ରାୟଗଡ଼ା: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କରିବାକୁ ଯାଉଛି ରାୟଗଡ଼ା ଜିଲ୍ଲା। ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଡ୍ରୋନ୍‌ରେ ପରିବହନ ହେବ ଜୀବନରକ୍ଷାକାରୀ ଔଷଧ। ଆସନ୍ତାକାଲି ପରୀକ୍ଷାମୂଳକ ଭାବେ ରାୟଗଡ଼ାରୁ କଲ୍ୟାଣସିଂହପୁର ଏବଂ ଗୁଡ଼ାରି ଡାକ୍ତରଖାନାକୁ ଔଷଧ ପଠାଯିବ ବୋଲି ସୂଚନା ମିଳିଛି।

Advertisment

ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା‌ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛରେ ରହିଛି। ରୋଗୀଙ୍କୁ ଭାରରେ ବୋହିବା ହେଉ କିମ୍ବା ଡାକ୍ତର ଅଭାବ ଭଳି ସମସ୍ୟା ଲାଗି ରହିଛି। ସ୍ବାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ସେତେଟା ସୁଦୃଢ଼ ନୁହେଁ। ଏମିତି ସ୍ଥିତିରେ ଗୁରୁତର ରୋଗୀଙ୍କୁ ଜରୁରୀ ଔଷଧ ଠିକଣା ସମୟରେ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଜରୁରୀ ଔଷଧକୁ ଡ୍ରୋନ୍‌ ସହାୟତାରେ ଅଳ୍ପ ଖର୍ଚ୍ଚରେ ତଥା କିଛି ମିନିଟ୍‌ ମଧ୍ୟରେ ପହଞ୍ଚାଇବା ନିମନ୍ତେ ସ୍ଥିର କରିଛି।

ଏଥିପାଇଁ ୟୁଏସ୍‌ଏଡ୍‌ ଏବଂ ରେଡଵିଙ୍ଗ୍‌ ସଂସ୍ଥାର ସହଯୋଗ ନିଆଯାଇଛି। ଆସନ୍ତାକାଲି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୫୦କିଲୋମିଟର ଦୂରରେ ଥିବା କଲ୍ୟାଣସିଂହପୁର ଏବଂ ଗୁଡ଼ାରୀ ଡାକ୍ତରଖାନାକୁ ଔଷଧ ପଠାଯିବ। ଯଦି ଏହି ପରୀକ୍ଷା ସଫଳ ହୁଏ ତେବେ ଅନ୍ୟ ଦୁର୍ଗମ ଅଞ୍ଚଳକୁ ପର୍ଯ୍ୟାୟକ୍ରମେ ଔଷଧ ଯୋଗାଣ ହେବ ବୋଲି ଜଣାପଡ଼ିଛି। ଜିଲ୍ଲାପାଳ ସ୍ବଧା ଦେବ ସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଅଭିନବ ଯୋଜନାକୁ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯିବ। ସେହିପରି ଅତ୍ୟାଧୁନିକ ଔଷଧ ବିତରଣ ବ୍ୟବସ୍ଥାକୁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ନିୟନ୍ତ୍ରଣ କରିବ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ଅଭିଜ୍ଞ ଡ୍ରୋନ୍‌ ଅପରେଟର ନିର୍ଦ୍ଦେଶ ଅନୁସ‌ାରେ ଔଷଧ ପଠାଇବା ବ୍ୟବସ୍ଥା କରିବେ। ସମୟ ଅପଚୟକୁ ରୋକିବା ଏବଂ ରୋଗୀଙ୍କ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ଆରମ୍ଭ ହେଉଥିବା ଏହି ଅଭିନବ ଯୋଜନାର ସଫଳତାକୁ ନେଇ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ବେଶ୍‌ ଆଶାବାଦୀ ଅଛନ୍ତି।