ବାହାନଗା: ଖନ୍ତାପଡ଼ା ଥାନା ଅଧୀନ ଖନ୍ତାପଡ଼ା ପୁରୁଣା ବଜାର ଅଞ୍ଚଳରେ ତହସିଲଦାର ହିମାଂଶୁ ଶେଖର ଗିରି ସଦଳବଳ ଚଢ଼ଉ କରିଥିଲେ ଏବଂ ବେଆଇନ୍‌ ମୋରମ୍‌ ବୋଝେଇ ଏକ ଟ୍ରକ୍‌କୁ ଜବତ କରିଥିଲେ। ପରେ ଗାଡ଼ିଟିକୁ ଖନ୍ତାପଡ଼ା ଥାନାରେ ଜିମା ଦେବା ପାଇଁ ନିଆଯାଇଥିଲା। ଟ୍ରକ୍‌ରେ ମଙ୍ଗଳ ମାଝୀ ନାମକ ଜଣେ ତହସିଲ କର୍ମଚାରୀ ବସିଥିଲେ। ତେବେ ଏହି ସମୟରେ ଡ୍ରାଇଭର ଗାଡ଼ିଟିକୁ ଥାନା ବଦଳରେ ବିଦୁ ଦେଇ ନୀଳଗିରି ଆଡ଼କୁ ନେଇଯାଇଥିଲେ। ତହସିଲଦାର ଶ୍ରୀ ଗିରି ଟ୍ରକ୍‌ର ପିଛା କରିଥିଲେ ବି ଧରିପାରି ନଥିଲେ।

Advertisment

ତେବେ ନୀଳଗିରି ଈଶ୍ୱରପୁରଠାରେ ସ୍ଥାନୀୟ ଫାଣ୍ଡିର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ଦେଖି ଡ୍ରାଇଭର ଗାଡ଼ିର ବେଗ କମାଇଥିଲେ। ଯାହାର ସୁଯୋଗ ନେଇ ଶ୍ରୀ ମାଝୀ ଜୀବନ ବିକଳରେ ଟ୍ରକ୍‌ରୁ ଡେଇଁ ପଡ଼ିଥିଲେ। ଶ୍ରୀ ମାଝୀ ଗୁରୁତର ଆହତ ହୋଇଥିବା ବ‌େଳେ ଡ୍ରାଇଭର ଗାଡ଼ି ନେଇ ଫେରାର୍‌ ହୋଇଯାଇଥିଲେ। ଈଶ୍ୱରପୁର ଫାଣ୍ଡି ପକ୍ଷରୁ କର୍ମଚାରୀ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ତହସିଲଦାର ହିମାଂଶୁ ଶେଖର ଗିରି ଶ୍ରୀ ମାଝୀଙ୍କ ଚିକିତ୍ସା ବ୍ୟବସ୍ଥା କରାଇଛନ୍ତି। ଉପ ଜିଲ୍ଲାପାଳ ମୋତିଲାଲ କୁନାଲ ଚୌହାନ ଘଟଣା ବାବଦରେ ଅନୁଧ୍ୟାନ କରିଥିବା ବ‌େଳେ ତହସିଲଦାର ଶ୍ରୀ ଗିରିଙ୍କ ଅଭିଯୋଗ ମୂଳେ ଖନ୍ତାପଡ଼ା ଥାନାରେ ୧୧୦/୨୩ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।