ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡ୍ରାଇଭର୍, ଫାର୍ମାସିଷ୍ଟ୍ ଓ ଭଉଣୀ ସଙ୍ଗରୋଧରେ

ଫେକ୍‌ କଲ୍‌ରେ ୧୦୨ ଆମ୍ବୁଲାନ୍ସ୍‌ ଅପବ୍ୟବହାର, ସୂର୍ଯ୍ୟନଗରରୁ ଭଉଣୀକୁ ଆଣିଲେ ଫାର୍ମାସିଷ୍ଟ

ଶେରଗଡ଼ : ଫେକ୍ କଲ୍ କରି ୧୦୨ ଆମ୍ବୁଲାନ୍ସ୍‌କୁ କଟକ ଶିଶୁ ଭବନ ପର୍ଯ୍ୟନ୍ତ ନେଲେ। ଆଉ ଫେରିବା ବେଳେ ସେଥିରେ ରାଜ୍ୟର ହଟ୍‌ସ୍ପଟ୍ ଇଲାକା ଭୁବନେଶ୍ବରର ସୂର୍ଯ୍ୟନଗର ଅଞ୍ଚଳରୁ ନିଜ ଭଉଣୀଙ୍କୁ ଗାଁକୁ ଆଣିଲେ। ଗଞ୍ଜାମ ଜିଲ୍ଲା ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୧୦୮ ଆମ୍ବୁଲାନ୍ସ୍ ଫାର୍ମାସିଷ୍ଟ୍‌ଙ୍କ ଏଭଳି ବେଆଇନ୍ କାର୍ଯ୍ୟ ଓ ସମ୍ବେଦନଶୀଳ ଘଟଣା ସାରା ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସପ୍ତାହକ ତଳର ଏହି ଘଟଣା ଗତକାଲି ରାତିରେ ପ୍ରଘଟ ହେବା ପରେ ୧୦୨ ଆମ୍ବୁଲାନ୍ସ୍ ଡ୍ରାଇଭରଙ୍କୁ ଆଜି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ହୋଇଥିବା କ୍ବାରାଣ୍ଟିନ୍‌କୁ ପଠାଯାଇଛି। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ ହୋଇଛି। ସଂପୃକ୍ତ ଫାର୍ମାସିଷ୍ଟ୍ ଓ ତାଙ୍କ ଭଉଣୀଙ୍କୁ ନିଜ ଗାଁ ସୋରଡ଼ା ବ୍ଲକ୍ ସୁରମଣିରେ ସଙ୍ଗରୋଧ ଗୃହରେ ରଖାଯାଇଛି। ଏହି ଘଟଣା ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଖାନା କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।

ମିଳିଥିବା ସୂଚନାନୁସାରେ, ସୂର୍ଯ୍ୟନଗରରେ ରହୁଥିବା ଭଉଣୀକୁ ନିଜ ଗାଁକୁ ଆଣିବାକୁ ୧୦୮ ଆମ୍ବୁଲାନ୍ସ୍ ଫାର୍ମାସିଷ୍ଟ୍ ଚାହିଁଥିଲେ। କିନ୍ତୁ କୌଣସି ଯାନବାହନ ଚଳାଚଳ ଫାର୍ମାସିଷ୍ଟ୍‌ଜଣକ ଭଉଣୀକୁ ଆଣିବାକୁ ଅଭିନବ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ ସେ ୧୦୨ ନମ୍ବରକୁ ନିଜେ ରୋଗୀଙ୍କ ସଂପର୍କୀୟ ସାଜି ଫେକ୍ କଲ୍ କରିଥିଲେ। କଣ୍ଟ୍ରୋଲ୍‌ ରୁମ୍‌ରୁ ନିର୍ଦ୍ଦେଶ ମିଳିବା କ୍ଷଣି, ଶେରଗଡ଼ ଡାକ୍ତରଖାନାରେ ଥିବା ୧୦୨ ଆମ୍ବୁଲାନ୍ସ୍ ଧରି ସେ ସଂଗେ ସଂଗେ କଟକ ଶିଶୁ ଭବନକୁ ବାହାରିପଡ଼ିଥିଲେ। ସରକାରୀ ରେକର୍ଡରେ ୧୦୨ କଟକ ଯାଇଥିଲା, ହେଲେ ଫାର୍ମାସିଷ୍ଟ୍‌ଙ୍କ ଉଦ୍ଦେଶ୍ୟ ଭିନ୍ନ ଥିଲା। ଫେରିବା ସମୟରେ ସେ ସୂର୍ଯ୍ୟନଗରରେ ରହୁଥିବା ଭଉଣୀକୁ ଆମ୍ବୁଲାନ୍ସ୍‌ରେ ବସାଇ ସୋରଡ଼ା ବ୍ଲକ୍‌ ସୁରମଣି ଗ୍ରାମରେ ପହଞ୍ଚିଥିଲେ। କିନ୍ତୁ ଗ୍ରାମବାସୀ ଉଭୟଙ୍କୁ ଛାଡ଼ି ନଥିଲେ। ସେଠାରେ ସେମାନଙ୍କୁ ସଙ୍ଗରୋଧ ଘରେ ରଖାଯାଇଥିଲା। ଫାର୍ମାସିଷ୍ଟ୍‌ ଜଣକ ଡାକ୍ତରଖାନାରେ ଅନୁପସ୍ଥିତ ରହିବାରୁ ଏହି ଘଟଣା ଗତକାଲି ସାମ୍ନାକୁ ଆସିଥିଲା।

ଅନ୍ୟପକ୍ଷରେ ୧୦୨ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପରୀକ୍ଷା ପାଇଁ ପଠାଇଛନ୍ତି। କିନ୍ତୁ କର୍ମଚାରୀ ଆତଙ୍କିତ ହୋଇ ରହିଛନ୍ତି। ତେବେ ଶେରଗଡ଼ର ୧୦୨ ଆମ୍ବୁଲାନ୍ସ୍‌ କେଉଁ ପରିସ୍ଥିତିରେ ରେଫରାଲ୍ ଡାକ୍ତରଖାନା ବ୍ରହ୍ମପୁର ବଡ଼ ଡାକ୍ତରଖାନା ଛାଡ଼ି କଟକ ଗଲା ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଉ ରାଜ୍ୟର ହଟ୍‌ସ୍ପଟ୍‌ ଇଲାକାରୁ ମହିଳାଙ୍କୁ ସେଥିରେ ଅଣାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଡାକ୍ତରଖାନା କର୍ମଚାରୀମାନେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଶେରଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନି।

ସମ୍ବନ୍ଧିତ ଖବର