ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଡ୍ରାଇଭର୍‌ ମହାସଂଘ

ଖୁବ୍‌ଶୀଘ୍ର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଲେ

ଭୁବନେଶ୍ବର : ବାରମ୍ବାର ବିକ୍ଷୋଭ, ଧାରଣା ଦେବା ପରେ ଓଡ଼ିଶା ଡ୍ରାଇଭର୍‌ ମହାସଂଘ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି। ଚାଳକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ, ରାସ୍ତାରେ ଗାଡ଼ି ପାର୍କିଂ ଓ ଚାଳକ ବିଶ୍ରାମଗାର ନିର୍ମାଣ, ୫୫ବର୍ଷ ପରେ ପେନ୍‌ସନ୍‌ ବ୍ୟବସ୍ଥା କରିବା, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଚାଳକଙ୍କ ପାଇଁ ୨୦ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା, ଅକର୍ମଣ୍ୟ ଚାଳକଙ୍କ ପାଇଁ ୧୦ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା, ଗୃହ ନିର୍ମାଣ ସହାୟତା ବାବଦରେ ୫ଲକ୍ଷ ଟଙ୍କା ପ୍ରଦାନ, ସେମାନଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଆଦି ୧୦ଟି ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ତେବେ ଡିସେମ୍ବର ୧୫ ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସଂଘର ସଦସ୍ୟ ସୁମନ ଅଲତିଆ ଗଣମାଧ୍ୟମକୁ କହିଛନ୍ତି। ଦାବି ପୂରଣ ନହେଲେ ରାଜ୍ୟର ସମସ୍ତ ଜିଲ୍ଲାରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବରରେ ଏ ସମସ୍ତ ଦାବି ନେଇ ମହାସଂଘର ହଜାର ହଜାର ଡ୍ରାଇଭର୍‌ ରାଜଧାନୀରେ ଶୋଭାଯାତ୍ରା କରି ରାସ୍ତାଘାଟ ଜାମ୍‌ କରିଥିଲେ। ପୁଣିଥରେ ଚଳିତ ବର୍ଷ ଏପ୍ରିଲରେ ସେମାନେ ହାତରେ ଠେଙ୍ଗା ବାଡ଼ି ଧରି ରାଜଧାନୀରେ ଚକାଜାମ୍‌ କରିଥିଲେ। ପୂରା ରାଜଧାନୀ ଅଚଳ ହୋଇଯାଇଥିଲା। ଏହାକୁ ନେଇ ସେଦିନ ଲୋୟର ପିଏମ୍‌ଜି ରଣକ୍ଷେତ୍ର ପାଲଟିଥିଲା। ଗତ ୮ ତାରିଖ ଦିନ ପୁଣି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦାବି ଜଣାଇବା ପାଇଁ ପଳାସୁଣିଠାରୁ ନବୀନ ନିବାସ ପର୍ଯ୍ୟନ୍ତ ‘ଦଣ୍ଡବତ ଯାତ୍ରା’ କରିଥିଲେ। ମାଷ୍ଟରକ୍ୟାଣ୍ଟିନ୍‌ ଛକ‌ରେ ପୁଲିସ୍‌ ବାଧା ଦେବାରୁ ସେମାନେ ଆଉ ଆଗକୁ ବଢ଼ି ପାରିନଥିଲେ। ତେଣୁ ସେମାନେ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଅହୋରାତ୍ର ଧାରଣାରେ ବସି ରହିଥିଲେ।

ସମ୍ବନ୍ଧିତ ଖବର