ଡ୍ରାଇଭର ଆନ୍ଦୋଳନ ସ୍ଥଗିତ: ୩ ମାସ ପାଇଁ ଆଶ୍ବସ୍ତି

୯୦ ଦିନରୁ ୯୧ ହେଲେ ନବୀନ ନିବାସ ଆଗରେ ଆତ୍ମାହୁତି, ସ୍ବାଭାବିକ ସ୍ଥିତିକୁ ଫେରୁଛି ପରିବହନ ବ୍ୟବସ୍ଥା

ଭୁବନେଶ୍ବର/ଅନୁଗୁଳ : ୩ ଦିନର ଆନ୍ଦୋଳନ ପରେ ଡ୍ରାଇଭରମାନେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଶୁକ୍ରବାର ଅପରାହ୍ନରେ ଡ୍ରାଇଭର ଏକତା ମହାମଞ୍ଚର ସଭାପତି ପ୍ରଶାନ୍ତ ମେଣ୍ଡୁଲି ଏକ ଭିଡିଓ ବାର୍ତ୍ତା ଜରିଆରେ ଆନ୍ଦେଳନ ସ୍ଥଗିତ ରହିଥିବା ସଂପର୍କରେ ସୂଚନା ଦେଇଛନ୍ତି। ଲୋକମାନଙ୍କ ସମସ୍ୟା ଓ ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତିକୁ ନଜରରେ ରଖି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିଯିବା ପରେ ରାଜ୍ୟରେ ପରିବହନ ବ୍ୟବସ୍ଥା ଧୀରେ ଧୀରେ ସ୍ବାଭାବିକ ପରିସ୍ଥିତିକୁ ଫେରୁଛି।

ଅନୁଗୁଳରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମେଣ୍ଡୁଲି କହିଛନ୍ତି, ରାଜ୍ୟ ସରକାର ଡ୍ରାଇଭରମାନଙ୍କୁ ହାଲ୍‌କାରେ ନେଇଥିଲେ। ଡ୍ରାଇଭରମାନେ ଯେ ଏତେ ବଡ଼ଧରଣର ଆନ୍ଦୋଳନ କରିପାରିବେ ସରକାର ତାହା ହୃଦୟଙ୍ଗମ କରିପାରି ନଥିଲେ। ଡ୍ରାଇଭରମାନଙ୍କ ଦାବି ପୂରଣ ନେଇ ରାଜ୍ୟ ସରକାର ଗତକାଲି ୩ମାସ ସମୟ ନେଇଥିବା ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ପୂର୍ବରୁ ଡ୍ରାଇଭରମାନଙ୍କ ପାଇଁ ରାଜ୍ୟ ସରକାର କିଛି କରି ନ ଥିଲେ। ତେଣୁ ଏଥର ୩ମାସ ସମୟ ନେଇଛନ୍ତି। ଲିଖିତ ପ୍ରତିଶ୍ରୁତି ସମ୍ପର୍କରେ ଓକିଲ ଓ ଅନ୍ୟମାନଙ୍କ ପରାମର୍ଶ ନିଆଯାଇଥିଲା। ଲିଖିତ ପ୍ରତିଶ୍ରୁତିର ଗୁରୁତ୍ବ ରହିଥିବା ସେମାନେ କହିଥିଲେ। ଆନ୍ଦୋଳନ ଯୋଗୁ ଲୋକଙ୍କ ସମସ୍ୟା ହେଉଛି। ପେଟ୍ରୋଲ ପମ୍ପ୍‌ରୁ ପେଟ୍ରୋଲ ସରିବାକୁ ବସିଲାଣି। ଲୋକଙ୍କ ଅସୁବିଧା ଓ ସରକାରଙ୍କ ପ୍ରତିଶ୍ରୁତିକୁ ଦେଖି ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ‘ଦାବି ପୂରଣ ପାଇଁ ସରକାର ନେଇଥିବା ୯୦ଦିନରୁ ଯଦି ୯୧ଦିନ ହୁଏ, ତା’ହେଲେ ଆମେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବୁ। ଲକ୍ଷ ଲକ୍ଷ ଡ୍ରାଇଭର ନବୀନ ନିବାସ ଯିବେ ଓ ସମୂହ ଆତ୍ମାହୁତି ଦେବେ,’ ବୋଲି ସେ ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ, ଆନ୍ଦୋଳନ ବେଳେ ହୋଇଥିବା ହିଂସାକାଣ୍ଡକୁ ସେ ଅସ୍ବୀକାର କରିଛନ୍ତି। କିଛି ଅସାମାଜିକ ଲୋକ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏମିତି କାଣ୍ଡ ଭିଆଇଛନ୍ତି ବୋଲି ସେ କହିଛନ୍ତି। ଆନ୍ଦୋଳନ ‌ବେଳେ ଯେଉଁ ଡ୍ରାଇଭର୍‌ଙ୍କ ନାମରେ ମାମଲା ହୋଇଛି, ତାହାକୁ ପ୍ରତ୍ୟାହାର କରିବା ପାଇଁ ସେ ସରକାରଙ୍କୁ ନିବେଦନ କରିଛନ୍ତି।

ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭର ମହାମଞ୍ଚକୁ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଡ୍ରାଇଭରମାନେ ଏଥିରେ ସନ୍ତୁଷ୍ଟ ହୋଇ ନ ଥିଲେ। ଆଜି ପୁଣିଥରେ ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ପୂର୍ବଭଳି ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ, ଅତ୍ୟାବଶ୍ୟକ ସମାଗ୍ରୀ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା। ରାଜଧାନୀ ସମେତ ରାଜ୍ୟର କିଛି ସ୍ଥାନରେ ‌ତେଲର ଅଭାବ ଦେଖିବାକୁ ମିଳିଥିଲା। ଯେଉଁ ତେଲ କମ୍ପାନିମାନଙ୍କର ନିଜସ୍ବ ଗାଡ଼ି ରହିଛି, ସେମାନେ ତେଲ ଡେଲିଭରି ଦେଉଥିବା ବେଳେ ଅନ୍ୟ କମ୍ପାନିମାନେ ଟ୍ରାନ୍ସପୋର୍ଟ କମ୍ପାନି ଉପରେ ନିର୍ଭର କରିଥା’ନ୍ତି। ମାତ୍ର, ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ତାହା ବାଧାପ୍ରାପ୍ତ ହୋଇଥିଲା। ଯଦି ଆସନ୍ତା କିଛିଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଥାନ୍ତା ତାହାଲେ ରାଜ୍ୟବ୍ୟାପୀ ଲୋକମାନଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାନ୍ତା।

ଶୁକ୍ରବାର ସକାଳେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଡ୍ରାଇଭର ମହାମଞ୍ଚକୁ ଆନ୍ଦୋଳନରୁ ଓହରିଯିବାକୁ ନିବେଦନ କରିଥିଲେ। ଶ୍ରୀ ଜେନା କହିଥିଲେ, ଗତକାଲି ଆଲୋଚନା ପରେ ଲିଖିତ ପ୍ରତିଶ୍ରୁତି ଦିଆଯାଇଥିଲା। ତଥାପି ସେମାନେ ଆଜି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଧର୍ମଘଟ ପାଇଁ ସାଧାରଣ ଜନତା, ପରୀକ୍ଷାର୍ଥୀ ଓ ରୋଗୀମାନେ ଯେପରି ହନ୍ତସନ୍ତ ନ ହୁଅନ୍ତି, ତେଣୁ ଡ୍ରାଇଭରମାନେ ତୁରନ୍ତ ଧର୍ମଘଟରୁ କ୍ଷାନ୍ତ ରୁହନ୍ତୁ। ରାଜ୍ୟ ସରକାର ସେମାନଙ୍କ ଦାବି ନିଶ୍ଚିତ ପୂରଣ କରିବେ ବୋଲି ଶ୍ରୀ ଜେନା କହିଥିଲେ। ସେହିପରି ପୁଲିସ ମହାନିର୍ଦେଶକ ସୁନୀଲ ବଂଶଲ ଆନ୍ଦୋଳନରତ ଡ୍ରାଇଭରମାନଙ୍କୁ ଚେତାବନୀ ଦେଇଥିଲେ। ଶ୍ରୀ ବଂଶଲ କହିଥିଲେ, ପ୍ରତିଶ୍ରୁତି ସତ୍ତ୍ବେ ଡ୍ରାଇଭର ମହାମଞ୍ଚ ଆନ୍ଦୋଳନ କରୁଛନ୍ତି। ଏହା ବେଆଇନ। ଗତକାଲି ପୁଲିସକୁ ଆକ୍ରମଣ ହୋଇଛି। ଆଇନକୁ ହାତକୁ ନିଆଯାଇଛି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଉଲ୍ଲେଖଯୋଗ୍ୟ ଯେ ଡ୍ରାଇଭର ଏକତା ମହାମଞ୍ଚ ୧୦ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା। ଦାବି ମଧ୍ୟରେ ଡ୍ରା‌ଇଭରମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା, ଲୋକଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଆଣିବା, ୫୫ବର୍ଷ ପରେ ମାସିକ ୫ହଜାର ଟଙ୍କା ପେନସନ ପ୍ରଦାନ ସହ ଗୃହ ନିର୍ମାଣ ପାଇଁ ୫ଲକ୍ଷ ସହାୟତା, ରାସ୍ତାର ୧୦୦ କି.ମି ଅନ୍ତରରେ ବିଶ୍ରାମାଗାର ଓ ଗାଡ଼ି ପାର୍କିଂ ସ୍ଥଳ ନିର୍ମାଣ କରାଯାଉ। ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କୁ ୨୦ଲକ୍ଷ ଟଙ୍କାର ବୀମା ଓ ଅଙ୍ଗ ହରାଇଲେ ୧୦ଲକ୍ଷ ବୀମା ସହିତ ଚିକିତ୍ସା ସହାୟତା, ଡ୍ରାଇଭର ସଂଖ୍ୟା ସର୍ଭେ ଓ କାର୍ଯ୍ୟ ସମୟସୀମା ଧାର୍ଯ୍ୟ କରିବା, ଡ୍ରାଇଭରଙ୍କୁ ଦ୍ବିତୀୟ ସୈନିକ ମାନ୍ୟତା, ସେମାନଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷାର ବ୍ୟବସ୍ଥା, ଗାଡ଼ି ଚେକିଂ ଆଳରେ ଡ୍ରାଇଭରଙ୍କୁ ହଇରାଣ ନ କରିବା ଓ ଡ୍ରାଇଭିଂ ଲାଇସେନ୍ସ ୧୫ହଜାର ଟଙ୍କାକୁ କମାଇବା ଦାବି ରହିଥିଲା।

ସମ୍ବନ୍ଧିତ ଖବର