ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ରାସ୍ତାକୁ ଓହ୍ଲାଇଲେ ଡ୍ରାଇଭର, ଅଟକାଇଲେ ହଳଦିଆ ନମ୍ବର ଥିବା ଗାଡ଼ି

ଭୁବନେଶ୍ବର: ୧୦ ଦଫା ଦାବିରେ ଅନିଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ସକାଳୁ ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି। ଏହି କ୍ରମରେ ରାଜଧାନୀ ଭୁ‌ବନେଶ୍ବର ଉପକଣ୍ଡ ତମାଣ୍ଡୋରେ ଡ୍ରାଇଭର ମହାସଂଘ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି। ଡ୍ରାଇଭରମାନେ ହଳଦିଆ ନମ୍ବର ଥିବା ସବୁ ମାଲବାହୀ ଗାଡ଼ିକୁ ଅଟକାଉଛନ୍ତି। ଶହଶହ ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି।

ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ସେମାନଙ୍କର ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି। ବୁର୍ଲା, କୁଚିଣ୍ଡା, ହୀରାକୁଦ ସମେତ ଅନ୍ୟ ସ୍ଥାନରେ ପ୍ରତିବାଦ ଆରମ୍ଭ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ, ଗୁରୁଣ୍ଡିଆ, ଲହୁଣୀପଡ଼ା, କୋଇଡାରେ ପୂରା ପ୍ରଭାବ, ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି। ସେହିପରି ୧୬ ନମ୍ବର ଜାତୀୟ ରାଜପଥର ବାଲେଶ୍ବର ଜିଲ୍ଲା ସୋର ବସ୍‌ ଅଟକାଇ ଡ୍ରାଇଭରବାନେ ପ୍ରତିବାଦ କରିଛନ୍ତି। ଭଦ୍ରକ ଜିଲ୍ଲା ବସ୍ତ ଛକ ଠାରେ ମଧ୍ୟ ଯାତ୍ରୀବାହୀ ବସ୍‌ ଅଟକାଇ ଆନ୍ଦୋଳନକାରୀ ପ୍ରତିବାଦ କରିଛନ୍ତି।

ରାଜ୍ୟ ସରକାରଙ୍କ ସହ ଡ୍ରାଇଭର ଏକତା ମହାମଞ୍ଚର ଆଲୋଚନା ବିଫଳ ହୋଇଥିବାରୁ ସାରା ରାଜ୍ୟରେ ଯାନାବାହନ ଚଳାଚଳ ପ୍ରଭାବିତ ହୋଇଛି। ଅପରପକ୍ଷେ ଏବେ ମାଟ୍ରିକ ଓ +୨ ପରୀକ୍ଷା ଚାଲିଥିବାରୁ ଏହି ଆନ୍ଦୋଳନର ପ୍ରଭାବ ଯେପରି ଛାତ୍ରଛାତ୍ରୀଙ୍କ ଯାତାୟତ ଉପରେ ନପଡ଼େ ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି।

ମଙ୍ଗଳବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ, ଡ୍ରାଇଭର ସଂଘ ସହ ଆଲୋଚନାକୁ ଆମେ ଗୁରୁତର ସହ ନେଉଛୁ। ଡ୍ରାଇଭରଙ୍କ ପାଇଁ ଆମେ ସକରାତ୍ମକ ଚିନ୍ତାଧାରା ରଖିଛୁ। ମୁଖ୍ୟମନ୍ତ୍ରୀ ମଧ୍ୟ ସକରାତ୍ମକ ଚିନ୍ତା ରଖିବେ। କୋଭିଡ ଯୋଗୁଁ ଦୁଇ ବର୍ଷ ପରେ ପିଲାମାନେ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି, ତେଣୁ ମୁଁ ଡ୍ରାଇଭରମାନଙ୍କୁ ଅନୁରୋଧ କରୁଛି ପରୀକ୍ଷାର୍ଥୀଙ୍କ ଯାତାୟତ ଏବଂ ସାଧାରଣ ଜନଜୀବନକୁ ପ୍ରଭାବିତ ନକରନ୍ତୁ। ଆମେ ସେମାନଙ୍କ ଦାବିକୁ ଗୁରୁତର ସହ ବିଚାର କରିବୁ।

ଡ୍ରାଇଭର ଏକତା ମହାମଞ୍ଚର ନେତା ଅକ୍ଷୟ ନାୟକ କହିଛନ୍ତି ଯେ, ମଙ୍ଗଳବାର ପରିବହନ ମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ ଆମେ ୬ଟି ପ୍ରମୁଖ ଦାବି ପୂରଣ କରିବାକୁ କହିଥିଲୁ। ଏପରିକି ୬ଟିରୁ ଏବେ ଗୋଟିଏ ଦାବି ଯଥା କର୍ମଜୀବୀ ଡ୍ରାଇଭରମାନଙ୍କ ପାଇଁ ଦୁର୍ଘଟଣା ବୀମା ଅର୍ଥାତ୍ ଗାଡ଼ି ଚଳାଇବା ସମୟରେ ଦୁର୍ଘଟଣା ଘଟିଲେ ୨୦ ଲକ୍ଷ ଟଙ୍କା, ଶାରୀରିକ ବିକଳାଙ୍ଗ ହେଲେ ୧୦ ଲକ୍ଷ ଟଙ୍କା, ଆହତଙ୍କ ଆଶୁ ଚିକିତ୍ସା ପାଇଁ ୫ଲକ୍ଷ ଟଙ୍କାର ବୀମା ରାଶି ତୁରନ୍ତ ଯୋଗାଇ ଦିଆଯାଉ ବୋଲି କହିଥିଲୁ। ମନ୍ତ୍ରୀ ଦାବି ପୂରଣ କରିବା ବୋଲି କହିଲେ। ପୂର୍ବରୁ ଏମିତି କହିଥିବାରୁ ଆମେ କହିଥିଲୁ ଯେ ଆପଣ ଯାହା କହୁଛନ୍ତି ତାହାକୁ ୧୫ଦିନ ମଧ୍ୟରେ ପୂରଣ କରିବେ ବୋଲି ଲିଖିତ ଆକାରରେ ଦିଅନ୍ତୁ। କିନ୍ତୁ ମନ୍ତ୍ରୀ ଶୁଣିଲେନି। ତେଣୁ ଆମେ ବୁଧବାର ଆମେ ସମସ୍ତଙ୍କ ସହଯୋଗରେ ଆନ୍ଦୋଳନ କରିବୁ ବୋଲି ନିଷ୍ପତ୍ତି ନେଲୁ। ରାଜ୍ୟର ସମସ୍ତ ବ୍ଲକ ମୁଖ୍ୟରାସ୍ତାକୁ ଅବରୋଧ କରାଯିବ। ସ୍କୁଲ ବସ୍‌, ପରୀକ୍ଷା ଡ୍ୟୁଟିରେ ନିୟୋଜିତ ହୋଇଥିବା ଗାଡ଼ି, ଛାତ୍ରଛାତ୍ରୀ ଯାଉଥିବା ଗାଡ଼ି, ଆମ୍ବୁଲାନ୍ସ, ମେଡିକାଲ ଷ୍ଟାଫ୍, ଆମ୍ବୁଲାନ୍ସ, ବିଦ୍ୟୁତ୍ ବିଭାଗ ଗାଡ଼ି, ଦମକଳ ଆଦିକୁ ଛଡ଼ାଯିବ। ହେଲେ ବିଭିନ୍ନ ସ‌ାମଗ୍ରୀ ପରିବହନ ପାଇଁ ନିୟୋଜିତ ଗାଡ଼ିଗୁଡ଼ିକୁ ଅଟକ ରଖାଯିବ।

ସମ୍ବନ୍ଧିତ ଖବର