ରାଜନଗର : ପ୍ରକୃତିର ଗନ୍ତାଘର ଭିତରକନିକା ଏବଂ ବିରଳ ସାମୁଦ୍ରିକ କଇଁଛ ଅଲିଭରିଡଲେଙ୍କ ଅନ୍ତୁଡିଶାଳ ଗହୀରମଥାକୁ ଡ୍ରୋନ୍ ଜଗିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଭିତରକନିକାର ଆର୍ଦ୍ରଭୂମି, ହେନ୍ତାଳବଣ ଏବଂ ଏଥିରେ ବସବାସ କରୁଥିବା ଜୀବଜନ୍ତୁ ମାନଙ୍କର କ୍ଷତି ଘଟାଉଥିବା ଶିକାରୀଙ୍କ ଉପରେ ନଜର ରଖିବା ପାଇଁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଡ୍ରୋନ୍ କ୍ୟାମେରା ଦ୍ବାରା ଜଳଦସ୍ୟୁ ଏବଂ ସେମାନେ ବ୍ୟବହାର କରୁଥିବା ଟ୍ରଲର୍ ଉପରେ ମଧ୍ୟ ନଜର ରହିପାରିବ।
ପ୍ରତିବର୍ଷ ସମୂହ ଅଣ୍ତାଦାନ ପାଇଁ ସମୁଦ୍ର ତଟଠାରୁ ୨୦ କିମି ଗଭୀର ସମୁଦ୍ରର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ନିଷିଦ୍ଧାଞ୍ଚଳକୁ ଅଲିଭ ରିଡଲେ କଇଁଛ ଆସୁଛନ୍ତି। ଏହି ଅଲିଭରିଡଲେଙ୍କ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାକବ ରାଜନଗର ବନବିଭାଗ, ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡ୍ରୋନ୍ କ୍ୟାମେରା ଉଡ଼ାଣ ପାଇଁ ପ୍ରାଥମିକ ପକ୍ରିୟା ଆରମ୍ଭ ହୋଇଛି।
ଏ ସଂପର୍କରେ ରାଜନଗର ତହସିଲଦାର ଅଶ୍ବିନୀ କୁମାର ଭୂୟାଁ କହିଛନ୍ତି ଯେ ଭିତରକନିକାର ଜୈବ ବିବିଧତା ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏହାର ସୁରକ୍ଷା ଦିଗରେ ଏବେ ଡ୍ରୋନ୍ କ୍ୟାମେରା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏ ଦିଗରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବ୍ଶୀଘ୍ର ଏହାକୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ।