ବୋଲଗଡ଼: ହୃଦ୍ଘାତ ହେବା ସତ୍ତ୍ବେ ଷ୍ଟିୟରିଂ ଛାଡ଼ିନଥିଲେ। ଅସହ୍ୟ ଯନ୍ତ୍ରଣା ଭିତରେ ଗାଡ଼ିର ବେଗ କମାଇ ରାସ୍ତାକଡ଼ରେ ସୁରକ୍ଷିତ ରଖି ଦେଲେ। ନିଜ ଜୀବନ ଚାଲିଗଲା, ହେଲେ ତା’ ପୂର୍ବରୁ ଟାଳିଦେଲେ ବଡ଼ ଦୁର୍ଘଟଣା। ବସ୍ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଆଜି ମରଣମୁହଁରୁ ବର୍ତ୍ତିଯାଇଛନ୍ତି ୫୦ରୁ ଅଧିକ ଯାତ୍ରୀ। ଶନିବାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ଠାରେ ଦେଖିବାକୁ ମିଳିଥିଲା ଏହି ଅଭାବନୀୟ ଦୃଶ୍ୟ। ଯାତ୍ରୀଙ୍କୁ ନେଇ ଗନ୍ତବ୍ୟସ୍ଥଳୀ ଅଭିମୁଖେ ଯାଉଥିବା ବସ୍ ଡ୍ରାଇଭରଙ୍କର ହୃଦ୍ଘାତରେ ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ସାଗରଗୁଆଁ ପଞ୍ଚାୟତ ଅଧୀନ ଗୋଡ଼ିଆଳି ଗାଁର ଶରତ ଚନ୍ଦ୍ର ମାର୍ଥା (୫୫)।
ସବୁଦିନ ଭଳି ଆଜି ମଧ୍ୟ ଶରତ ଭୁବନେଶ୍ବର ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଭିମୁଖେ ଯାତ୍ରୀବାହୀ ବସ୍ ‘ବିଶାଖା’କୁ ନେଇ ବାହାରିଥିଲେ। ବସ୍ଟି ବୋଲଗଡ଼ ଷ୍ଟାଣ୍ଡ ଛାଡ଼ିବା ପରେ ଶରତଙ୍କର ହଠାତ୍ ଛାତି ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେତେବେଳେ ବସ୍ରେ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ଥିଲେ। ଯନ୍ତ୍ରଣା ସତ୍ତ୍ବେ ଯାତ୍ରୀଙ୍କ ସୁରକ୍ଷା ପାଇଁ ଶରତ ପ୍ରାଣପଣେ ଉଦ୍ୟମ କରିଥିଲେ। ବସ୍ର ବେଗକୁ ନିୟନ୍ତ୍ରଣ କରିବା ସହ ରାସ୍ତାକଡ଼ରେ ଗାଡ଼ି ଅଟକାଇ ବନେଟ୍ ଉପରକୁ ଆଉଜି ପଡ଼ିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ ଯାତ୍ରୀମାନେ କହିଛନ୍ତି। ବସ୍ ହେଲପର ଓ କଣ୍ଡକ୍ଟର ସ୍ଥାନୀୟ ଲୋକଙ୍କ ସହାୟତରେ ଶରତଙ୍କୁ ଏକ ଅଟୋରେ ନେଇ ବୋଲଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଯାତ୍ରୀମାନଙ୍କ ଆଖିଆଗରେ ଏହି ଘଟଣା ଘଟିଥିବାବେଳେ ସମସ୍ତେ ଦିବଂଗତ ଚାଳକଙ୍କ ଉଦ୍ଦେଶ୍ୟରେ ହୃଦୟରୁ କୃତଜ୍ଞତା ଜଣାଇଥିଲେ। ସେପଟେ ଖବର ପାଇ ଶରତଙ୍କ ପରିବାର ଓ ସଂପର୍କୀୟ ଘଟଣାସ୍ଥଳରେ ପହଞ୍ଚିଥିଲେ। କାନ୍ଦବୋବାଳିରେ ଫାଟି ପଡ଼ିଥିଲା ଡାକ୍ତରଖାନା ପରିସର। ଶରତ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲା ବେଳେ ସ୍ତ୍ରୀ ଓ ଦୁଇ ପିଲା ବେସାହାରା ହୋଇଯାଇଛନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ଲାଗି ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/02/fshhfsfxbvbvbv-2025-11-02-01-46-40.jpg)