ଭୁବନେଶ୍ବର : ୧୦ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ସାରା ରାଜ୍ୟରେ ଜୋର୍ଦାର୍ ପ୍ରତିବାଦ ଦେଖିବାକୁ ମଳିଛି। ବ୍ଲକ୍, ପଞ୍ଚାୟତଠାରୁ ଆରମ୍ଭ କରି ରାଜରାସ୍ତା ସବୁଠି ଡ୍ରାଇଭରମାନେ ଏକାଠି ହୋଇ ପ୍ରତିବାଦ ଚଳାଇଛନ୍ତି। ଅଧିକାଂଶ ସ୍ଥାନରେ ଚାଳକମାନେ ଶୋଭାଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଇ ରାସ୍ତାରେ ବ୍ୟବସାୟିକ ଯାନବାହାନ ଚଳାଚଳକୁ ବିରୋଧ କରାଯାଇଛି। କିଛି ସ୍ଥାନରେ ବସ୍, ଟ୍ରକ୍, ଟ୍ୟାକ୍ସି ଏବଂ ସର୍ବସାଧାରଣ ପରିବହନ ଯାନକୁ ଆନ୍ଦୋଳନକାରୀମାନେ ଅଟକାଇଥିଲେ। ଫଳରେ ରାଜଧାନୀଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ସହରାଞ୍ଚଳ ରାଜରାସ୍ତାରେ ଗାଡ଼ିଗୁଡ଼ିକର ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ବହୁ ସମୟ ଧରି ରାସ୍ତା ଜାମ୍ ସ୍ଥିତି ଉପୁଜିଥିଲା। ଯାତାୟାତରେ ବାଧା ଯୋଗୁଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ତେବେ କିଛି ଡ୍ରାଇଭର୍ ସଂଘ ଏହି ଆନ୍ଦୋଳନକୁ ସମର୍ଥନ କରିନାହାନ୍ତି। ଫଳରେ ରାଜ୍ୟରେ ଗାଡ଼ି ଚଳାଚଳ ଠପ୍ ହୋଇନାହିଁ। ବହୁ ସ୍ଥାନରେ ଆଜି ସ୍ବାଭାବିକ ଭାବେ ଗାଡ଼ି ଚଳାଚଳ ଜାରି ରହିଥିଲା।
ଓହରିବା ପାଇଁ ମନ୍ତ୍ରୀ, ସଚିବଙ୍କ ନିବେଦନ
ଆନ୍ଦୋଳନରେ ସାମିଲ ହେଲେନି କିଛି ସଂଘ
ରାଜ୍ୟ ଡ୍ରାଇଭର ମହାସଂଘର ସଭାପତି ଗୁପ୍ତେଶ୍ବର ମହାନ୍ତି କହିଛନ୍ତି ଯେ ଏହି ଆନ୍ଦୋଳନ ଆଗକୁ ତୀବ୍ର ହେବ। ଚାଳକମାନଙ୍କ ପରିବାର ରାଜରାସ୍ତାକୁ ଓହ୍ଲାଇବେ। ଯେପର୍ଯ୍ୟନ୍ତ ଦାବି ପୂରଣ ନେଇ ସରକାର କୌଣସି ଠୋସ୍ ନିଷ୍ପତ୍ତି ନେଇ ନାହାନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।
ଅନ୍ୟପଟେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ ମହାସଂଘର ଦାବିକୁ ନେଇ ମୁଖ୍ୟମନ୍ତ୍ରୀ ସକାରାତ୍ମକ ଭାବେ ଚିନ୍ତା କରୁଛନ୍ତି। ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଡ୍ରାଇଭର ସଂଘ ଯେଉଁ ଦାବି ରଖିଛି, ତାହାକୁ ଆଲୋଚନାକୁ ନିଆଯିବ। ଆନ୍ଦୋଳନ ଯୋଗୁ ସାଧାରଣ ଲୋକ ହଇରାଣ ହରକତ ହେଉଛନ୍ତି। ଧର୍ମଘଟ ନ କରିବା ପାଇଁ ସେ କହିଛନ୍ତି। ସେହିପରି ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି ଯେ ଡ୍ରାଇଭରଙ୍କ ଏକାଧିକ ସଂଘ ରହିଛି। ଗୋଟିଏ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଆମେ ତାଙ୍କ ଦାବି ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ। ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହେବ। ଆନ୍ଦୋଳନ ଯୋଗୁଁ ଯାତ୍ରୀ ହଇରାଣ ହେଉଛନ୍ତି, ମେଡିକାଲ ସେବାରେ ବ୍ୟାଘାତ ସୃଷ୍ଟି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/driver-m18.jpg)