ନକଲି ଡାକ୍ତର ରଙ୍ଗିଲା ରମେଶ ମାମଲା: ଚାଳକ ପପୁର ଲୁଚକାଳି ଖେଳ ଖତମ୍‌

ପ୍ରଥମ ପତ୍ନୀଙ୍କ ସହ ମୁହାଁମୁହିଁ ଜେରା, ରିମାଣ୍ଡରେ ଆସିପାରେ ରମେଶ

ଭୁବନେଶ୍ବର : ବେଶ୍ କିଛି ଦିନ ଲୁଚକାଳି ଖେଳିବା ପରେ ନକଲି ଡ଼ାକ୍ତର ରଙ୍ଗିଲା ରମେଶର ଡାହାଣ ହାତ କୁହାଯାଉଥିବା ଚାଳକ ଚିତ୍ତରଂଜନ ପଟ୍ଟନାୟକ ଓରଫ ପପୁ(୫୪) ‌ଶେଷରେ ଧରାପଡ଼ିଛି। ଖୋର୍ଦ୍ଧା ଚକାପାଦ ଗଡ଼ତରାସ୍ଥିତ ଘରୁ ତାକୁ କମିସନରେଟ୍‌ ପୁଲିସ ଠାବ କରି ଉଠାଇଛି। ଥାନାରେ ହାଜର ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ତାକୁ ବାରମ୍ବାର ନୋଟିସ୍‌ କରାଯାଇଥିଲା। କିନ୍ତୁ ସେ ଧରାଛୁଆଁ ଦେଉନଥିଲା। ପୁଲିସକୁ ଚକ୍‌ମା ଦେଇ ଲୁଚକାଳି ଖେଳି ଚାଲିଥିଲା। ତେବେ ବୁଧବାର ବିଳମ୍ବିତ ରାତିରେ ପୁଲିସ ଟିମ୍‌ ତା’ ଘରେ ଚଢ଼ଉ କରି ତାକୁ କାବୁ କରିଛି। ଏବେ ତାକୁ ମହିଳା ଥାନା ପୁଲିସ ଅଟକ ରଖି ପଚରାଉଚରା କରୁଛି। ଏଣିକି ନକଲି ଡାକ୍ତର ରମେଶର ଅନେକ ରହସ୍ୟ ଉପରୁ ପର୍ଦ୍ଦା ହଟିବ ବୋଲି ଆଶା କରାଯାଉଛି। ତେଣୁ ପୁଣି ଥରେ ପୁଲିସ ରମେଶକୁ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି।

ଚାଳକ ପପୁ ହିଁ ନକଲି ଡାକ୍ତର ରମେଶର ବାହାଘର ଠାରୁ ଆରମ୍ଭ କରି ମେଡିକାଲ୍‌ ସିଟ୍‌ କରାଇଦେବା ନାଁରେ ଠକେଇ କରିବା ପର୍ଯ୍ୟନ୍ତ ସମସ୍ତ ଘଟଣାର କର୍ଣ୍ଣଧାର ସାଜିଥିଲା। ବାହାଘରରେ ପପୁ ମଧ୍ୟସ୍ଥତା କରି ରମେଶକୁ ଡାକ୍ତର ବୋଲି ପରିଚୟ କରାଉଥିଲା। ବାହାଘର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ କାମରେ ତାର ଉପସ୍ଥିତି ଥିଲା। ସେହିଭଳି ରମେଶ ଇଂଗିତରେ କାହା ପାଇଁ ମେଡିକାଲ୍‌ ସିଟ୍‌ କରାଇଦେବ ତ କାହାକୁ ବ୍ୟବସାୟ କରାଇଦେବ କହି ଲୋକଙ୍କୁ ଭୂଆଁ ବୁଲାଉଥିଲା। ଲୋକ ଠିକ୍‌ କରିବା ପରେ ସେମାନଙ୍କୁ ରମେଶ ପାଖକୁ ଆଣି ଡିଲ୍‌ ଫାଇନାଲ୍‌ କରୁଥିଲା। ଏମିତି ଉଭୟ ମିଶି ଲୋକଙ୍କୁ କୋଟି କୋଟି ଟଙ୍କା ଚୂନ ଲଗାଉଥିଲେ। ଯେଉଁଥିରେ ପପୁର ମଧ୍ୟ ବଡ଼ଭାଗ ରହୁଥିଲା। ତେଣୁ ପପୁର ଆର୍ଥିକ କାରବାର ନେଇ ପୁଲିସ ଖୋଳତାଡ୍‌ ଆରମ୍ଭ କରିଛି। ‌ତାର ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଯାଞ୍ଚ କରାଯାଉଛି। ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ପାଇଁ ଆକାଉଣ୍ଟ ଥିବା ସମସ୍ତ ବ୍ୟାଙ୍କକୁ ଚିଠି କରାଯାଇଛି।

ସବୁ ମାଟ୍ରିମୋନି ସାଇଟ୍‌କୁ ପୁଲିସ ଚିଠି
ମାଟ୍ରିମୋନି ସାଇଟ୍‌ରୁ ରମେଶର କେତେ ଜଣ ମହିଳାଙ୍କ ସମ୍ପର୍କରେ ଆସିଥିଲା? କେତେ ମହିଳାଙ୍କ ସହ ବାହାଘର ହୋଇଛି? କେଉଁ କେଉଁ ସାଇଟ୍‌ରେ ‌କ’ଣ ପରିଚୟ ରଖୁଥିଲା। ନିଜର ବା‌‌ୟୋଡାଟାରେ କ’ଣ ତଥ୍ୟ ଦେଉଥିଲା? ତା’ର ସାଇଟ୍‌କୁ ସେ ନିଜେ ନା ଅନ୍ୟ କେହି ବ୍ୟବହାର କରୁଥିଲା। ଏମିତି ଅନେକ ଦିଗ ଉପରେ ପୁଲିସ ଜାଣିବାକୁ ସମସ୍ତ ମାଟ୍ରିମୋନି ସାଇଟ୍‌କୁ ଚିଠି କରିଛି।

ପ୍ରଥମ ପତ୍ନୀଙ୍କ ସହ ମୁହାଁ ମୁହିଁ ଜେରା
ବହୁଦିନ ହେବ ପୁଲିସ ରମେଶଙ୍କ ପ୍ରଥମ ପତ୍ନୀ ଓ ପପୁକୁ ମୁହାଁମୁହିଁ କରିବାକୁ ଚାହୁଁଥିଲା। ଏଥିପାଇଁ ଉଭଙ୍କୁ ଡ଼ାକିଥିଲେ ବି କେହି ସହଜରେ ଧରାଦେଉନଥିଲେ। ହେଲେ ପୁଲିସ ସମ୍ମୁଖରେ ପରସ୍ପରକୁ ଦେଖିବା ପରେ ଚକିତ ହୋଇପଡ଼ିଥିଲେ। ପୁଲିସଠୁ ଦୂରେଇବା ପାଇଁ ବାଟ ବି କିଛି ନଥିଲା। ପୁଲିସ ଉଭୟଙ୍କୁ ବିଭିନ୍ନ ଦିଗ ଉପରେ ୨ଘଣ୍ଟାକାଳ ମୁହାଁମୁହିଁ ଜେରା କରିଥିଲା। ପୁଲିସ ପ୍ରଶ୍ନରେ ଉଭୟଙ୍କ ପାଟି ଖନି ମାରିଥିଲା।

ସମ୍ବନ୍ଧିତ ଖବର