କଟକ: ଗଲା ୪ ଦିନ ଧରି ଡ୍ରାଇଭର ମହାସଂଘ ଦ୍ବାରା ଚାଲିଥିବା ଷ୍ଟ୍ରିଅରିଂ ଛାଡ଼ ଆନ୍ଦୋଳନରେ ଫାଟ ସୃଷ୍ଟି ହୋଇଛି। କଟକ ଘରୋଇ ବସ୍ ମାଲିକ ସଂଘ ଏହି ଆନ୍ଦୋଳନରୁ ଓହରିଥିବା ନେଇ ଶୁକ୍ରବାର ସନ୍ଧ୍ୟାରେ ଘୋଷଣା କରିଛି। ଫଳସ୍ବରୂପ ଆସନ୍ତାକାଲି ଶନିବାର ସକାଳୁ କଟକ ସିଏନ୍ବିଟିରୁ ରାଜ୍ୟର ସମସ୍ତ ଜିଲ୍ଲାକୁ ବସ୍ ଚଳାଚଳ କରିବାକୁ ଯାଉଥିବା ଘରୋଇ ବସ୍ ମାଲିକ ସଂଘ ଘୋଷଣା କରିଛି।
ରାଜ୍ୟରେ ପୁଲିସକୁ ଗାଡ଼ି ଚେକିଂ କରିବା କ୍ଷମତା ପ୍ରଦାନ କରିବାକୁ ହେଉଥିବା ପ୍ରକ୍ରିୟାକୁ ନେଇ ଗାଡ଼ି ମାଲିକ ଓ ଡ୍ରାଇଭରମାନେ ରାସ୍ତାକୁ ଓହ୍ଲାଇଥିଲେ। ଡ୍ରାଇଭରମାନଙ୍କର ଏକ ୱେଲଫେୟାର ବୋର୍ଡ ଥିବା ବେଳେ ଏଥିରେ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯାଇନାହିଁ। ସେମାନଙ୍କୁ ଏଥିରେ ସାମିଲ କରିବାକୁ ଦାବି କରାଯିବା ସହିତ ୬୦ ବର୍ଷ ହେଇଯାଉଥିବା ଡ୍ରାଇଭରଙ୍କୁ ପେନସନ୍ ପ୍ରଦାନ, ପାର୍କିଂ ସ୍ଥାନରେ ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ, ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସ ଭାବେ ପାଳନ କରିବାକୁ ଦାବି କରାଯାଇଛି। ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ, ଖଣି ଅଞ୍ଚଳରେ ଆଞ୍ଚଳିକ ଡ୍ରାଇଭରଙ୍କୁ ପ୍ରାଧାନ୍ୟ ଦେବା ଭଳି ଦାବି ମଧ୍ୟ ଉପସ୍ଥାପନ କରାଯାଇଥିଲା। ଏହି ଦାବିକୁ ନେଇ ଗଲା ୮ ତାରିଖରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। ତେବେ ଆନ୍ଦୋଳନର ଚତୁର୍ଥ ଦିନରେ କଟକ ଘରୋଇ ବସ୍ ମାଲିକ ସଂଘ ଆନ୍ଦୋଳରୁ ଏକ ପ୍ରକାର ଓହରିଛି।
ଆଜିଠୁ ସିଏନ୍ବିଟିରୁ ଗଡ଼ିବ ବସ୍
ଡ୍ରାଇଭରଙ୍କ ବିରୋଧରେ ଏସ୍ମା ଲଗାଇବାକୁ ଦାବି
କଟକ ଘରୋଇ ବସ୍ ମାଲିକ ସଂଘର କାର୍ଯ୍ୟାଳୟରେ ସଭାପତି ପ୍ରିୟବ୍ରତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି ବୈଠକରେ ଆସନ୍ତା ୧୨ ତାରିଖରୁ ସିଏନବିଟିରୁ ସାରା ରାଜ୍ୟକୁ ଘରୋଇ ବସ୍ ଚଳାଚଳ ସ୍ବାଭାବିକ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଏହି ବସ୍ ଚଳାଚଳ ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ରାଜ୍ୟ ସରକାରଙ୍କ ସହିତ ବସ୍ ମାଲିକମାନେ ଆଲୋଚନା କରିଛନ୍ତି। ସଭାପତି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ୨୦୦୯ରେ ଆନ୍ଦୋଳନରତ ବସ୍ ମାଲିକମାନଙ୍କୁ ଏସ୍ମା ଲାଗୁ କରି ଗିରଫ କରାଯାଇଥିଲା। ତେବେ ଏବେ ଡ୍ରାଇଭରଙ୍କ ବିରୋଧରେ ମଧ୍ୟ ସେଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଗାଡ଼ି ରାସ୍ତାରେ ବନ୍ଦ କରୁଛନ୍ତି। ଏହାଦ୍ବାରା ସାଧାରଣ ଲୋକେ ପ୍ରଭାବିତ ହେଉଛନ୍ତି। ୭ ଦଫା ଦାବିରୁ ପୁଲିସ ଗାଡ଼ି ଚେକିଂକୁ ବସ୍ ମାଲିକମାନେ ବିରୋଧ କରିଥିଲେ। ଅବଶିଷ୍ଟ ୬ ଦଫା ଦାବି ସହିତ ବସ୍ ମାଲିକ ସଂଘର କୌଣସି ପ୍ରକାର ସ୍ବାର୍ଥ ଜଡ଼ିତ ନାହିଁ। ତେଣୁ ଏହି ଆନ୍ଦୋଳନରୁ ଆମେ ଓହରିଯାଉଛୁ ବୋଲି ଶ୍ରୀ ତ୍ରିପାଠୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/12/safsfsfcxc-2025-07-12-01-32-53.jpg)