୭ ମାଓ ଜିଲ୍ଲାରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ: ଡ୍ରୋନ୍‌ ଉଡ଼ାଇ ଗଞ୍ଜେଇ ଗଛ ଜାଳିଲେ

ଅଢ଼େଇ କୋଟିର ଗଞ୍ଜେଇ ନଷ୍ଟ, ୫୯୩ ମାଫିଆ ଗିରଫ

କଟକ : ମାଓ ପ୍ରଭାବିତ ଜିଲ୍ଲାର ଘଞ୍ଚ ଜଙ୍ଗଲ ଉପରେ ପ୍ରଥମଥର ଡ୍ରୋନ୍ ଉଡ଼ାଇଛି ଅବକାରୀ ବିଭାଗ। ଘଞ୍ଚ ଜଙ୍ଗଲ ଉପରେ ଡ୍ରୋନ୍ ଉଡ଼ାଇ ବେଆଇନ ଗଞ୍ଜେଇ ଚାଷକୁ ଚିହ୍ନଟ କରାଯାଇଛି। ମୋଟ ୨ କୋଟି ୫୧ ଲକ୍ଷ ୮୭ ହଜାର ୨୧୪ଟି ଗଞ୍ଜେଇ ଗଛ ଚିହ୍ନଟ କରାଯାଇ ସେଥିରେ ନିଆଁ ଲଗାଇ ଦିଆଯାଇଛି। ଏଭଳି ଡ୍ରୋନ୍ ସାହାଯ୍ୟରେ ଚିହ୍ନଟ ପ୍ରକ୍ରିୟାରେ ୨୦୨୧-୨୨ ଆର୍ଥିକ ବର୍ଷରେ ସର୍ବାଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଯାହାକି ପୂର୍ବ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ଜଙ୍ଗଲର ଯେଉଁ ଅଞ୍ଚଳକୁ ଅବକାରୀ ବିଭାଗ ପଶିବାକୁ ସମସ୍ୟା ହେଉଥିଲା, ଏବର୍ଷ ଡ୍ରୋନ୍ ଉଡ଼ାଣ ଫଳରେ ବେଆଇନ ଚାଷ ଚିହ୍ନଟ କରିବା ସହଜ ହୋଇଥିବା କୁହାଯାଉଛି।

ଦେବଗଡ଼, ସମ୍ବଲପୁର ଓ ଅନୁଗୁଳର ଜଙ୍ଗଲିଆ ଅଞ୍ଚଳରେ ଗୋଟିଏ ସମୟରେ ବିପୁଳ ପରିମାଣରେ ଗଞ୍ଜେଇ ଚାଷ ହେଉଥିଲା। କିନ୍ତୁ ସେଠାରେ କ୍ରାଇମବ୍ରାଞ୍ଚ, ଅବକାରୀ ବିଭାଗ ଓ ପୁଲିସର ମିଳିତ ଚଢ଼ଉ ଫଳରେ ଏହି ତିନୋଟି ଜିଲ୍ଲାର କାରବାର ଏକପ୍ରକାର ବନ୍ଦ ହୋଇଯାଇଛି। ଏବେ ଅବକାରୀ ବିଭାଗର ହିଟ୍ ଲିଷ୍ଟରେ କୋରାପୁଟ, ରାୟଗଡ଼ା, ମାଲକାନଗିରି, ଗଜପତି, କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଜିଲ୍ଲା ଯୋଡ଼ି ହୋଇଛି। ଏହି ୭ଟି ଜିଲ୍ଲାରେ ଗଞ୍ଜେଇ ଫସଲ ନଷ୍ଟ କରିବା ପାଇଁ ଚଳିତବର୍ଷ ପ୍ରଥମଥର ପାଇଁ ଗୋଟିଏ ଲେଖାଏଁ ଡ୍ରୋନ୍ ବ୍ୟବହାର କରାଯାଇଛି। ଡ୍ରୋନ ମାଧ୍ୟମରେ ୨ କୋଟି ୫୧ ଲକ୍ଷ ୮୭ ହଜାର ୨୧୪ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଏହି ଗଞ୍ଜେଇ ମୋଟ ୧୯୪୬୩.୬୯୨ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିଲା। ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ମୋଟ ମୂଲ୍ୟ ୨ହଜାର ୫ଶହ ୧୮ କୋଟି ୭୨ ଲକ୍ଷ ୧୪ ହଜାର ଟଙ୍କା ବୋଲି ଅବକାରୀ ବିଭାଗ ଆକଳନ କରୁଛି। ଗୋଟିଏ ଗଛରୁ ଅଧ କେଜିରୁ କେଜିଏ ଓଜନର ଗଞ୍ଜେଇ ଅମଳକୁ ହିସାବ କରି ଏହି ଟଙ୍କା ଆକଳନ କରାଯାଇଛି। ଗଛଗୁଡ଼ିକ ଅବକାରୀ ବିଭାଗ, ପୁଲିସ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନିଆଁ ଲଗାଇ ପୋଡ଼ି ଦିଆଯାଇଛି।

ଏହାବାଦ୍ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୫୨୭ଟି ଗଞ୍ଜେଇ ଜବତ ସଂକ୍ରାନ୍ତ ମାମଲା ହୋଇଥିବା ବେଳେ ୫୯୩ ଜଣଙ୍କୁ ଗିରଫ କରାଯାଇଛି। ୨୭ ହଜାର ୭୫୭ କେଜି ଗଞ୍ଜେଇ ଜବତ ହୋଇଛି। ଯାହାର ମୂଲ୍ୟ ୧୨ କୋଟି ୮୭ ଲକ୍ଷ ୮୫ ହଜାର ଟଙ୍କା ବୋଲି ଆକଳନ କରାଯାଉଛି। ଜବତ ହୋଇଥିବା ଗଞ୍ଜେଇ ଅନ୍ତଃଜିଲ୍ଲା ଓ ରାଜ୍ୟ ବାହାରକୁ ଚାଲାଣ ବେଳେ ଧରାପଡ଼ିଛି। ସବୁଠାରୁ ଅଧିକ ଉନ୍ନତ ମାନର ଗଞ୍ଜେଇ ଗଜପତି ଜିଲ୍ଲା ମୋହନାରେ ହିଁ ଅମଳ ହେଉଛି। ଅନୁକୂଳ ଜଳବାୟୁ ଥିବାରୁ ଭଳ ଅମଳ ହେଉଥିବା କୁହାଯାଉଛି। ମୋହନାରୁ ସର୍ବାଧିକ ଗଞ୍ଜେଇ ନଷ୍ଟ କରାଯାଇଛି। ଏ ବର୍ଷ ଡ୍ରୋନର ବ୍ୟବହାର ଆରମ୍ଭ ଫଳରେ ୨୦୨୧-୨୨ ଆର୍ଥିକ ବର୍ଷରେ ସର୍ବାଧିକ ଗଛ ନଷ୍ଟ କରାଯାଇଛି। ଯାହାକି ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ ୧୦ ପ୍ରତିଶତ ଅଧିକ ବୋଲି କୁହାଯାଉଛି। ଅବକାରୀ କମିସନର ଆଶିଷ ସିଂହ କହିଛନ୍ତି ଯେ ଏଥର ସର୍ବାଧିକ ଗଞ୍ଜେଇ ନଷ୍ଟ ହୋଇଛି। ଅବକାରୀ ଓ ପୁଲିସର ମିଳିତ ଉଦ୍ୟମରେ ଜିଲ୍ଲା ସ୍ତରରେ ଏକ ଟିମ୍ ଗଠନ କରି ନଷ୍ଟ ଅଭିଯାନ ଜାରି ରହିଛି। ଘଞ୍ଚ ଜଙ୍ଗଲରେ ଯେଉଁ ଅଞ୍ଚଳକୁ ପ୍ରବେଶ କରିହେଉନାହିଁ, ଏଥର ପ୍ରଥମଥର ସେଠାରେ ଡ୍ରୋନ୍ ବ୍ୟବହାର କରାଯାଇଥିବା ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର