ରାହାଡ଼ପୁର ଖାଦାନରେ ଡ୍ରୋନ୍‌ ଉଡ଼ାଇ ମାପଚୁପ, ପାଣିରେ ଭର୍ତ୍ତି ଖାଦାନରେ ଖନନ ପରିମାଣ ମପାଯିବ କିପରି?

ଯାଜପୁର/ଚଢ଼େଇଧରା : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ୨୫ ଏକର ଖାଦାନକୁ ପ୍ରହଲ୍ଲାଦ ଲେଙ୍କା ୫ ବର୍ଷ ପାଇଁ ଲିଜ୍‌ ନେଇଥିଲେ। ଆଜି ଲିଜ୍‌ ଅବଧି ଶେଷରେ ଡ୍ରୋନ୍‌ କ୍ୟାମେରା ସହଯୋଗରେ ମାପଚୁପ କରାଯାଇଛି। ଏଠାରେ ବିରାଟ ଗର୍ତ୍ତମାନ ସୃଷ୍ଟି ହୋଇଥିବା ବେଳେ ଏଥିରେ ପାଣି ଭର୍ତ୍ତି ହୋଇଛି। ତେଣୁ ପାଣି ଜମିଥିବା ଖାଦାନରେ ପଥର ଉତ୍ତୋଳନର ପରିମାଣ ମପାଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଲିଜ୍ ‌ଅଞ୍ଚଳକୁ ଲାଗି ପ୍ରାୟ ୬.୫ଲକ୍ଷ ଘନମିଟର କଳାପଥର ଚୋରାଚାଲାଣ ଅଭିଯୋଗ ହୋଇଥିବା ବେଳେ ଏହାକୁ ମାପଚୁପ କରାଯାଇଛି କି ବୋଲି ପ୍ରଶ୍ନ ଉଠୁଛି।

ରାହାଡ଼ପୁର ବିଏସ୍‌କ୍ୟୁକୁ ପ୍ରହଲ୍ଲାଦ ଲେଙ୍କା ୫ବର୍ଷ(୨୦୧୭-୨୨) ପାଇଁ ଲିଜ୍‌ ନେଇଥିଲେ। ବାର୍ଷିକ ୪୭ ହଜାର ଘନମିଟର ହିସାବ‌ରେ ୫ବର୍ଷରେ ମୋଟ ୨ଲକ୍ଷ ୩୫ ହଜାର ଘନମିଟର ଖନନର ଅନୁମତି ରହିଛି। ଏହି ଖାଦାନ ସୀମାକୁ ଲାଗି ୩ ନୂତନ ଲିଜ୍‌ଧାରୀ ଜ୍ଞାନରଞ୍ଜନ ମହାପାତ୍ର, ନିରଞ୍ଜନ ରାଉତ ଓ ଅକ୍ଷୟ ପରିଡ଼ାଙ୍କ ଖାଦାନରୁ ୬.୫ଲକ୍ଷ ଘନମିଟରରୁ ଅଧିକ କଳାପଥର ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଏହି କଳାପଥରର ମୂଲ୍ୟ ୨୦କୋଟି ଟଙ୍କା ହେବ। ତେବେ, ଡ୍ରୋନ୍‌ କ୍ୟାମେରାରେ ପାଣି ଭର୍ତ୍ତି ଖାଦାନର ଗଭୀରତା ମପାଯିବ କିପରି ବୋଲି ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଏହାପୂର୍ବରୁ ଏହି ତହସିଲର ବିଛାଖଣ୍ଡି ପାହାଡ଼ କଳାପଥର କେଳେଙ୍କାରୀର ତଦନ୍ତ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଟିମ୍ କରିଥିଲା। ତେବେ, ଖାଦାନରେ ପାଣି ଭର୍ତ୍ତି ହୋଇଥିବାରୁ କେତେ ପରିମାଣର ଖନନ ହୋଇଛି ଆକଳନ କରିପାରି ନଥିଲେ। ଫଳରେ, ପାଣିଭର୍ତ୍ତି ରାହାଡ଼ପୁର ଖାଦାନର ମପାଚୁପାକୁ ନେଇ ଏବେ ସନ୍ଦେହ ସୃଷ୍ଟିହୋଇଛି।

ସମ୍ବନ୍ଧିତ ଖବର