ଭୁବନେଶ୍ବର: ୬ ଦଫା ଦାବି ପୂରଣ ନେଇ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟବ୍ୟାପୀ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରାଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆନ୍ଦୋଳନରେ ଆଜି ବସ୍, କାର୍, ଅଟୋରିକ୍ସା, ଟ୍ରକ୍ ଡ୍ରାଇଭରମାନେ ସାମିଲ ହୋଇଥିଲେ। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟରେ ପରିବହନ ବ୍ୟବସ୍ଥା ଭୀଷଣ ପ୍ରଭାବିତ ହୋଇଛି। ରାଜ୍ୟସାରା ସାଧାରଣ ଲୋକେ ହଇରାଣ ହୋଇଛନ୍ତି। ଭୁବନେଶ୍ବର ବରମୁଣ୍ଡା ବସ୍ଷ୍ଟାଣ୍ଡ୍ରେ ଡ୍ରାଇଭରମାନେ ଧାରଣାରେ ବସି ପ୍ରତିବାଦ କରିଥିଲେ। ରାଜ୍ୟର କିଛି ରୁଟ୍ରେ କାଁଭାଁ ବସ୍କୁ ଛାଡ଼ି ଦେଲେ ପ୍ରାୟ ସବୁ ବସ୍ ବନ୍ଦ ହୋଇଯାଇଥିଲା। ଯାତ୍ରୀମାନେ ଯା’ଆସ କରିବାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବହୁ ସ୍ଥାନରେ ଟ୍ରକ୍ ଚଳାଚଳ ବି ବନ୍ଦ ରହିଛି। ଆଜି ସରକାରଙ୍କ ସହ ଡ୍ରାଇଭର ମହାସଂଘର ମାରାଥନ୍ ବୈଠକ ହୋଇଥିଲେ ମଧ୍ୟ କିଛି ନିଷ୍କର୍ଷ ବାହାରିପାରିନି। ଫଳରେ ବୁଧବାର ଦିନ ମଧ୍ୟ ଆନ୍ଦୋଳନ ଜାରି ରହିବାର ଆଶଙ୍କା ରହିଛି।
ଡ୍ରାଇଭର ମହାସଂଘର ୬ ଦଫା ଦାବି ମଧ୍ୟରେ ରହିଛି ଓଡ଼ିଶା ମୋଟର୍ ଟ୍ରାନ୍ସପୋର୍ଟ ଡ୍ରାଇଭର୍ ଓ ୱାର୍କର୍ ୱେଲଫେୟାର ବୋର୍ଡରେ ଅଟୋ ଡ୍ରାଇଭରଙ୍କୁ ସାମିଲ, ଡ୍ରାଇଭରମାନଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ ବର୍ଷ ବୟସ ପରେ ସ୍ବତନ୍ତ୍ର ଭତ୍ତା, ପ୍ରତି ୧୦୦ କିଲୋମିଟର ଅନ୍ତରାଳରେ ଗାଡ଼ି ପାର୍କିଂ, ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମାଗାର ଓ ଶୌଚାଳୟ ବ୍ୟବସ୍ଥା, ଓଡ଼ିଶାର ପ୍ରତ୍ୟେକ ଖଣିଖାଦାନ ଓ କାରଖାନାରେ ଓଡ଼ିଶାର ଡ୍ରାଇଭରଙ୍କୁ ଶତକଡ଼ା ୭୦ ପ୍ରତିଶତ କାମ ଆଦି ଅନ୍ତର୍ଭୁକ୍ତ। ଏହା ବାଦ୍ ସେପ୍ଟେମ୍ବର ୧ ତାରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ଘୋଷଣା କରାଯାଉ ବୋଲି ସଂଘ ଦାବି କରିଛି।
ସରକାରଙ୍କ ସହ ଆଲୋଚନାରୁ ନିଷ୍କର୍ଷ ବାହାରିଲାନି
ଦିନତମାମ କଲବଲ ହେଲେ ଲୋକ
ଆନ୍ଦୋଳନକୁ ଓହ୍ଲାଇଥିବା ସଂଘ ନିଜ ଜିଦରେ ଅଟଳ ରହିଛି। ଯାତ୍ରୀଙ୍କ ସମସ୍ୟା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି। ପୂର୍ବରୁ ଲୋୟର୍ ପିଏମ୍ଜିରେ ଧାରଣା ଦେବା ସହିତ ବିଭିନ୍ନ ସ୍ତରରେ ସରକାରଙ୍କ ସହିତ ଆଲୋଚନା କରାଯାଇଥିଲା। କିନ୍ତୁ ସେମାନଙ୍କ ଦାବି ନେଇ ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ତେଣୁ ବାଧ୍ୟ ହୋଇ ଏବେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି ମହାସଂଘ। ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବା ସହ ଚରମପନ୍ଥା ଆପଣାଇବାକୁ ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ଆଜି ଆନ୍ଦୋଳନରୁ କ୍ଷୀର ଗାଡ଼ି, ସ୍କୁଲବସ୍ ଓ ଆମ୍ବୁଲାନ୍ସ ଆଦି ଜରୁରିକାଳୀନ ସେବାକୁ ବାଦ ଦିଆଯାଇଛି।
ଅନ୍ୟପକ୍ଷରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ ପୂର୍ବରୁ ଡ୍ରାଇଭର ମହାସଂଘ ସହ ଆଲୋଚନା ହୋଇଥିଲା। ସେମାନଙ୍କର କେତେକ ଉପଯୁକ୍ତ ଦାବି ଅଛି। ୧୦୦ କିମି ଭିତରେ ସେମାନଙ୍କ ପାଇଁ ସୁବିଧା, ରାସ୍ତାରେ ଦୁର୍ଘଟଣା ସମୟରେ ଲୋକଙ୍କ ଆକ୍ରୋଶର ଶିକାର ଆଦି ଦାବି ଉପରେ ବିଚାର କରାଯିବ। ଏହା ସହିତ ଅଟୋଚାଳକଙ୍କୁ ସେମାନଙ୍କ ମହାସଂଘ ସହ ରଖିବା ପାଇଁ ସେମାନଙ୍କର ଦାବି ଅଛି। ତେଣୁ ଅଟୋ ଚାଳକଙ୍କ ପଞ୍ଜୀକରଣ ଓ ଚିହ୍ନଟ କରାଯିବ। ମହାସଂଘ ସହ କଥାବାର୍ତ୍ତା ଚାଲିଛି। ଆଲୋଚନା ମାଧ୍ୟମରେ ଡ୍ରାଇଭରଙ୍କ ଦାବି ସମାଧାନ ହୋଇପାରିବ। ତେବେ ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖାରବେଳଭବନରେ ପରିବହନ ମନ୍ତ୍ରୀ ଶ୍ରୀ ଜେନା ଓ କମିସନର ଅମିତାଭ ଠାକୁରଙ୍କ ଉପସ୍ଥିତିରେ ଡ୍ରାଇଭର ମହାସଂଘର ପ୍ରତିନିଧିମଣ୍ଡଳୀ ଆଲୋଚନା କରିଥିଲେ ମଧ୍ୟ ସମାଧାନ ହୋଇପାରିନାହିଁ। ଓଡ଼ିଶା ଡ୍ରାଇଭର ମହାସଂଘ ଦେଇଥିବା ବନ୍ଦ ଡାକରାକୁ ଅନ୍ୟ କୌଣସି ଡ୍ରାଇଭର କିମ୍ବା ଟ୍ରାନ୍ସପୋର୍ଟ ୱାର୍କର୍ସ ସଂଘ ସମର୍ଥନ କରୁନାହିଁ ବୋଲି ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି। ମିଳିତ ମଞ୍ଚର ସଂପାଦକ କହିଛନ୍ତି, ସରକାର ସୁରକ୍ଷା ଦେଲେ ଯାନବାହନ ଚଳାଚଳ ସ୍ବାଭାବିକ ରହିବ। ନିଜର ଆଧିପତ୍ୟ ଜାହିର ଓ ନ୍ୟସ୍ତ ସ୍ବାର୍ଥ ହାସଲ ପାଇଁ ଯୋଜନା କରିଛି ଓଡ଼ିଶା ଡ୍ରାଇଭର ମହାସଂଘ। ରାଜ୍ୟରେ ୩୫ଟି ସଂଘ ଥିବା ବେଳେ କେବଳ ଗୋଟିଏ ସଂଘ ଡାକରା ଦେଇଥିବା ସେ କହିଛନ୍ତି।