କୋଇଡ଼ା: ପୁଣି ଚୁନାଘାଟିରେ ଦୁର୍ଘଟଣା। ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ୍ ଓଲଟିଲା। ଏଥିରେ ଚାଲିଯାଇଛି ଡ୍ରାଇଭରଙ୍କ ଜୀବନ। ଗତକାଲି ରାତି ପ୍ରାୟ ୧୧ଟାରେ ଘଟିଥିଲା ଏହି ଦୁର୍ଘଟଣା।  ପ୍ରାୟ ୮ ଘଣ୍ଟାର କସରତ ପରେ ଆଜି ସକାଳେ ଚାପି ହୋଇଥିବା ଚାଳକଙ୍କୁ ସକାଳେ ବାହାର କରିଛି ଅଗ୍ନିଶମ ବାହିନୀ। ଶବବ୍ୟବଚ୍ଛେଦ ଲାଗି ମୃତଦେହକୁ କୋଇଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

Advertisment

publive-image

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଠାରୁ ରାଜାମୁଣ୍ଡା ଜାତୀୟ ରାଜପଥ ୫୨୦ ନିର୍ମାଣ ପରେ ତୋଡା - ଜାମୁଡିହି ମଧ୍ୟରେ ଥିବା ଚୁନା ଘାଟି ଏବେ ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଥିବା ବେଳେ ଖଣି ଅଞ୍ଚଳବାସୀଙ୍କ ନିଦ ହଜାଇଛି। ଜାତୀୟ ରାଜପଥ ବିଭାଗ ପକ୍ଷରୁ ତ୍ରୁଟିପୂର୍ଣ୍ଣ ଘାଟି ରାସ୍ତା ନିର୍ମାଣ ହେବା ପର ଠାରୁ ଏଠାରେ ଦୈନନ୍ଦିନ ତିନିରୁ ଅଧିକ ମାଲବାହୀ ଟ୍ରକ୍ ଓ ଟିପର୍ ବ୍ରେକ୍ ଫେଲ୍ ହୋଇ ଭୀଷଣ ଦୁର୍ଘଟଣାର ଶିକାର ହେଉଛନ୍ତି ଓ ପ୍ରାଣହାନି ଘଟୁଛି। ଏମିତିକି ଗୋଟିଏ ବର୍ଷ ମଧ୍ୟରେ ୩୦ରୁ ଅଧିକ ଚାଳକ ଓ ହେଲ୍ପର ମୁତ୍ୟୁବରଣ କଲେଣି ଓ ବହୁତ ଗୁରୁତର ଭାବେ ଚିକିତ୍ସା ହୋଇ  ସାରା ଜୀବନ ପଙ୍ଗୁ ହୋଇ ପଡୁଛନ୍ତି।

publive-image

ଉକ୍ତ ଘାଟିଟି ଲମ୍ବା ଡାଉନ୍ ସହ ଦୁଇ ପାର୍ଶ୍ଵରେ ବଡ଼ ଖାଲ ରହିଛି, ସେଥିପାଇଁ ଗାଡ଼ି ସବୁ ଲୋଡ୍ ନେଇଗଲା ବେଳକୁ ବ୍ରେକ୍ ଆଉ କାମ କରେନି, ଯାହା ଫଳରେ ଦୁର୍ଘଟଣା ଘଟିବା ସହ ବହୁ ଗାଡ଼ିରେ ନିଆଁ ଲାଗିଯାଏ। ଏହି ସ୍ଥାନରେ କୌଣସି ମୋବାଇଲ୍ ନେଟ୍ଓ୍ୱାର୍କ ନ ଥିବାରୁ ପୁଲିସ୍ ,ଆମ୍ବୁଲାନ୍ସ ,ଅଗ୍ନିଶମ ବାହିନୀ, କ୍ରେନ୍ ସବୁ ପହଞ୍ଚିବା ପାଇଁ ବିଳମ୍ବ ମଧ୍ୟ ହୋଇଥାଏ। ଦୁର୍ଘଟଣା ଦୈନନ୍ଦିନ ଘଟୁଥିବାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ କ୍ରେନ୍ ,ଆମ୍ବୁଲାନ୍ସ ସେ ସ୍ଥାନରେ ରଖିଥାଆନ୍ତି କିନ୍ତୁ ଅତ୍ୟଧିକ ଦୁର୍ଘଟଣା ଘଟୁଥିବାରୁ ତାହା ମଧ୍ୟ କମ୍ ପଡ଼ିଯାଏ। ଗତକାଲି ମଧ୍ୟ ଦୁଇ ଗୋଟି ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଦୁର୍ଘଟଣା ହେବା ଫଳରେ ଦୀର୍ଘ ୪ ଘଣ୍ଟାର କସରତ ପରେ ସ୍ଥାନୀୟ ବାସୀନ୍ଦା ଓ ଅଗ୍ନିଶମ ବାହିନୀ ଚାପି ହୋଇଥିବା  ଚାଳକକୁ ବାହାର କରିଥିଲେ। ଗୁରୁତର ଉଭୟ ଚାଳକଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ଦୈନନ୍ଦିନ ଦୁର୍ଘଟଣାର ଯୋଗୁଁ ସ୍ଥାନୀୟ ଲୋକେ ଏ ଘାଟି ଦେଇ ଯିବାକୁ ଭୟ କଲେଣି। ଏଥିପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଶୀଘ୍ର ସମାଧାନର ବାଟ ନ ବାହାର କଲେ ଏମିତି ମୃତ୍ୟୁ ତାଣ୍ଡବ ଲାଗି ରହିବ ବୋଲି ଆଶଙ୍କା କରାଯାଉଛି।