ରାଜଧାନୀରେ ଡ୍ରାଇଭର ଆନ୍ଦୋଳନ: ଭୋକରେ ଆଉଟୁପାଉଟୁ

ବିକ୍ଷୋଭ ପ୍ରଦର୍ଶନ ପାଇଁ ଗତକାଲି ରାତିରୁ ଡ୍ରାଇଭର୍ମାନେ ରାଜଧାନୀକୁ ଆସି ଡେରା ପକାଇଥିଲେ। ଏତେ ବଡ଼ ସମାବେଶ ବିଷୟରେ କାହାକୁ ଜଣାନଥିଲା। ତେଣୁ ଲୋୟର୍‌ ପିଏମ୍‌ଜି ନିକଟସ୍ଥ କୌଣସି ହୋଟେଲ ଏଥିପାଇଁ ପ୍ରସ୍ତୁତ ନଥିଲେ। ପୂର୍ବାହ୍ନ ୧୧ଟା ବେଳକୁ ଲୋୟର୍ ପିଏମ୍‌ଜି ଓ ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲରେ ଗାଡ଼ି ଚାଳକଙ୍କ ଲମ୍ବା ଲାଇନ୍ ଲାଗିଥିଲା। ମାତ୍ର ହଠାତ୍ ଏତେ ସଂଖ୍ୟକ ଗ୍ରାହକଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବ ହୋଇନଥିଲା। ଭୋକ ବିକଳରେ ବହୁ ଗାଡ଼ି ଚାଳକ ବୁଲି ବୁଲି ହୋଟେଲ ଖୋଜିବାକୁ ଲାଗିଲେ ବି କିଛି ଲାଭ ହୋଇନଥିଲା। ସବୁଆଡ଼େ ସମାନ ଅବସ୍ଥା। ଏଣେ ମୁଣ୍ଡଫଟା ଖରା ଓ ପେଟରେ ପ୍ରବଳ ଭୋକ। ବହୁ ଗାଡ଼ିଚାଳକ ପାଣି ପିଇ ଭୋକ ମେଣ୍ଟାଉଥିବା ଦେଖିବାକୁ ମିଳିଥିଲା। ବହୁ ଗାଡ଼ି ଚାଳକ ଚା’, ବିସ୍କୁଟ ଓ ପାଉଁରୁଟି ଖାଇ ଭୋକ ମାରିଥିଲେ।

ବିଧାୟକ ଓ ମନ୍ତ୍ରୀଙ୍କ କ୍ୱାର୍ଟର୍ସ ଆଗରେ ଶୋଇଲେ

ଲୋୟର୍ ପିଏମ୍‌ଜିରେ ଏତେ ସଂଖ୍ୟାରେ ଭିଡ଼ ହୋଇଥିଲା ଯେ ଗୋଡ଼ ପକାଇବାକୁ ସ୍ଥାନ ମିଳିନଥିବା ଭଳି ସ୍ଥିତି ଉପୁଜିଥିଲା। ଟାଣ ଖରା ସାଙ୍ଗକୁ ଜନଗହଳି ପରିବେଶକୁ ଅଧିକ ଉତ୍ତପ୍ତ କରିଦେଇଥିଲା। ତେଣୁ ବିକ୍ଷୋଭରେ ଯୋଗ ଦେବେ କ’ଣ, କିଛି ଚାଳକ ଛାଇ ଜାଗା ଖୋଜିବାକୁ ଲାଗିଥିଲେ। ଯିଏ ଯେଉଁଠି ଛାଇ ଜାଗା ଦେଖିଲା, ଆଗତୁରା ମାଡ଼ି ବସିଲା। ବିଶେଷକରି ଗଛ ତଳ ଦେଖି ଗାମୁଛା ପକାଇ ଅନେକ ଚାଳକ ଶୋଇପଡ଼ିଲେ। କିଛି ଚାଳକ ମନ୍ତ୍ରୀ ଓ ବିଧାୟକଙ୍କ କ୍ୱାର୍ଟର୍ସ ସାମ୍ନାରେ ଶୋଇଥିବା ଦେଖିବାକୁ ମିଳିଥିଲା।

ସରକାରୀ କର୍ମଚାରୀଙ୍କୁ ବାଟ ଛାଡ଼ିଲେନି

ଏତେ ବଡ଼ ସମାବେଶ ବିଷୟରେ କାହାକୁ ଆଗୁଆ ଜଣାନଥିଲା। ଅଠାତ୍ ଲୋୟର୍ ପିଏମ୍‌ଜି ଲୋକାରଣ୍ୟ ହୋଇପଡ଼ିଥିଲା। ହଜାର ହଜାର ସଂଖ୍ୟାରେ ଚାଳକମାନେ ଏକତ୍ରିତ ହେବା ଫଳରେ ରାସ୍ତା ପୂରା ଜାମ୍‌ ହୋଇଯାଇଥିଲା। ସାଧାରଣ ଲୋକେ ଯାତାୟାତ କରିବା କାଠିକର ହୋଇପଡ଼ିଥିଲା। ଆଜି ସୋମବାର ଥିବାରୁ ପୂର୍ବାହ୍ନ ୧୦ଟା ସମୟରେ ସେହି ବାଟ ଦେଇ ଅନେକ ସରକାରୀ କର୍ମଚାରୀ ଅଫିସ୍ ଯାଉଥିଲେ। ହେଲେ ବିକ୍ଷୋଭକାରୀମାନେ କାହାକୁ ବାଟ ଛାଡ଼ିନଥିଲେ। ବରଂ କେହି ବାଟ ଛାଡ଼ିବାକୁ ଅନୁରୋଧ କଲେ, ଚାଳକମାନେ ପାଲଟା ଯୁକ୍ତିତର୍କ କରୁଥିଲେ।

ମାରପିଟ୍‌ରେ ୨ ଅଟୋ ଚୂର୍‌ମାର

ଓଡ଼ିଶା ଡ୍ରାଇଭର ମହାସଂଘର ବିଶାଳ ସମାବେଶ ପାଇଁ ଆଜି ୧୨ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାଜଧାନୀର ରାସ୍ତାଘାଟ ଜାମ୍ ହୋଇଥିଲା। ଏହା ମଧ୍ୟରେ ଯାତ୍ରୀମାନଙ୍କୁ ନେଇ କିଛି ଅଟୋ ଚାଳକ ଯାଉଥିଲେ। ସେମାନଙ୍କୁ ଅଟକାଇଥିଲେ ବିକ୍ଷୋଭକାରୀ ଚାଳକମାନେ। ଏହାକୁ ନେଇ ବଚସା ହୋଇଥିଲା। ବିକ୍ଷୋଭକାରୀ ଗାଡ଼ି ଚାଳକମାନେ ଦୁଇଟି ଅଟୋକୁ ଠେଙ୍ଗାରେ ପିଟିପିଟି ଭାଙ୍ଗି ପକାଇଥିଲେ। ତେବେ ଏହି ଘଟଣାକୁ ନେଇ ଡ୍ରାଇଭର ମହାସଂଘ ଅସ୍ବୀକାର କରିଛି। ସଂଘ ସଫେଇ ଦେଇଛି ଯେ ଭଙ୍ଗାରୁଜା ଓ ମାରପିଟ୍‌ରେ ସଂଘର କୌଣସି ସମ୍ପୃକ୍ତି ନାହିଁ। ସଂଘକୁ ବଦନାମ୍ କରିବାକୁ କିଛି ଅସାମାଜିକ ଗୋଷ୍ଠୀ ଏଭଳି ଷଡ଼୍‌ଯନ୍ତ୍ର କରିଛନ୍ତି। ସମାବେଶସ୍ଥଳରେ ଖାକି ପୋଷାକ ପିନ୍ଧି ବୁଲୁଥିବା ସମସ୍ତେ ସଂଘର ସଦସ୍ୟ ନଥିଲେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଯାତ୍ରୀଙ୍କ ଯନ୍ତ୍ରଣା

ଗାଡ଼ି ଚଳାଚଳ ବନ୍ଦ ଦ୍ବାରା ଟ୍ରେନ୍‌ ଓ ବସ୍‌ ଯାତ୍ରୀଙ୍କୁ ଆଜି ନାକେଦମ ହେବାକୁ ପଡ଼ିଛି। ମାଷ୍ଟରକ୍ୟାଣ୍ଟିନ୍‌ ରେଳ ଷ୍ଟେସନ ଓ ବସ୍‌ଷ୍ଟାଣ୍ଡକୁ ଯାଉଥିବା ଯାତ୍ରୀମାନେ ଅଧା ବାଟରୁ ଓହ୍ଲାଇବାକୁ ପଡ଼ିଥିଲା। ପିଲା, ଛୁଆଙ୍କୁ କାଖରେ ଧରି ୩ରୁ ୪ କିମି ପର୍ଯ୍ୟନ୍ତ ମୁଣ୍ଡଫଟା ଖରାରେ ଚାଲି ଚାଲି ରେଳ ଷ୍ଟେସନକୁ ଯାଇଥିଲେ। ପିଲାଙ୍କୁ ଧରିବା ସହ ବ୍ୟାଗ୍‌ ବୋଝ ଯାତ୍ରୀଙ୍କୁ ଭାରି ବାଧିଥିଲା। ଗାଡ଼ି ନ ମିଳିବାରୁ ଚାଲି ଚାଲି ଯିବାର ଯନ୍ତ୍ରଣା ସମ୍ପର୍କ‌ରେ କହିଲା ବେଳେ କେହି କେହି କାନ୍ଦି ପକାଇଥିଲେ। ବହୁ ଯାତ୍ରୀ ବ୍ୟାଗ୍‌ଗୁଡ଼ିକୁ ମୁଣ୍ଡରେ ବୋହି ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର