଜଣ ଲୋକଙ୍କର ମୃତ୍ୟୁ ହେବା ଏବଂ ବହୁ ଲୋକ ଆହତ ହେବା ଘଟଣାରେ ପ୍ରାଥମିକ ଯାଞ୍ଚ ରିପୋର୍ଟ ଆସିଛି। ଏଥିରୁ ଜଣାପଡ଼ିଛି ଯେ ଏହି ଦୁର୍ଘଟଣା ପାଇଁ ବସ୍‌ ଡ୍ରାଇଭର ଏବଂ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଦା‌ୟୀ। ରିପୋର୍ଟରେ ଡ୍ରାଇଭର ଏବଂ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ଦୋଷ ଲେଖାଯାଇଥିଲେ ହେଁ କେଉଁଠି ବି ସେମାନେ ଦାୟୀ ବୋଲି ସିଧାସଳଖ କୁହାଯାଇନାହିଁ।

ଘାଟି ଓ ପାହାଡ଼ିଆ ଅଞ୍ଚଳରେ ଦୁର୍ଘଟଣା କମାଇବା ପାଇଁ ପରିବହନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଏବଂ ଏନ୍‌ଏଚ୍‌ଏଆଇର ମୁଖ୍ୟ ମହାପ୍ରବନ୍ଧକ, ଓଡ଼ିଶାଙ୍କୁ ଚିଠି ଲେଖି କହିଛନ୍ତି ଯେ, ଦୁର୍ଘଟଣା ଅଞ୍ଚଳକୁ ଭଞ୍ଜନଗର ଆର୍‌ଟିଓ ଏବଂ ବିଶେଷଜ୍ଞ କମିଟି ବୁଲି ଦେଖିବା ପରେ ଆର୍‌ଟିଓ ରିପୋର୍ଟ ଦେଇଛନ୍ତି ଯେ, ବସ୍‌ର ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାବେଳେ ବୁଲାଣି ସ୍ଥାନରେ ବି ଗାଡ଼ିର ଗତି ଅଧିକ ଥିଲା। ଯେଉଁଥିପାଇଁ ଗାଡ଼ି ଦୁର୍ଘଟଣାଗସ୍ତ ହେବା ସହ ବିପଦଜନକ ପଥର ଉପରୁ ଖସି ବିଦ୍ୟୁତ ଖୁଣ୍ଟରେ ମାଡ଼ ହୋଇଥିଲା। ଯାହା ସବୁ ରାସ୍ତାକଡ଼ରେ ପଡ଼ିଥିଲା।
ଏହାସହ ଆର୍‌ଟିଓ ରିପୋର୍ଟ ଦେଇଛନ୍ତି ଯେ, ଉକ୍ତ ଅଞ୍ଚଳରେ ବୁଲାଣି ସ୍ଥାନରେ କୌଣସି ସଂକେତ ନଥିଲା, ରାସ୍ତା ଚିହ୍ନଟ ହୋଇନଥିଲା, ଷ୍ଟଡ ରିଫ୍ଲେକ୍ଟର ଲାଗି ନଥିଲା, ବହୁ ସ୍ଥାନରେ କ୍ରାସ୍‌ ବ୍ୟାରିଅର୍ ନଷ୍ଟ ହୋଇଯାଇଥିଲେ ବି ଏହାର ମରାମତି ହୋଇନଥିଲା।

କଳିଙ୍ଗା ଘାଟିରେ ଯେଉଁ ସବୁ ଭିତ୍ତିଭୂମିର ଅଭାବ ଯୋଗୁଁ ଦୁର୍ଘଟଣା ଘଟିଲା କିଛି ଦିନ ତଳେ ମୟୂରଭଞ୍ଜର ଦ୍ବାରଶୁଣି ଘାଟି ନିକଟରେ ସେହିଭଳି ଦୁର୍ଘଟଣା ଘଟିଥିଲା। ସମସ୍ତ ଘାଟି ଅଞ୍ଚଳ, ପାହାଡ଼ିଆ ଅଞ୍ଚଳରେ ରାସ୍ତାର ରକ୍ଷଣାବେକ୍ଷଣ ଠିକ୍ ଭାବେ ହେଉନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। ତେଣୁ ଏହି ସବୁ ସ୍ଥାନରେ ଆବଶ୍ୟକୀୟ ପଦକ୍ଷେପ ନେବା ସହ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିର ନିୟମ ଅନୁଯାୟୀ ଲୋକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ପୂର୍ତ୍ତ ଓ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ସେମାନଙ୍କ ଅଧୀନରେ ଥିବା ପାହାଡ଼ିଆ ଓ ଘାଟି ଅଞ୍ଚଳରେ ସର୍ଭେ କରି କ’ଣ ପଦକ୍ଷେପ ନେଉଛନ୍ତି ସେନେଇ ମାସକ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର