ପୋଲ ତଳକୁ ଖସିଲା ଟ୍ରାଭେରା : ଡ୍ରାଇଭର ମୃତ; ୫ ଗୁରୁତର

ଉଦଳା(୧)/ଖୁଣ୍ଟା : ଖୁଣ୍ଟା ବ୍ଲକ ତଥା ଉଦଳା ଥାନା ଅଧୀନ ବୃନ୍ଦାଗଡି ଛକ ନିକଟ ସଞ୍ଜନଦୀ ପୋଲ ଉପରେ ଏକ ଟାଭେରା ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ଗୁରୁତର ହୋଇଛନ୍ତି। ଗାଡ଼ିଟି ପୋଲ ତଳକୁ ଖସିପଡ଼ିଥିଲା। ମୃତ ଡ୍ରାଇଭର ହେଲେ ଖୁଣ୍ଟା ଥାନା ଶିରାଥଳି ଗ୍ରାମର ସୁଶାନ୍ତ ଆଚାର୍ଯ୍ୟ ଓରଫ ରାଜୁ (୩୫)। ଆହତମାନେ ହେଲେ ଉଦଳାର ଦୋଳଗୋବିନ୍ଦ ପରିଡ଼ା (୭୨), ତାଙ୍କ ପତ୍ନୀ ଶାନ୍ତିଲତା(୬୫), ସମ୍ପର୍କୀୟ ବିଦ୍ୟାଧର ପରିଡ଼ା (୭୬), ନୃସିଂହ ସ (୫୧) ଓ ରଜତ ପରିଡ଼ା (୫୫)।

ଏମାନେ ଆଜି ଅପରାହ୍ନରେ ଓଡି-୦୧ ଆର୍‌-୯୯୮୫ ନମ୍ବରବିଶିଷ୍ଟ ଟାଭେରାରେ କନ୍ୟାପାତ୍ରୀ ଦେଖିବା ପାଇଁ ଉଦଳାରୁ ଖୁଣ୍ଟା ବ୍ଲକର ହାତୀସାହି ଗ୍ରାମକୁ ଯାଉଥିଲେ। ଅପରାହ୍ନ ପ୍ରାୟ ୪ଟା ୩୦ ରେ ଉଦଳା-ବାରିପଦା ରାଜ୍ୟ ରାଜପଥର ବୃନ୍ଦାଗଡ଼ି ଛକ ସଞ୍ଜନଦୀ ପୋଲ ଉପରେ ବିପରୀତ ଦୀଗରୁ ଆସୁଥିବା ଓଡି-୧୧ଜି-୦୯୭୩ ହୋଣ୍ଡା କାର୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପରବର୍ତ୍ତୀ ସମୟରେ ଟାଭେରାଟି ଭାରସାମ୍ୟ ହରାଇ କିଛି ଦୂର ଯାଇ ପୋଲରୁ ପ୍ରାୟ ୨୫ ଫୁଟ ତଳକୁ ଖସିପଡ଼ିଥିଲା। ଘଟଣା ସ୍ଥଳରେ ହିଁ ଡ୍ରାଇଭରଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଅନ୍ୟ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉଦଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର