ଦୁଇ ଦିନ ହେଲା ଶ୍ରୀମନ୍ଦିର ଉପରେ ଉଡୁଛି ଡ୍ରୋନ୍

ବାଇକ୍‌ରେ ପିଛା କରି ବି ଧରି ପାରିଲାନି ପୁଲିସ

ପୁରୀ : ପୁଲିସକୁ ଚକ୍‌ମା ଦେଉଛି ଡ୍ରୋନ୍ କ୍ୟାମେରା। ଗତ ଦୁଇ ଦିନ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନ୍ କ୍ୟାମେରା ଉଡୁଥିଲେ ବି ଏହାକୁ ଧରାଯାଇପାରୁନାହିଁ। ଏମିତିକି ବାଇକ୍‌ରେ ସିଂହଦ୍ବାର ଥାନାର କର୍ମଚାରୀ ଦୁଇ ଦିନ କାଳ ଝାଳନାଳ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇ ପାରିନାହାନ୍ତି।

ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାତଟା ସମୟରେ ଏକ ‌ଡ୍ରୋନ୍ କ୍ୟାମେରା ଶ୍ରୀମନ୍ଦିର ଉପରକୁ ଆସି ନୀଳଚକ୍ରର ଖୁବ୍ ନିକଟରେ ଉଡ଼ିଥିଲା। କିଛି ସମୟ ପରେ ଡ୍ରୋନ୍‌ଟି ତଳକୁ ଖସିଆସି ଶ୍ରୀମନ୍ଦିର ଚାରିକଡେ ଚକ୍‌କର୍‌ କାଟିବା ଦେଖି ମନ୍ଦିର ପରିସରରେ ଥିବା ଶ୍ରଦ୍ଧାଳୁମାନେ ସେଠାରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀଙ୍କୁ ଜଣାଇଥିଲେ। ବେଢ଼ା ପରିସରରେ ଥିବା ପୁଲିସ କର୍ମଚାରୀମାନେ ଯଦିଓ ଏହି ଡ୍ରୋନ୍‌କୁ ନିକଟରୁ ଉଡୁଥିବା ଦେଖିଥିଲେ, ମାତ୍ର କିଛି କରିପାରିନଥିଲେ। ପରେ ସିଂହଦ୍ବାର ଥାନା ପୁଲିସ ଡ୍ରୋନ୍‌କୁ ଧରିବା ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ବାର, ପଶ୍ଚିମଦ୍ବାର, ଦକ୍ଷିଣଦ୍ବାର ଚାରିପଟେ ବୁଲି ଏକ ବାଇକ୍‌ରେ ପିଛା କରିଥିଲା। ହେଲେ ଡ୍ରୋନ୍‌ଟି ଗାଣ୍ଡୁଆଚଉରା ଛକ ଦେଇ ହରଚଣ୍ଡି ସାହି ପଟେ ଉଡ଼ିଯାଇଥିଲା। ବାଇକ୍‌ରେ ପିଛା କରୁଥିବା ପୁଲିସ କର୍ମଚାରୀଜଣକ ବହୁ ଚେଷ୍ଟା କରିଥିଲେ ମଧ୍ୟ ଡ୍ରୋନ୍‌କୁ ଧରି ପାରିନଥିଲେ। ଡ୍ରୋନ୍‌କୁ ରିମୋଟ୍‌ରେ ଉଡାଉଥିବା ବ୍ୟକ୍ତିଙ୍କୁ ଠାବ କରିନପାରି ଶେଷରେ ଖାଲି ହାତରେ ଫେରିଥିଲା ପୁଲିସ। ଏ ସଂପର୍କରେ ସିଂହଦ୍ବାର ଥାନା ଆଇଆଇସି ଶ୍ରବଣ କୁମାର ମହାରଣା କହିଛନ୍ତି, ଗତ ଦୁଇ ଦିନ ଧରି ଶ୍ରୀମନ୍ଦିର ଉପରେ ଉଡ଼ୁଥିବା ଏହି ଡ୍ରୋନ୍‌କୁ ଧରିବାକୁ ଚେଷ୍ଟା କରି ସଫଳ ହୋଇ ପାରିଲୁନାହିଁ। ତେବେ ଡ୍ରୋନ୍ ଉଡାଉଥିବା ବ୍ୟକ୍ତି ଧରାପଡ଼ିଲେ ତା’ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସମ୍ବନ୍ଧିତ ଖବର