ଡ୍ରୋନ୍ ବିଗାଡ଼ିଦେଉଛି ନକ୍ସଲଙ୍କ ରଣନୀତି

ଫେଲ୍ ମାରିଲା ଛତିଶଗଡ, ସଫଳ ହେଲା ଓଡ଼ିଶା
ବଦଳିବ ନକ୍ସଲ ଅପରେସନ୍ କୌଶଳ, ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତି ଚାଲିଛି
ନକ୍ସଲଙ୍କ ହାତରେ ରକେଟ୍, ମୁଖିଆ ଧରୁଛନ୍ତି ଏକେ-୪୭
ଜଙ୍ଗଲରେ ବିଷ ସିରିଞ୍ଜ ପୋତିବା ଗୁପ୍ତ ଆକ୍ରମଣ ଯୋଜନା
ଓଡ଼ିଶାରେ ଛତିଶଗଡି ନକ୍ସଲଙ୍କ ଦବଦବା, ସୀମା ଜଗିଲାଣି ପୁଲିସ

ଭୁବନେଶ୍ବର : ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ଜାନୁଆରି ୨ତାରିଖରେ ଛତିଶଗଡ ଏସଟିଏଫ୍‌କୁ ଚକମା ଦେଇଥିଲେ ନକ୍ସଲ। ଉଭୟଙ୍କ ମଧ୍ୟରେ ଢେର୍ ସମୟ ଗୁଳିବିନିୟମ ହେଲା। ହେଲେ ଆଗକୁ ବଢ଼ିପାରିଲାନି ଏସଟିଏଫ୍। ସେହିଦିନ ଓଡ଼ିଶା ପଟୁ ଏହି ନକ୍ସଲ ଗୋଷ୍ଠୀର ଦମନ ଦାୟିତ୍ବ ନିଜଆଡୁ ନେଇଥିଲା ଓଡ଼ିଶା ପୁଲିସ। ଦୁଇ ଥର ଘମାଘୋଟ ଲଢ଼େଇ ପରେ ନକ୍ସଲ ଛତ୍ରଭଙ୍ଗ ଦେଲେ। ଓଡ଼ିଶା ପୁଲିସ ଦାବି କରିଛି ଯେ ଚାରିଜଣ ନକ୍ସଲଙ୍କର ମୃତ୍ୟୁ ଘଟିଛି ଓ ସେମାନଙ୍କ ସହଯୋଗୀ ତାଙ୍କ ଶବ ଟାଣି ଟାଣି ନେଇଯିବା ସେମାନେ ଦେଖିଛନ୍ତି। ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ।

ଗୋଟିଏ ଧାଡିରେ କହିଲେ ଏହି ଅପରେସନରେ ସଫଳ ହେଲା ଓଡ଼ିଶା, ଫେଲ୍ ମାରିଲା ଛତିଶଗଡ଼। ନକ୍ସଲ ଅପରେସନ୍ ସହିତ ଯୋଡି ହୋଇଥିବା ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ କହିଛନ୍ତି, ଏହି ନକ୍ସଲ ଟିମ୍‌ରେ ସେମାନଙ୍କର ବଚ୍ଛା ବଚ୍ଛା କ୍ୟାଡର ଥିଲେ ଓ କିଛି ମୁଖିଆ ବି। ସେମାନେ ଓଡ଼ିଶା ପ୍ରବେଶ ଯୋଜନା ସହିତ ଗୋଟିଏ ବଡ଼ ଅପରେସନ୍ ଲକ୍ଷ୍ୟରେ ଥିଲେ।

ତେବେ ସୁନାବେଡା ଅଭୟାରଣ୍ୟର ଏହି ଅପରେସନ୍ ସଫଳତା ପଛର ଅନେକ କାରଣ ମଧ୍ୟରେ ଗୋଟିଏ ବଡ କାରଣ ହେଲା ‘ଡ୍ରୋନ୍ ପ୍ରୟୋଗ’। ଏହା ଏବେ ନକ୍ସଲଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଓ ଜଙ୍ଗଲ ଭିତରର ସେମାନଙ୍କ ଆଡ୍ଡା ଆଉ ପୁଲିସକୁ ଅଛପା ରହୁନାହିଁ।

Unsplash

ପୁଲିସ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଗତ ୨ ତାରିଖରେ ଛତିଶଗଡ ଏସଟିଏଫ୍-ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଜାଣିବା ପରେ ଓଡ଼ିଶା ସୀମାପଟୁ ଆଉ ଗୋଟିଏ ଅପରେସନ୍ ଟିମ୍ ନିୟୋଜିତ କରାଯାଇଥିଲା। ଏହି ଟିମ୍ ପାଖାପାଖି ୮ କିଲୋମିଟର ଦୂରରେ ରଖାଯାଇଥିଲା। ୪ ତାରିଖରେ ଡ୍ରୋନ୍ ପ୍ରୟୋଗ କରି ସେମାନଙ୍କ ଉପସ୍ଥିତି, ଗତିବିଧି ଠାବ କରାଯିବା ପରେ ଗୋଟିଏ ନୂଆ ଅପରେସନ୍ ଆରମ୍ଭ ହେଲା। ୯ ତାରିଖ ଓ ୧୨ ତାରିଖରେ ଦୁଇ ଦୁଇଥର ନକ୍ସଲ-ଯବାନଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ହୋଇଥିଲା।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନକ୍ସଲମାନଙ୍କ ହାତରେ ଏବେ ଅନେକ ରକେଟ୍ ଲଞ୍ଚର ରହୁଛି। ଏଥର ସେମାନେ ଘନ ଘନ ରକେଟ୍ ମାଡ କରିଥିଲେ। ପୁଲିସ ପ୍ରତି ଆକ୍ରମଣ କରିଥିଲେ ହେଁ, ନକ୍ସଲ ପୂର୍ବାପେକ୍ଷା ଯେ ଅଧିକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରଖୁଛନ୍ତି, ଏହା ପୁଲିସ ପାଇଁ ଚ୍ୟାଲେଞ୍ଜ ହେଲାଣି। ଦ୍ବିତୀୟତଃ, ସେମାନେ ଜଙ୍ଗଲରେ ବିଷ ଯୁକ୍ତ ସିରିଞ୍ଜ ଏତେ ପରିମାଣରେ ପୋତୁଛନ୍ତି ଯେ ଅପରେସନ୍ ପ୍ରଭାବିତ ହୋଇପାରେ। ଥରେ ଏହି ସିରିଞ୍ଜ ଶରୀରରେ ଫୋଡିେହଲେ ବିଷକ୍ରିୟା କାରଣରୁ ଯବାନ ଅପରେସନରୁ ଓହରିବାକୁ ବାଧ୍ୟ ହେବେ ଓ ମୃତ୍ୟୁକୁ ସାମ୍ନା କରିପାରନ୍ତି। ଏହି ଦୁଇଦିଗକୁ ଦୃଷ୍ଟିରେ ରଖି ଏବେ ଅପରେସନରେ ସଂଶୋଧନ ଅଣାଯିବ ବୋଲି ଏହି ସୂତ୍ରରୁ ସୂଚନା ମିଳିଛି।

ପୁଲିସ ସୂତ୍ରରୁ ଆହୁରି କୁହାଯାଇଛି ଯେ ନକ୍ସଲଙ୍କର ଏତେ ସବୁ ଯୋଜନା ସତ୍ତ୍ବେ ସେମାନେ ସଫଳ ହୋଇପାରିବେ ନାହିଁ। କାରଣ ଘନ ଜଙ୍ଗଲରେ ପୁଲିସ କମ୍ବିଂ ଜାରି ରଖିବା ସହିତ ନିୟମିତ ବ୍ୟବଧାନରେ ଡ୍ରୋନ୍ ଉଡ଼ାଉଛି। ଏଥିରେ ସେମାନଙ୍କ ଗତିବିଧି ଓ ଆଡ୍ଡା ଏବଂ ସ୍ଥାନୀୟ ଅଞ୍ଚଳରେ କେଉଁ କେଉଁ କ୍ଷେତ୍ରରୁ ସେମାନେ ସମର୍ଥନ ପାଉଛନ୍ତି, ସେ ନେଇ କିଛି ତଥ୍ୟ ମିଳିପାରୁଛି। ଏହା ଅପରେସନକୁ ତ୍ବରାନ୍ବିତ କରିବାରେ ସାହାଯ୍ୟ କରୁଛି।

IndiaTV News

ଏଠାରେ ଉଲ୍ଲେଖଥାଉକି, ଓଡ଼ିଶାରେ ଏବେ ମୁଖ୍ୟତଃ ୩ଟି ରାଜ୍ୟ କମିଟି କାର୍ଯ୍ୟ କରୁଛନ୍ତି, ଯାହା ଅଧୀନରେ ପ୍ରାୟ ୯ଟି ଡିଭିଜନ ଅଧୀନରେ ୨୫୮ ପାଖାପାଖି ନକ୍ସଲ ସକ୍ରିୟ ଅଛନ୍ତି। ଓଡ଼ିଶା ରାଜ୍ୟ କମିଟି ଅଧୀନରେ ୫ଟି, ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେସାଲ ଜୋନ୍ କମିଟି ଅଧୀନରେ ୨ଟି ଓ ଦଣ୍ଡକାରଣ୍ୟ ସ୍ପେସାଲ ଜୋନ୍ କମିଟି ଅଧୀନରେ ୨ଟି ଡିଭିଜନ କାର୍ଯ୍ୟ କରୁଛି। ତେବେ ଏଥିରେ ମାତ୍ର ୨୩ଜଣ ଓଡ଼ିଶା କ୍ୟାଡରଙ୍କୁ ବାଦ୍ ଦେଲେ ବାକି ସବୁ ଅନ୍ୟ ରାଜ୍ୟର।

ଏକଦା ଶହ ଶହ ଓଡ଼ିଶା କ୍ୟାଡରର ନକ୍ସଲ ଅପରେସନରେ ସାମିଲ ହେଉଥିଲେ। ନୟାଗଡ ଅସ୍ତ୍ରାଗାର ଲୁଟ୍ ଘଟଣା ଏହାର ଏକ ବଡ଼ ଉଦାହରଣ ଥିଲା। ଆଜି ଦିନର ତଥ୍ୟ ହେଲା, ଓଡ଼ିଶାରେ ସର୍ବାଧିକ ଛତିଶଗଡ଼ି ନକ୍ସଲ ସକ୍ରିୟ ଅଛନ୍ତି। ସେମାନଙ୍କ ସଂଖ୍ୟା ୧୮୭ ପାଖାପାଖି ରହିଛି। ଆନ୍ଧ୍ରପ୍ରଦେଶର ୧୮, ତେଲେଙ୍ଗାନାର ୧୨, ଝାଡ଼ଖଣ୍ଡର ୧୨, ମହାରାଷ୍ଟ୍ରର ୪ ଏବଂ ପଶ୍ଚିମବଙ୍ଗର ଜଣେ ନକ୍ସଲ ଓଡ଼ିଶା ଅପରେସନରେ ଟିମରେ ଥିବା ସୂଚନା ମିଳିଛି। ଓଡ଼ିଶା ପୁଲିସ ଠୋସ୍ ଖବର ପାଇଛି ଯେ ନକ୍ସଲ ପ୍ରତି ସିନିୟର କ୍ୟାଡରଙ୍କୁ ଏକେ-୪୭ ଦେଇଛି। ଏହାହିଁ ନକ୍ସଲ ଅପରେସନକୁ ଏବେ ଅତି ଚିନ୍ତାଜନକ ସ୍ଥିତିକୁ ଟାଣିନେଇଛି।

ସମ୍ବନ୍ଧିତ ଖବର