କୋଣାର୍କ ଉପରେ ଡ୍ରୋନ୍‌ କ୍ୟାମେରା ଉଡ଼ିବା ଘଟଣା : ମାନୁନାହାନ୍ତି ଡିଜିଙ୍କ ନିର୍ଦେଶାବଳୀ

ଭୁବନେଶ୍ବର : ଚଳିତ ମାସ ୮ ତାରିଖ। ବିଶ୍ବ ଐତିହ୍ୟସ୍ଥଳୀ କୋଣାର୍କ ଉପରେ ଉଡ଼ିଲା ଡ୍ରୋନ୍‌ କ୍ୟାମେରା। ଡ୍ରୋନ୍‌ କ୍ୟାମେରା ଉଡ଼ାଇବା ଅଭିଯୋଗ ପୁଲିସ ତିନି ଜଣ ଅଣ ଓଡ଼ିଆ ଯୁବକଙ୍କୁ କିଛି ସମୟ ଥାନାରେ ଅଟକ ରଖି ଛାଡ଼ି ଦେଇଥିଲା। ଏହାର ଠିକ୍‌ ଦୁଇ ଦିନ ପରେ ଅର୍ଥାତ ମଙ୍ଗଳବାର ଜଣେ ଋଷିୟ ଯୁବକ କୋଣାର୍କ ମନ୍ଦିର ଉପରେ ଡ୍ରୋନ୍‌ କ୍ୟାମେରା ଉଡ଼ାଇବାବେଳେ ପୁଲିସ ତାଙ୍କୁ କାବୁ କରିଥିଲା। ଗତ ମାସରେ ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ କ୍ୟାମେରା ଉଡ଼ିଥିଲା। ଏମାର ମଠର ଛାତ ଉପରେ ଠିଆ ହୋଇ କେତେକ ଯୁବକ ଡ୍ରୋନ୍‌ ଉଡ଼ାଉଥିଲେ। କଟକଣା ସତ୍ତ୍ବେ ପୁରୀ ଓ କୋଣାର୍କ ଭଳି ବିଶ୍ବ ଐତିହ୍ୟସ୍ଥଳୀ ଉପରେ ଡ୍ରୋନ୍‌ କ୍ୟାମେରା ଉଡ଼ାଣ ଉପରେ ରୋକ ଲଗାଇ ପାରୁନାହିଁ।

ଆଜିକୁ ଠିକ୍‌ ୩ ମାସ ତଳେ ପୁଲିସ ଡିଜି କ୍ୟାମ୍ପ ଅଫିସରେ ଏକ ଗୁରୁତ୍ବପୂର୍ଣ ବୈଠକ ବସିଥିଲା। ଯେଉଁଥିରେ ରାଜ୍ୟରେ ଡ୍ରୋନ୍‌ କ୍ୟାମେରା ଉଡ଼ାଣ ଉପରେ ଆଲୋଚନା ହୋଇଥିଲା। ବୈଠକରେ ନିଷ୍ପତ୍ତି ହୋଇଥିଲା, କୌଣସି ବି ଡ୍ରୋନ୍‌ କ୍ୟାମେରା ପୁଲିସ ନିକଟରେ ବିନା ପଞ୍ଜୀକରଣ ଓ ବିନା ଅନୁମତିରେ ଉଡ଼ାଣ କରି ପାରିବେ ନାହିଁ। ଏଥିପାଇଁ ଡ୍ରୋନ୍‌ ମାଲିକକୁ ସ୍ଥାନୀୟ ଥାନାରୁ ଅନୁମତି ନେବାକୁ ପଡ଼ିବ। ଡିସେମ୍ବର ମାସ ୧ ତାରିଖ ଶେଷ ତାରିଖ ଥିଲା। ଏହି ଧାର୍ଯ୍ୟ ତାରିଖକୁ ୧୨ ଦିନ ବିତି ଗଲାଣି। କିନ୍ତୁ ଏବେ ବି ବିଭିନ୍ନ ଐତିହ୍ୟସ୍ଥଳଗୁଡ଼ିକ ଉପରେ ଡ୍ରୋନ୍‌ କ୍ୟାମେରା ଉଡୁଛି।

ନିୟମ ଅନୁଯାୟୀ, ରାଜ୍ୟରେ ଆଉ କେହି ବିନା ପଞ୍ଜୀକରଣରେ ଡ୍ରୋନ୍‌ ଉଡ଼ାଇ ପାରିବେ ନାହିଁ। ଯେଉଁ କ୍ୟାମେରାର ଓଜନ ୨୫୦ ଗ୍ରାମରୁ କମ୍ ସେମାନେ ସ୍ଥାନୀୟ ଥାନା ଓ ଅଧିକ ହେଲେ ବେସାମରିକ ବିମାନ ଚଳାଚଳ ବିଭାଗଠାରୁ ଅନୁମତି ଆଣିବେ। ଏହି ନିୟମକୁ କଡ଼ା କଡ଼ି ଭାବେ ପାଳନ କରିବାକୁ ଗତ ସେପ୍ଟେମ୍ବର ମାସ ୧୨ ତାରିଖରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସମସ୍ତ ଜିଲ୍ଲା ଏସ୍‌ପି ଓ କମିସନରେଟ ପୁଲିସର ଡିସିପିଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦେଶାବଳୀ ଜାରି କରିଥିଲେ। ଡିସେମ୍ବର ମାସ ୧ ତାରିଖରୁ ଏଭଳି ନିୟମ ରାଜ୍ୟରେ କଡ଼ାକଡ଼ି ଭାବେ ଲାଗୁ କରିବାକୁ କୁହାଯାଇଥିଲା। ଯଦି କେହି ଏହାକୁ ଅମାନ୍ୟ କରି ଡ୍ରୋନ୍‌ ଉଡ଼ାଏ, ତାକୁ ତୁରନ୍ତ ଠାବ କରାଯାଇ ଜବତ କରାଯିବ। ଆବଶ୍ୟକ ହେଲେ ଡ୍ରୋନ୍‌ ଉଡ଼ାଉଥିବା ବ୍ୟକ୍ତି ବିଶେଷ ବା ସ˚ସ୍ଥା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିୟମ ପ୍ରଣୟନ ହେବାର ୧୨ ଦିନ ବିତି ଗଲାଣି। କିନ୍ତୁ ସପ୍ତାହକ ମଧ୍ୟରେ କୋଣାର୍କ ଉପରେ ଦୁଇଦୁଇ ଥର ଡ୍ରୋନ୍‌ କ୍ୟା‌ମେରା ଉଡ଼ିବା ପରେ ଏବେ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଏ ଓ କେଉଁ ଉଦ୍ଦେଶ୍ୟ ନେଇ ଡ୍ରୋନ୍‌ କ୍ୟାମେରା ବାରମ୍ବାର ଉଡ଼ାଉଛନ୍ତି ତାହା ସ୍ପଷ୍ଟ ହୋଇ ପାରୁନାହିଁ। ବଡ଼ କଥା ହେଉଛି ବିଦେଶୀମାନେ ବିଭିନ୍ନ ସମୟରେ ଡ୍ରୋନ୍‌ କ୍ୟାମେରା ଉଡ଼ାଇବାବେଳେ ଧରା ପଡ଼ୁଛନ୍ତି। କେନ୍ଦ୍ର ଗୁଇନ୍ଦା ବିଭାଗ ଓଡ଼ିଶା ପୁଲିସକୁ ସୂଚନା ଦେଇଛି କି, କେତେକ ଆତଙ୍କବାଦୀ ଓ ମାଓ ସ˚ଗଠନକୁ ଏହି ସବୁ ଭିଡିଓ ହସ୍ତଗତ କରାଯାଉଛି। ଏନେଇ କିଛି ଦିନ ତଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ଚିଠି ଆସିଥିଲା।

ଏଠାରେ ପ୍ରକାଶଥାଉକି ରାଜ୍ୟର ପୁରୀ, ବ୍ରହ୍ମପୁର, ଭୁବନେଶ୍ବର ଓ କଟକରେ ପାଖାପାଖି ୫ଶହ ଡ୍ରୋନ୍‌ କ୍ୟାମେରା ରହିଛି। ବିଭିନ୍ନ ସମୟରେ ଏହା ବିବାହ, ଜନ୍ମଦିନ, ରିଅଲିଟି ସୋ’, ରାଜେନୖତିକ ସଭା, ସିନେମା, ସିରିଏଲ ଓ ସରକାରୀ ପ୍ରମାଣିକ ଚଳଚ୍ଚିତ୍ରରେ ଆଦିବେଳେ ଏହି ଡ୍ରୋନ୍‌ କ୍ୟାମେରାର ବ୍ୟବହାର କରାଯାଉଛି। ବଡ଼ କଥା ହେଉଛି କୌଣସି ସ୍ଥାନରେ ଡ୍ରୋ‌ନ୍‌ କ୍ୟାମେରା ଉଡ଼ିବାବେଳେ ପୁଲିସ ସେଗୁଡ଼ିକୁ ଟ୍ରାକ୍‌ କରିବାର କୌଣସି ମାଧ୍ୟମ ମଧ୍ୟ ନାହିଁ। ସାଧାରଣ ଲୋକଙ୍କଠାରୁ ଖବର ପାଇ ପୁଲିସ କେବଳ ସେଗୁଡ଼ିକୁ ଜବତ କରୁଛି।

ସମ୍ବନ୍ଧିତ ଖବର