ଉତ୍କେଲା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଫାଣ୍ଡି ଅନ୍ତର୍ଗତ ୨୬ ନଂ ଜାତୀୟ ରାଜପଥ ଗାଈଗାଁ ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପ ସାମ୍ନାରେ ଏକ ଅଘଟଣ ଘଟିଯାଇଛି। ଜଣେ ଟ୍ରକ୍ ଡ୍ରାଇଭର ଟ୍ରକ୍ ପଛ ପଟେ ରଶି ବାନ୍ଧୁଥିବା ବେଳେ ଓଲିଟିପଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ବାଲମି ଥାନା ବାରାସିଙ୍ଗା ଗ୍ରାମର ବିପ୍ରବର ବେହେରାଙ୍କ ପୁଅ ଲିକୁ ବେହେରା (୩୨)।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଟ୍ରକ୍ (ଓଡି୦୧ଏକେ-୧୭୦୦) ଡ୍ରାଇଭର ଜଣକ ଭବାନୀପାଟଣା ପଟେ ଯାଉଥିଲେ। ରାତି ହେବାରୁ ପେଟ୍ରୋଲ ପମ୍ପ ନିକଟରେ ଗାଡ଼ି ରଖିଥିଲେ। ସୋମବାର ଭୋର ୪.୩୦ରେ ରଶି ବାନ୍ଧୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲେ। ନିକଟରେ ଥିବା ଆଉ ଜଣେ ଟ୍ରକ୍ (ଓଡି୦୧-ଏଚ-୭୬୧୧)ର ଡ୍ରାଇଭର ଭଦ୍ରକ ଜିଲ୍ଲା ଧାମନଗର ଥାନା ମୋହୋରା ଗ୍ରାମର ରାଜିନ୍ଦ୍ର ମୁଣ୍ଡା ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡ୍ରାଇଭର ଲିକୁ ବେହେରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ୨ଟି ଟ୍ରକ୍ର ମାଲିକ ବାଲେଶ୍ବର ଜିଲ୍ଲାର ଦିଗାମ୍ବର ପଣ୍ଡା ବୋଲି ଜଣାପଡ଼ିଛି। ବ୍ୟବଚ୍ଛେଦ ପରେ ମୃତକଙ୍କ ଭାଇ ସୁନୀଲ ବେହେରାଙ୍କୁ ଶବ ହସ୍ତାନ୍ତର କରଯାଇଛି। ପୁଲିସ କେସ ନଂ ୨୪,୧୩/୧୨/୨୦୨୧ ରେ ଏକ ମାମଲା ରୁଜୁ କରିଛି।