ଡ୍ରାଇଭର ମହାସଂଘର ଅଭିନବ ବିକ୍ଷୋଭ ପ୍ରଦର୍ଶନ: ପଳାସୁଣିରୁ ଦଣ୍ଡବତ ଯାତ୍ରା

ଭୁବନେଶ୍ବର: ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଜଧାନୀରେ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବରୁ ରାଜଧାନୀକୁ ଧସେଇ ପଶୁଥିବା ଡ୍ରାଇଭରମାନେ ରାଜଧାନୀରେ ଦଣ୍ଡବତ ଯାତ୍ରା କରି ସେମାନଙ୍କ ଦାବି ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି।

ଆଜି ପ୍ରାୟ ଏକ ହଜାରରୁ ଅଧିକ ଡ୍ରାଇଭର ଏହି ଦଣ୍ଡବତ ଯାତ୍ରାରେ ସାମିଲ୍‌ ହୋଇଥିଲେ। ପଳାସୁଣି ଛକଠାରୁ ଡ୍ରାଇଭରମାନେ ରାସ୍ତାରେ ଦଣ୍ଡବତ ଯାତ୍ରା ଆରମ୍ଭ କରିଥିଲେ। କିଛି ଡ୍ରାଇଭର ରାସ୍ତାରେ ଶୋଇ ଶୋଇ ଆଗକୁ ବଢ଼ୁଥିବା ବେଳେ ଆଉ କିଛି ସେମାନଙ୍କୁ ସୁରକ୍ଷା ବଳୟରେ ରଖୁଥିଲେ। ଏମିତିରେ ସେମାନେ ବେଶ୍ ଶାନ୍ତିଶୃଙ୍ଖଳାର ସହ ମାଷ୍ଟରକ୍ୟାଣ୍ଟିନ୍‌ ଯାଏ ଯିବା ପରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ସେମାନେ ନବୀନ ନିବାସ ପର୍ଯ୍ୟନ୍ତ ଯିବେ ବୋଲି ଜିଦ୍‌ ଧରିଥିବା ବେଳେ ପୁଲିସ ସେମାନଙ୍କୁ ରାସ୍ତାରୁ ଉଠାଇଥିଲା। ତେଣୁ ସେମାନେ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଅହୋରାତ୍ର ଧାରଣାରେ ବସିରହିଲେ। ସେମାନଙ୍କ ଦାବି ଅନୁସାରେ ଚାଳକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା, ରାସ୍ତାରେ ଗାଡ଼ି ପାର୍କିଂ ଓ ଚାଳକ ବିଶ୍ରାମଗାର ନିର୍ମାଣ କରିବା, ୫୫ବର୍ଷ ପରେ ପେନ୍‌ସନ୍‌ ବ୍ୟବସ୍ଥା କରିବା, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଚାଳକଙ୍କୁ ୨୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା, ଅକର୍ମଣ୍ୟ ଚାଳକଙ୍କ ପାଇଁ ୧୦ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା, ଦ୍ବିତୀୟ ସୈନିକ ମାନ୍ୟତା ଦେବା, ଗୃହ ନିର୍ମାଣ ସହାୟତା ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବା, ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ‌ଯୋଗାଇବା ଆଦି ୧୦ଟି ମୁଖ୍ୟ ପ୍ରସଙ୍ଗ ରହିଛି। ସଂଘର କର୍ମକର୍ତ୍ତା ଆଦିତ୍ୟ ପ୍ରସାଦ ବେହେରାଙ୍କ କହିବା କଥା, ଆସନ୍ତାକାଲି ସରକାର ସଂଘ ସହ ଆଲୋଚନା କରିବେ ବୋଲି କହିଛନ୍ତି। କିନ୍ତୁ ଦାବି ପୂରଣ ନହେବା ଯାଏ ଧାରଣା ହଟିବ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ବର୍ଷ ଅକ୍ଟୋବର ମାସରେ ଏସମସ୍ତ ଦାବି ନେଇ ମହାସଂଘର ହଜାର ହଜାର ଡ୍ରାଇଭର ରାଜଧାନୀରେ ଶୋଭାଯାତ୍ରା କରି ରାସ୍ତାଘାଟ ଜାମ୍‌ କରିଥିଲେ। ପୁଣି ଥରେ ଚଳିତ ବର୍ଷ ଏପ୍ରିଲ ମାସରେ ସେମାନେ ହାତରେ ଠେଙ୍ଗା ବାଡ଼ି ଧରି ରାଜଧାନୀରେ ପଶିଥିଲେ। ଫଳରେ ରାଜଧାନୀରେ ଏକ ପ୍ରକାରର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଦିନତମାମ୍ ସହରରେ ଟ୍ରାଫିକ୍‌ ସମସ୍ୟା ଉତ୍କଟ ହୋଇପଡ଼ିଥିଲା। ସେମାନେ କିଛି ସ୍ଥାନରେ ହିଂସାତ୍ମକ ଆଚରଣ ମଧ୍ୟ କରିଥିଲେ। ତେବେ ବିଧାନସଭା ଆଡ଼କୁ ଯିବା ସମୟରେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଫଳରେ ସେଦିନ ଲୋୟର ପିଏମ୍‌ଜି ରଣକ୍ଷେତ୍ର ପାଲଟିଥିଲା।

ସମ୍ବନ୍ଧିତ ଖବର