ଯୋଗ୍ୟ ବ୍ୟକ୍ତିଙ୍କୁ ମିଳିବ ପଟ୍ଟା, ଆରମ୍ଭ ହେଲା ଡ୍ରୋନ୍ ସର୍ଭେ; ପାଇଲଟ୍ ପ୍ରୋଜେକ୍ଟରେ ରାୟଗଡ଼ା ସାମିଲ୍

ଗୁଡ଼ାରି ତହସିଲର ୩୧୬ ଜଣଙ୍କୁ ମିଳିଲା ପଟ୍ଟା, ସ୍ଥିତି ସମୀକ୍ଷା କଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ 

ରାୟଗଡ଼ା: ଦୂର ହେବ ବସ୍ତି ବାସିନ୍ଦାଙ୍କ ଦୁଃଖ। ଯୋଗ୍ୟ ବ୍ୟକ୍ତିଙ୍କୁ ମିଳିବ ପଟ୍ଟା। ଜମି ଚିହ୍ନଟ କରି ପଟ୍ଟା ପ୍ରଦାନ ପାଇଁ ରାଜସ୍ବ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଡ୍ରୋନ୍ ସର୍ଭେ। ପାଇଲଟ୍ ପ୍ରୋଜେକ୍ଟ ଭାବେ ଓଡ଼ିଶାର ଏକ ମାତ୍ର ଜିଲ୍ଲା ରାୟଗଡ଼ାକୁ ପ୍ରାଥମିକ ପର୍ଯ୍ୟାୟରେ ସାମିଲ୍ କରାଯାଇଛି। ଜିଲ୍ଲାର ୫ ତହସିଲରେ ପରୀକ୍ଷଣ ଭାବେ (ସ୍ବାମୀତ୍ବ) ଯୋଜନାରେ ଏହି ସର୍ଭେ ଆରମ୍ଭ ହୋଇଛି।

କେନ୍ଦ୍ର ସରକାରଙ୍କ ରାଜସ୍ବ ବିଭାଗର ପଦକ୍ଷେପ ପରେ ଓଡ଼ିଶା ସରକାର ସ୍ପେଶାଲ୍ ସର୍ଭେ ଆଣ୍ଡ ସେଟେଲମେଣ୍ଟ୍ ଆଇନ-୨୦୧୨ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ରାୟଗଡ଼ା ଜିଲ୍ଲାର ରାୟଗଡ଼ା, ଗୁଣପୁର, ପଦ୍ମପୁର, ମୁନିଗୁଡ଼ା, ଗୁଡାରି ତହସିଲରେ ଏହି ସର୍ଭେ କରାଯିବ। ଏଥି ଲାଗି ୫ ତହସିଲର ୭୭୮ ଗ୍ରାମକୁ ଚିହ୍ନଟ କରାଯାଇଛି। ସର୍ଭେ ସମୟରେ ତହସିଲ ଅଧୀନରେ ଥିବା ସମସ୍ତ ଅଞ୍ଚଳକୁ ସର୍ଭେ ପରିସରଭୁକ୍ତ କରାଯିବ। ସେଥି ମଧ୍ୟରୁ କେତେ ଅଞ୍ଚଳ ଜଙ୍ଗଲ ଜମି, ଗ୍ରାମକଣ୍ଟ ପରମବକ, ସରକାରୀ ଜମି, ଘରଡିହ ରହିଛି ତାର ମ୍ୟାପ୍ ପ୍ରସ୍ତୁତ କରାଯାଇ ପଟ୍ଟା ନଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରାଯିବ। ରାୟଗଡ଼ା ତହସିଲର ହାଲୁଆ ପଞ୍ଚାୟତର କୋଡାପାଡି ଗ୍ରାମରେ ଡ୍ରୋନ୍ ସର୍ଭେ କରାଯାଇଥିବା ବେଳେ ଏହାର ସ୍ଥିତି ସମୀକ୍ଷା କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ।

ସର୍ଭେରେ ସାମିଲ୍ ହୋଇଥିବା ଟେକ୍ନିକାଲ୍ ଟିମ୍ କର୍ତ୍ତୃପକ୍ଷ, ଜିଲ୍ଲାପାଳ ସ୍ବଧା ଦେବ ସିଂ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ସହ ଶ୍ରୀ ସାହୁ ଆଲୋଚନା କରିବା ସହ ଶୁକ୍ରବାର ଅପରାହଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ରାଜସ୍ବ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିବେ। ରାୟଗଡ଼ା ଜିଲ୍ଲା ଜଙ୍ଗଲ ଓ ପାର୍ବତ୍ୟାଞ୍ଚଳ ହୋଇଥିବାରୁ ଡ୍ରୋନ୍ ସର୍ଭେ ବେଶ୍ ଫଳପ୍ରଦ ହେବ ବୋଲି ସଚିବ ଶ୍ରୀ ସାହୁ କହିଛନ୍ତି। ଗୁଡାରି‌ ତହସିଲରେ ଡ୍ରୋନ୍ ସର୍ଭେ କରାଯାଇ ୧୩ଟି ଗ୍ରାମର ୩୧୬ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଛ। ସେହିପରି ପଦ୍ମପୁର ତହସିଲର ୧୨୪ଟି ରାଜସ୍ବ ଗ୍ରାମ, ୨୭ଟି ହାମଲେଟକୁ ସର୍ଭେରେ ସାମିଲ୍ କରାଯାଇଛି। ଖୁବ୍ ଶୀଘ୍ର ଚିହ୍ନଟ ଯୋଗ୍ୟ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯିବ। ଗୁଣପୁର ତହସିଲର ୧୩୮ ରାଜସ୍ବ ଗ୍ରାମକୁ ସର୍ଭେରେ ସାମିଲ୍ କରାଯାଇଥିବା ବେଳେ ୧୨୭ ଗ୍ରାମରେ ସର୍ଭେ ଶେଷ ହୋଇଛି। ୧୦୬ ହାମଲେଟ୍ ମଧ୍ୟରୁ ୧୦୧ ହାମଲେଟରେ ସର୍ଭେ ସରିଛି। ମ୍ୟାପ୍ ହସ୍ତଗତ ହେବା ପରେ ପଟ୍ଟା ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ। ପ୍ରଥମ ପର୍ଯ୍ୟାୟ ସର୍ଭେରେ ସାମିଲ୍ ହୋଇଥିବା ୫  ତହସିଲ ମଧ୍ୟରୁ ୩ ତହସିଲରେ ସର୍ଭେ ‌ସରିଥିବା ବେଳେ ମୁନିଗୁଡ଼ା, ରାୟଗଡ଼ାରେ ସର୍ଭେ ଚାଲିଛି। ପଟ୍ଟା ନଥିବା ହିତାଧିକାରୀ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବାରୁ ସରକାର ଏହି ପ୍ରକଳ୍ପକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଅତିରିକ୍ତ ଶାସନ ସଚିବଙ୍କ ସମୀକ୍ଷା ସମୟରେ ରାୟଗଡ଼ା ଉପଜିଲ୍ଲାପାଳ ଭୀମସେନ ଶବର, ତହସିଲଦାର ତାପସ କୁମାର ରାଉତ, ଗୁଡାରି ତହସିଲଦାର ଭାରତୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର