ଦୁର୍ଘଟଣାରେ ଜଳିଗଲା ଟ୍ରକ୍‌,ଡ୍ରାଇଭର ଜୀବନ୍ତ ଦଗ୍ଧ

ନାଚୁଣୀ/ବାଣପୁର : ସ୍ଥାନୀୟ ହରିକୁଣ୍ଡ ବରଡିହ ନିକଟ ଏକ ଢାବା ନିକଟରେ ଆଜି ସକାଳ ପ୍ରାୟ ୬ ଟା ସମୟରେ ଗୋଟିଏ ଟ୍ରକ୍‌କୁ ପଛରୁ ଧକ୍କା ଦେଇ ଅନ୍ୟ ଏକ ଟ୍ରକ୍‌ ଜଳିଯାଇଛି। ଏହି ଦୁର୍ଘଟଣାରେ ପଛରେ ଯାଉଥିବା ଟ୍ରକ୍‌ର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ଭୁବନେଶ୍ବର ଆଡ଼କୁ ଯାଉଥିବା ଏ ଏଚ୍‌-୧୬ ଟିଏଚ୍-୧୩୮୯ ନମ୍ବର ବିଶିଷ୍ଟ ଏକ ମାଲବାହୀ ଟ୍ରକ୍‌ ଦ୍ରୁତ ଗତିରେ ଆସୁଥିବା ବେଳେ ହଠାତ ବ୍ରେକ୍‌ ମାରି ଦେଇଥିଲା। ଏହି ସମୟରେ ପଛରେ ଆସୁଥିବା ବି ଆର୍‌ ୨୪ଜି ବି ୪୦୫୩ ନମ୍ବର ବିଶିଷ୍ଟ ଅନ୍ୟ ଏକ ମାଲବାହୀ ଟ୍ରଲର ନିୟନ୍ତ୍ରଣ ହରାଇ ଏହି ଟ୍ରକ ପଛରେ ପିଟି ହୋଇ ଚୂର୍‌ମାର ହୋଇଯିବା ସହ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଜଳୁଥିବା ଟ୍ରଲର ମଧ୍ୟରେ ଚାପି ହୋଇ ଏହାର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମୃତ ଡ୍ରାଇଭରଙ୍କ ନାମ ଉପେନ୍ଦ୍ର ରାମ(୩୬ ବର୍ଷ) ଓ ଗୁରୁତର ହେଲପର ନିରୋଦ ସିଂହ(୬୩ ବର୍ଷ) ଉଭୟ ବିହାରର ବୋଲି ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି। ଜଳି ଯାଇଥିବା ମାଲବାହୀ ଟ୍ରଲରଟି ବିଶାଖାପାଟଣାରୁ ଟାଟା ଯାଉଥିବା ଖବରରୁ ପ୍ରକାଶ। ଏଥିରେ ବସିଥିବା ହେଲପରଙ୍କୁ କୌଣସିମତେ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଭୁବନେଶ୍ବରକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ଜଙ୍ଗାଧରପୁର ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଇ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଆଇନ ଶୃଖଂଳା ପାଇଁ ବାଲୁଗାଁ ଏସ୍‌ଡିପିଓ ସୁରେଶ କୁମାର ଦାସ, ବାଣପୁର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ, ବାଲୁଗାଁ ଆଇ୍ଆଇସି ରମାକାନ୍ତ ମହାଳିକ, ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଘଟଣାସ୍ଥଳରେ ଉପସ୍ଥିତ ରହି ଟ୍ରାଫିକ ନିୟନ୍ତ୍ରଣ କରିଥିଲେ।ଏଥି ସହ ନାଚୁଣୀ ପୁଲିସ ମୃତ ଡ୍ରାଇଭରଙ୍କ ଦଗ୍ଧୀଭୂତ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର

Comments are closed.