ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କନିଷି ହାଟ ନିକଟସ୍ଥ ଆଲୁମିନିୟମ ଫ୍ୟାକ୍ଟ୍ରି ନିକଟରୁ ଏକ ଅଟୋ ସିଟ୍ରେ ସେହି ଅଟୋର ଚାଲକଙ୍କ କ୍ଷତାକ୍ତ ଶବ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ କନିଷି ହାଟ ଗ୍ରାମର ବସନ୍ତ ସାହୁ(୨୫) ବୋଲି ପୁଲିସ କହିଛି। ଗୋଳନ୍ଥରା ଥାନା ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ କେସ୍ ନମ୍ବର ୩/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ବସନ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ଏବଂ ତାଙ୍କୁ ନିଜ ଅଟୋ ପଛ ପାସେଞ୍ଜର୍ ସିଟ୍ରେ ବସିଥିବା ଅବସ୍ଥାରେ ମୃତ ଅବସ୍ଥାରେ ଉଦ୍ଧାର କରା ଯାଇଥିବାରୁ ତାଙ୍କୁ ହତ୍ୟା କରା ଯାଇଥିବା ନେଇ ସନ୍ଦେହ ବଳବତ୍ତର ହୋଇଛି।
/sambad/media/post_attachments/wp-content/uploads/2022/01/ganjam-muder.jpg)
ପୁଲିସ ସୂଚନା ଅନୁସାରେ, ହିଞ୍ଜିଳି ଥାନା ଅନ୍ତର୍ଗତ ବେଲଗାଁର ବସନ୍ତ ଗତ କିଛି ବର୍ଷ ହେଲା ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟରେ ଏକ ଘରଭଡ଼ା ନେଇ ବାପା-ମାଙ୍କ ସହିତ ରହୁଥିଲେ। ଏକ ଅଟୋ(ଓଡି୦୭ଏନ୍ ୪୦୬୭) ଭଡ଼ା ସୂତ୍ରରେ ନେଇ ବସନ୍ତ ଚଳାଇ ପରିବାର ଭରଣପୋଷଣ କରୁଥିଲେ। ବସନ୍ତ ଶୁକ୍ରବାର ସକାଳୁ ଅଟୋ ଧରି ଘରୁ ବାହାରିଥିଲେ ମଧ୍ୟ ରାତିରେ ଘରକୁ ଫେରି ନଥିଲେ। ଆଜି ଭୋର ୩ଟା ସମୟରେ ବସନ୍ତଙ୍କୁ ତାଙ୍କ ଘର ଲୋକ ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ। ଆଜି ପୂର୍ବାହ୍ନରେ ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ କନିଷି ହାଟ ନିକଟସ୍ଥ ଆଲୁମିନିୟମ ଫ୍ୟାକ୍ଟ୍ରି ନିକଟରେ ଅଟୋ ଭିତରେ ତାଙ୍କର ମୃତଦେହ ବସିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ମୃତଦେହଟି ପାସେଞ୍ଜର୍ ସିଟ୍ରେ ଆଉଜି ରହିଥିଲା। ଖବର ପାଇ ଗୋଳନ୍ଥରା ଥାନା ପୁଲିସ ଏବଂ ବ୍ରହ୍ମପୁର ଅତିରିକ୍ତ ଏସ୍.ପି. ରମେଶ ଚନ୍ଦ୍ର ସେଠୀ ଓ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁଲିସ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି। ପୁଲିସ ବସନ୍ତଙ୍କ ମୋବାଇଲ୍ କଲ୍ ରେକର୍ଡ଼ ମଧ୍ୟ ଯାଞ୍ଚ କରି ତାଙ୍କ ସହିତ କେଉଁମାନେ କଥା ହୋଇଥିଲେ ସେ ନେଇ ତଥ୍ୟ ବାହାର କରୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/dead-bbc.jpg)