ସୁନ୍ଦରଗଡ଼: ସୁନ୍ଦରଗଡ଼ ହେମଗିର କୋଇଲା କ୍ଷେତ୍ରର ସଂରକ୍ଷିତ ଜଙ୍ଗଲରୁ ଚୋରାଖଣି ଖୋଳି ଖଣିଜ ଲୁଟ୍ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ହେମଗିର ପୁଲିସ ଖଣିଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରତନସରା ଗାଁର ସମୀର ଡନସନା, ରତନପୁର ଗାଁ ଗେଲାନନ୍ଦ ମାଝୀ, ଝୁପୁରଙ୍ଗା ଗାଁର ହେମାନନ୍ଦ ସେଠ, ଗୋପାଳପୁର ଗାଁର ଆଲୋକ ସିଂହ। ଖଣିଜ ଚୋରି ଘଟଣା ପଦାକୁ ଆସିବା ପରେ ରାଉରକେଲା କନିଷ୍ଠ ଖଣି ଅଧିକାରୀ ମଙ୍ଗଳଚରଣ ହେମ୍ରମ ୪ ତାରିଖ ରାତିରେ ହେମଗିର ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତନାଘନା ଚଲାଇଥିବାବେଳେ ଶୁକ୍ରବାର ରାତିରେ ୪ ଜଣଙ୍କୁ ଧରିଥିଲା। ଅଭିଯୁକ୍ତ ସମୀର ଡନସନାଙ୍କଠାରୁ ୨ଟି ଟ୍ରାକ୍ଟର, ବାଇକ୍ ଜବତ କରିଛି। ଶନିବାର ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି। ଆଗକୁ ବଡ଼ବଡ଼ିଆ ବି ଧରାପଡ଼ିବେ ବୋଲି ସେ କହିଛନ୍ତି।
ଅପରପକ୍ଷରେ ଭୁବନେଶ୍ବରରୁ ଆସିଥିବା ଖଣି ଓ ଭୂତତ୍ତ୍ବ ବିଭାଗର ସ୍ବତନ୍ତ୍ର ଟିମ୍ ଦ୍ବିତୀୟ ଦିନରେ ମଧ୍ୟ ମାଫିଆଙ୍କ ଚୋରା ଖଣି ଓ କୋଇଲାର ଆକଳନ ଜାରି ରଖିଛି। କେତେ ପରିମିତ ଅଞ୍ଚଳରୁ ଖଣି ଖୋଳାଯାଇଛି, କେତେ ପରିମାଣର କୋଇଲା ଚୋରାଚାଲାଣ ହୋଇଛି ତାର ଟିକିନିଖି ତଥ୍ୟ ଓ ଚିତ୍ର ଡ୍ରୋନ୍ ସହାୟତାରେ ସଂଗ୍ରହ କରାଯାଇଛି। ଆକଳନ ଶେଷ ହେବା ପରେ ଟିମ୍ ଏକ ସ୍ବତନ୍ତ୍ର ରିପୋର୍ଟ ଖଣି ନିର୍ଦେଶକଙ୍କୁ ଦେବ।
ସୁନ୍ଦରଗଡ଼ ଏମ୍ସିଏଲ କ୍ଷେତ୍ର ଅଧୀନ ଗୋପାଳପୁର ନିକଟ ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଅଞ୍ଚଳର ଜଙ୍ଗଲ ଓ ନାଳରେ ବର୍ଷବର୍ଷ ଧରି ଚାଲିଥିବା ଖଣିଜ ଲୁଟ୍ ପଦାକୁ ଆସିବା ପରେ ଶୁକ୍ରବାର ଭୁବନେଶ୍ବରରୁ ଖଣି ଓ ଭୂତତ୍ତ୍ବ ବିଭାଗର ଏକ ୯ ଜଣିଆ ଟିମ୍ ଆସି ବେଆଇନ କୋଇଲା ଖଣିଗୁଡ଼ିକ ବୁଲି ଦେଖିବା ସହ ଜଙ୍ଗଲ ଭିତରେ ଚାଲିଚାଲି ପ୍ରାୟ ୧୬ଟି ଚୋରା ଖଣିର ମାପଚୁପ କରିଥିଲା। ଏହା ପୂର୍ବରୁ ରାଉରକେଲା ଖଣି ବିଭାଗ, ରାଜସ୍ବ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଚଢ଼ଉ କରି ୨୫୦ ଟନ୍ରୁ ଊର୍ଦ୍ଧ୍ବ କୋଇଲା ଜବତ କରି ଏମ୍ସିଏଲ୍ ପରିସରକୁ ସ୍ଥାନାନ୍ତର କରିଛନ୍ତି।